ଆ‌ରକେଏସ୍ ବନ୍ଦ ପରେ ବଢ଼ୁଛି କର୍ମଚାରୀଙ୍କ ସମସ୍ୟା: ଆଟେଣ୍ଡାଣ୍ଟ-ସିକ୍ୟୁରିଟିଙ୍କୁ ମିଳୁନି ଦରମା

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧୀନରେ ଥିବା ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଗତ ୩ ମାସ ହେବ ସେମାନଙ୍କୁ ଦରମା ମିଳିନାହିଁ। ଏହାସହ ହସ୍ପିଟାଲରେ କାର୍ଯ୍ୟ କରୁଥିବା ସିକ୍ୟୁରିଟିଙ୍କ ଅବସ୍ଥା ମଧ୍ୟ ସମାନ। ଏଜେନ୍‌ସି ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଏବେ ସରକାରୀ ନିଷ୍ପତ୍ତି ଓ ହସ୍ପିଟାଲ କର୍ତୃପକ୍ଷଙ୍କ ଭିତରେ ଫସି ଯାଇଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ହସ୍ପିଟାଲରେ ରୋଗୀ କଲ୍ୟାଣ ସମିତି ବା ଆର୍‌କେଏସ୍ ଗଠନ କରାଯାଇଥିଲା। ଏଥିରେ ହସ୍ପିଟାଲରୁ ହେଉଥିବା ଆୟରେ ଆଟେଣ୍ଡାଣ୍ଟ ଓ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତି ସହ ବିକାଶମୂଳକ କାର୍ଯ୍ୟରେ ଖର୍ଚ କରାଯାଉଥିଲା। ତେବେ ଗତବର୍ଷ ସ୍ବାଧୀନତା ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ହସ୍ପିଟାଲରେ ପଞ୍ଜୀକରଣ ନେଇ ଆଦାୟ କରାଯାଉଥିବା ଅର୍ଥକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ଆର୍‌କେଏସ୍‌ ବନ୍ଦ ହୋଇଯାଇଥିଲା। ସେବେଠାରୁ ହିଁ ଆରକେଏସ୍‌ ଅଧୀନରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ସମସ୍ୟା ଆରମ୍ଭ ହୋଇଯାଇଥିଲା। ଏବେ ସେମାନଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। ଆରକେଏସ୍‌ ପାଣ୍ଠିକୁ ଅର୍ଥ ଆଦାୟ ବନ୍ଦ ହୋଇଯିବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘ନିର୍ମଳ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏଥିରେ ସଫେଇ କର୍ମଚାରୀ, ସୁରକ୍ଷା କର୍ମୀ, ପ୍ଲମ୍ବର, ଲିଫ୍‌ଟମ୍ୟାନ୍ ଓ ଇଲେକଟ୍ରିସିଆନ୍‌ଙ୍କୁ ନିଯୁକ୍ତି ଦେବାର ନିୟମ ରହିଛି। ମାତ୍ର ଆଟେଣ୍ଡାଣ୍ଟଙ୍କ ପାଇଁ ଏଥିରେ କୌଣସି ବ୍ୟବସ୍ଥା ନାହିଁ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ‘ନିଦାନ’ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି। ‘ନିଦାନ’ ଅଧୀନରେ ଇନଷ୍ଟିଚ୍ୟୁସନାଲ୍ ଡେଭଲପମେଣ୍ଟ କଷ୍ଟ୍‌ ରହିଛି। ଏଥିରେ ପ୍ରତି ବହିର୍ବିଭାଗ ରୋଗୀ ପିଛା ୭ଟଙ୍କା ଓ ଆଇପିଡିରେ ୫୦ଟଙ୍କା ପର୍ଯ୍ୟନ୍ତ ଦେବାକୁ ବ୍ୟବସ୍ଥା ହୋଇଛି। ଏଥିରେ କୌଣସି କର୍ମଚାରୀଙ୍କ ନିଯୁକ୍ତି ହୋଇପାରିବ ନାହିଁ ବୋଲି ସର୍ତ ରହିଛି। ମାତ୍ର ଆଇସିୟୁ କିମ୍ବା ଏହିଭଳି ହାଇୟୁଟିଲିଟି ଅଞ୍ଚଳରେ କର୍ମଚାରୀଙ୍କ ନିଯୁକ୍ତି ହୋଇପାରିବ ବୋଲି ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ କୁହାଯାଇଛି। କ୍ୟାପିଟାଲ ହସ୍ପିଟାଲର ଆରକେଏସ୍‌ ଅଧୀନରେ ଆଟେଣ୍ଡାଣ୍ଟ, ଡାଟାଏଣ୍ଟ୍ରି ଅପରେଟର, ଇଲେକ୍ଟ୍ରିସିଆନ୍ ଓ ଟେକ୍‌ନିକାଲ କର୍ମଚାରୀଙ୍କୁ ମିଶାଇ ୧୨୦ଜଣ କାର୍ଯ୍ୟ କରୁଛନ୍ତି। ଆର୍‌କେଏସ୍‌ ଅଧୀନରେ ମନଇଚ୍ଛା ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତି ଦିଆଯାଉଥିବା ଦୀର୍ଘ ଦିନରୁ ଅଭିଯୋଗ ହୋଇଆସୁଛି। ପୂର୍ବରୁ ଆରକେଏସ୍‌ ପାଣ୍ଠିକୁ ଆଦାୟ ହେଉଥିବା ଅର୍ଥରୁ କର୍ମଚାରୀଙ୍କୁ ଦରମା ଦିଆଯାଉଥିଲା। ମାତ୍ର ଅର୍ଥ ବନ୍ଦ ହେବା ପରେ ହସ୍ପିଟାଲର ପୂର୍ବରୁ ରହିଥିବା ପାଣ୍ଠିରୁ ଆରକେଏସ୍ ଅଧୀନରେ ଥିବା କର୍ମଚାରୀଙ୍କୁ ଦରମା ଦିଆଯାଉଛି। ଏଥିରେ ନିୟମିତ ଦରମା ମିଳୁନଥିବା କର୍ମଚାରୀ ଅଭିଯୋଗ କରୁଛନ୍ତି। ଗତ ୩ମାସ ହେବ ‌ଦରମା ମିଳି ନ ଥିବା କର୍ମଚାରୀମାନେ ଅଭିଯୋଗ ଆଣିଛନ୍ତି। କେବେ ଦରମା ମିଳିବ ସେ ନେଇ ନିଯୁକ୍ତି ଦେଇଥିବା ଏଜେନ୍‌ସି କର୍ମଚାରୀଙ୍କୁ ପ୍ରତିଶ୍ରୁତି ଦେଇ ପାରୁ ନାହିଁ। ଫଳରେ କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସୁରକ୍ଷା କର୍ମୀମାନେ ମଧ୍ୟ ଦରମା ପାଇନାହାନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା.ଅଶୋକ ପଟ୍ଟନାୟକ କହିଛନ୍ତି, ହସ୍ପିଟାଲରେ ପଞ୍ଜୀକରଣ କରୁଥିବା ୟୁନିସଫ୍‌ଟ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ଆଟେଣ୍ଡାଣ୍ଟଙ୍କ ଦରମା ନେଇ ସଂସ୍ଥା ସହ ଆଲୋଚନା ହୋଇଛି। ସଂସ୍ଥା ପାଖରେ ହସ୍ପିଟାଲର ରହିଥିବା ଟଙ୍କାକୁ ପ୍ରଦାନ କରିବା ପାଇଁ ବାରମ୍ବାର ଚିଠି ଦିଆଯାଇଛି ଓ ଆଲୋଚନା କରାଯାଇଛି। ହେଲେ ସଂପୃକ୍ତ ସଂସ୍ଥା ଧରାଛୁଆଁ ଦେଉନାହିଁ। ଅପରପକ୍ଷେ ସିକ୍ୟୁରିଟି ସଂସ୍ଥା କର୍ମଚାରୀଙ୍କୁ ଇପିଏଫ୍‌ ଦାଖଲ କରୁନଥିବା ନଜରକୁ ଆସିଥିଲା। ପରେ ଏନେଇ ସଂସ୍ଥା ସହ ଆଲୋଚନା ‌କରାଯିବା ପରେ କିଛି ମାସର ଇପିଏଫ୍ ଜମା କରିଥିଲା। ମାତ୍ର ପରବର୍ତୀ ସମୟରେ ପୁନର୍ବାର ଏଭଳି ସମସ୍ୟା ଦେଖାଦେଇଛି। ଯେହେତୁ ସଂସ୍ଥା ପକ୍ଷରୁ ଏନେଇ ଅପଡେଟ୍ ମିଳିନାହିଁ, ତେଣୁ କର୍ମଚାରୀଙ୍କ ଦରମା ଦେବା ସମ୍ଭବ ହେଉନାହିଁ। ତଥାପି ସିକ୍ୟୁରିଟିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମାସକର ଦରମା ଦିଆଯାଇଛି ଓ ବାକି ରହିଥିବା ଦରମା ନେଇ ପଦକ୍ଷେପ ନିଆଯିବ ବୋଲି ଡା. ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର