ଜାତୀୟ ରାଜପଥରେ ଗଳାବାଟ : ବଢ଼ୁଛି ଦୁର୍ଘଟଣା, ଅଚିନ୍ତାରେ କର୍ତୃପକ୍ଷ

ଭୁବନେଶ୍ୱର : ଜାତୀୟ ରାଜପଥରେ ଗଳାବାଟ। ସର୍ଟକଟ୍‌ରେ ରାସ୍ତା ପାର୍‌ ହେବା ପାଇଁ ସ୍ଥାନୀୟ କେତେକ ଲୋକେ ଏଭଳି ଗଳାବାଟ ସୃଷ୍ଟି କରିଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ ଭୁବନେଶ୍ୱର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ୧୫ରୁ ଅଧିକ ସ୍ଥାନରେ ଏଭଳି ଗଳାବାଟ ସୃଷ୍ଟି କରାଯାଇଛି। ଏଥିପାଇଁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। କେତେକଙ୍କ ସୁବିଧା ପାଇଁ ଅନେକଙ୍କ ଜୀବନ ଦୀପ ଲିଭି ଯାଉଛି, ଏହି ଗଳାବାଟରେ। ବଡ଼ କଥା ହେଉଛି, ଏସବୁ ଗଳାବାଟକୁ ଜାତୀୟ ରାଜପଥ କର୍ତୃପକ୍ଷ ବନ୍ଦ କରିବା ବଦଳରେ ଅଚିନ୍ତା ହୋଇ ବସି ପଡ଼ିଛନ୍ତି। କମିସନରେଟ୍‌ର ଟ୍ରାଫିକ୍‌ ପୁଲିସ ମଧ୍ୟ ଏହାକୁ ଅଣ ଦେଖା କରି ଚାଲିଛି।

ଜାତୀୟ ରାଜପଥରେ ସପ୍ତସତୀ ମନ୍ଦିରଠାରୁ ପିତାପଲ୍ଲୀ ଛକ ପର୍ଯ୍ୟନ୍ତ ଜାତୀୟ ରାଜପଥ ପକ୍ଷରୁ କେତେକ ସ୍ଥାନରେ ଆବଶ୍ୟକତା ମନେ କରି କଟ୍‌ କରାଯାଇଛି। ଫଳରେ ଲୋକ ଗୋଟିଏ ପାର୍ଶ୍ୱରୁ ଆର ପାର୍ଶ୍ୱକୁ ସହଜରେ ଯିବା ଆସିବା କରି ପାରିବେ। ଏହା ଦ୍ୱାରା ଦୁର୍ଘଟଣା ମଧ୍ୟ କମିବ। କିନ୍ତୁ ଗତ ୬ ମାସ ହେବ ଜାତୀୟ ରାଜପଥର କେତେକ ସ୍ଥାନରେ ଏବେ ଗଳାବାଟ ଖୋଲିଛି। କେବଳ ବାଇକ୍‌, ସାଇକେଲ ଯିବା ଆସିବା କରିବା ପାଇଁ ଏହି ଗଳାବାଟ ସୃଷ୍ଟି କରିଛନ୍ତି ସ୍ଥାନୀୟ କେତେକ ଲୋକ। ସେମାନଙ୍କ ଯିବା ଆସିବା ପାଇଁ ସେମାନେ ରାତି ଅଧିଆ ଏହି ଜାତୀୟ ରାଜପଥର ଡିଭାଇଡର୍‌କୁ କାଟି ଏଭଳି ଗଳାବାଟ କରିଛନ୍ତି। ଯେଉଁ କାରଣରୁ ବିଭିନ୍ନ ସମୟରେ ଏହି ଗଳାବାଟରେ ଯାଉଥିବା ବାଇକ୍‌ ଓ ସାଇକେଲ ଆରୋହୀ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷକରି ବିଳମ୍ବିତ ରାତିରେ ଏହି ଗଳାବାଟ ଭାରୀଯାନ ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଭାରୀଯାନ ଚାଳକଙ୍କ ଆଗକୁ ଅନେକ ସମୟରେ ବାଇକ୍‌ ଓ ସାଇକେଲ ଆସି ଯାଉଛି। ଫଳରେ ସେମାନେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଉଛନ୍ତି।

ଜାତୀୟ ରାଜପଥର ସପ୍ତସତୀ ମନ୍ଦିର ସମ୍ମଖ ଛକ, ପଳାସୁଣୀ ଛକ, ଜୟଦେବ ବିହାର ଛକ, ହୋଟେଲ କ୍ରାଉନ୍‌ ଛକ, ପାତ୍ରପଡ଼ା, ତମାଣ୍ଡୋ ଆଦି କେତେକ ଛକର କେତେକ ସ୍ଥାନରେ ଗଳାବାଟ କରାଯାଇଛି।

ପଳାସୁଣୀ ଛକକୁ ଜାତୀୟ ରାଜପଥ କର୍ତୃପକ୍ଷ ସ୍ଥାୟୀ ଭାବେ ବନ୍ଦ ନ କରି କେତେକ ପଥର ଥୋଇ ଦେଇଛନ୍ତି। ସ୍ଥାନୀୟ ଲୋକ ଏହି ପଥରକୁ ଘୁଞ୍ଚାଇ, ଡିଭାଇଡରକୁ ଖୋଳି ପକାଇଛନ୍ତି। ସପ୍ତସତୀ ମନ୍ଦିର ସମ୍ମୁଖ ଛକର ଅବସ୍ଥା ମଧ୍ୟ ସେୟା। ସମାନ ଅବସ୍ଥା ଅନ୍ୟାନ୍ୟ ସ୍ଥାନରେ।

ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲା। ତାଙ୍କର ଉତ୍ତର ଥିଲା, ଆମେ କ’ଣ କରିବୁ। ଲୋକେ ଖୋଲି ଦେଉଛନ୍ତି।

ଟ୍ରାଫିକ୍‌ ଏସିପି ଯତୀନ୍‌ ପଣ୍ଡା କହିଛନ୍ତି ଏହି ସବୁ ଗଳାବାଟକୁ ପୁଲିସ ଓ ଜାତୀୟ ରାଜପଥ ପକ୍ଷରୁ ବାରମ୍ବାର ବନ୍ଦ କରାଯାଉଛି। କିନ୍ତୁ ଦୁଇ ଦିନ ପରେ ପୁଣି କେହି ଖୋଲି ଦେଉଛି। ତେବେ ଏବେ ଆମେ ଜାଣିବା ପରେ ପୁଣି ଥରେ ସେହି ଗଳାବାଟକୁ ବନ୍ଦ କରିଦେବୁ।

ସମ୍ବନ୍ଧିତ ଖବର