ଟ୍ରେଲର୍‌ ତଳେ ପେଶି ହୋଇଗଲା ୧୦ ବର୍ଷର ବାବୁନା

ଗଙ୍ଗପଡ଼ା ଛକରେ ମର୍ମନ୍ତୁଦ ଦୁର୍ଘଟଣା

ଖଣ୍ଡଗିରି/ଖୋର୍ଦ୍ଧା : ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ ଟ୍ରେଲର୍‌-ବାଇକ୍‌ ଧକ୍କା ଯୋଗୁଁ ଜଣେ ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି। ମୃତ ଛାତ୍ର ହେଲେ ଗଙ୍ଗପଡ଼ା ଗାଁର ଜାନକୀ ଦାସଙ୍କ ପୁଅ ବାବୁନା(୧୦)। ଦୁର୍ଘଟଣାରେ ବାବୁନାଙ୍କ ପିଉସୀ ଝିଅ ଭଉଣୀ ରଶ୍ମିତା ଜେଠି(୧୫) ଗୁରୁତର ଆହତ ହୋଇଛନ୍ତି। ସେ ଏକ ଗୋଡ଼ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ ଗ୍ରାମବାସୀମାନେ ଶହ ଶହ ସଂଖ୍ୟାରେ ରାଜପଥ ଉପରକୁ ମାଡ଼ି ଆସି ଅବରୋଧ କରିଥିଲେ। ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଓ ଗଙ୍ଗପଡ଼ା ଛକରେ ସର୍ଭିସ୍‌ ରୋଡ୍‌ ନିର୍ମାଣ ଦାବିରେ ଲୋକେ ରାଜପଥ ଅବରୋଧ କରିଥିଲେ। ପୁଲିସ ବୁଝାସୁଝା କଲେ ବି ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ନମିଳିବା ପର୍ଯ୍ୟନ୍ତ ସୋମାନେ ରାଜପଥ ଉପରେ ଧାରଣାରେ ବସି ରହିଥିଲେ। ଫଳରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ୧୬ ନମ୍ବର ଜାତୀୟ ରାଜପଥ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା।

ସୂଚନାନୁସାରେ ଗଙ୍ଗପଡ଼ା ଜାନକୀ ଦାସଙ୍କ ସାନଭାଇ ରଙ୍କ ପୁତୁରା ବାବୁନା ଓ ଭାଣିଜୀ ରଶ୍ମିତାକୁ ବାଇକ୍‌ରେ ବସାଇ ତଳଖେତା ଛକରୁ ଘରକୁ ଫେରୁଥିଲେ। ସେମାନେ ରାସ୍ତା ପାର୍‌ ହେବା ପାଇଁ ଗଙ୍ଗପଡ଼ା ଛକ କଟ୍‌ରେ ବାଇକ୍‌ ଅଟକାଇ ରହିଥିଲେ। ଏହି ସମୟରେ ଖୋର୍ଧାରୁ ଭୁବନେଶ୍ୱର ଦିଗରେ ଯାଉଥିବା ଏକ ଟ୍ରେଲର୍‌(ଏନ୍‌ଏଲ୍‌୦୧-ଏନ୍‌-୧୧୯୦) ରଙ୍କଙ୍କ ବାଇକ୍‌କୁ ପଛରୁ ପିଟିଥିଲା ଓ କିଛି ବାଟ ଘୋଷାରି ନେଇଥିଲା। ରଙ୍କ ବାଇକ୍‌ରୁ ନିରାପଦ ଦୂରତାକୁ ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିଲେ। କିନ୍ତୁ ଟ୍ରେଲର୍‌ ଚକାତଳେ ପଡ଼ି ଯାଇଥିଲେ ବାବୁନା ଓ ରଶ୍ମିତା। ଘଟଣାସ୍ଥଳରେ ବାବୁନାଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ରଶ୍ମିତାଙ୍କ ଗୋଡ଼ କ୍ଷତିଗ୍ରସ୍ତ ହୋଇଥିଲେ ବି ସେ ବଞ୍ଚି ଯାଇଥିଲେ। ଏଭଳି ଭୟଙ୍କର ଦୁର୍ଘଟଣାରେ ଗାଁର ଜଣେ ନାବାଳକର ମୃତ୍ୟୁକୁ ଆଖିରେ ଦେଖିବା ପରେ ଗଙ୍ଗପଡ଼ା ବଜାରରେ ଥିବା ଲୋକମାନେ ତାତି ଯାଇଥିଲେ। ଖବର ପ୍ରଚାରିତ ହେବା ମାତ୍ରେ ଗାଁରୁ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ଜାତୀୟ ରାଜପଥ ଉପରକୁ ଚାଲି ଆସି ଧାରଣାରେ ବସିଥିଲେ।

ଏସିପି ଫଗୁଆ ସିଂହ ଓ ଯାଁଳା ଫାଣ୍ଡି ଅଧିକାରୀ ରାସ୍ତା ଅବରୋଧ ନ କରିବାକୁ ଲୋକଙ୍କୁ ବୁଝାସୁଝା କଲେ ବି କିଛି ସୁଫଳ ମିଳି ନ ଥିଲା। ଜିଲ୍ଲାପାଳ ଘଟଣାସ୍ଥଳକୁ ଆସି ସର୍ଭିସ୍‌ ରୋଡ୍‌ ନିର୍ମାଣ କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ କହିଲେ ସେମାନେ ରାସ୍ତାରୁ ହଟିବେ ବୋଲି ଜିଦ୍‌ ଧରି ବସିଥିଲେ। ପରେ ପରେ ଅତିରକ୍ତି ଡିସିପି ତପନ କୁମାର ପଟ୍ଟନାୟକ ବି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସେଇ ଗୋଟିଏ ଜିଦ୍‌ ଥିଲା ଗ୍ରାମବାସୀଙ୍କର। ଜିଲ୍ଲା ପ୍ରଶାସନ ଘଟଣାରସ୍ଥଳକୁ ଆସିବାରେ ଯେତେ ବିଳମ୍ବ ହେଉଥିଲା, ଲୋକଙ୍କ ରାଗ ସେତେ ବଢ଼ୁଥିଲା। ଫଳରେ କିଛି ସମୟ ପାଇଁ ପୁଲିସ ପଛଘୁଞ୍ଚା ଦେବା ସହ ଅସହାୟ ଭାବେ ଠିଆ ହୋଇ ରହିଥିଲା। ଏଣେ ରାଜପଥର ଦୁଇ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା। ଫଳରେ ୨ ଘଣ୍ଟା ପର୍ଯ୍ୟନ୍ତ ଲୋକ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଶେଷରେ ଭୁବନେଶ୍ୱର ଉପଜିଲ୍ଲାପାଳ ମାନସ ସାମଲ ଲୋକଙ୍କ ନିକଟରେ ପହଞ୍ଚି ଆଲୋଚନା କରିଥିଲେ। ଗଙ୍ଗପଡ଼ା ଅଣ୍ଡରପାସ୍‌କୁ ସର୍ଭିସ୍‌ ତୁରନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ସୂଚନାଯୋଗ୍ୟ ଯେ ୧୬ ନମ୍ବର ଜାତୀୟ ରାଜପଥ ନିର୍ମାଣ କାମ ସରିବା ପ୍ରାୟ ୧୦ ବର୍ଷ ହୋଇଯାଇଥିଲେ ବି ଗଙ୍ଗପଡ଼ା ଅଣ୍ଡରପାସ୍‌କୁ ସର୍ଭିିସ୍‌ ରୋଡ୍‌(ଭୁବନେଶ୍ୱରରରୁ ଖୋର୍ଧା ଦିଗରେ) ହୋଇପାରିନାହିଁ। ଜାତୀୟ ରାଜପଥ ଓ ଜିଲ୍ଲା ପ୍ରଶାସନର ଅବହେଳା ପାଇଁ ଏହି ରାସ୍ତା ନିର୍ମାଣ ହୋଇପାରିନାହିଁ। ଫଳରେ ଭୁବନେଶ୍ୱର ଦିଗରୁ ଗଙ୍ଗପଡ଼ା, ଗମେଇ, ଗ୍ରାମଡିହ, ପାଣିଓଳା ଆଦି ଗାଁକୁ ଯାଉଥିବା ଲୋକେ ଗଙ୍ଗପଡ଼ା ଛକରେ ହାଇେଓ୍ଵ ଡିଭାଇଡର୍‌ କଟ୍‌ରେ ପାରି ହେଲାବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର