ଦୁର୍ଘଟଣା ୨୪% ବଢ଼ିିଛି

୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ପାଳିତ ହେବ ସଡ଼କ ସୁରକ୍ଷା ସପ୍ତାହ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ରାଜ୍ୟ ସମସ୍ୟା ନୁହେଁ, ଏହା ଏକ ବିଶ୍ୱ ସମସ୍ୟା। ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ୨୦୧୫ ମସିହା ତୁଳନାରେ ୨୦୧୬ରେ ମର୍ମନ୍ତୁଦ ଦୁର୍ଘଟଣା ୩.୨ପ୍ରତିଶତ ବଢ଼ିଥିବା ନଜରକୁ ଆସିଛି। ୨୦୧୭ରେ ସୁପ୍ରିମକୋର୍ଟ ରାଜ୍ୟରେ ସଡ଼କ ଦୁର୍ଘଟଣାର ମାତ୍ରା ୧୦ ପ୍ରତିଶତକୁ କମାଇବାକୁ ନିର୍ଦେଶ ଦେଇଥିଲେ। ମାତ୍ର ସେହି ବର୍ଷ ଦୁର୍ଘଟଣା ୭.୩୩ ପ୍ରତିଶତ ବଢ଼ି ଯାଇଥିଲା। ଏପରିକି ୨୦୧୮ ଜାନୁଆରି-ଫେବ୍ରୁଆରିରେ ଦୁର୍ଘଟଣାର ମାତ୍ରା ୨୪ ପ୍ରତିଶତ ବଢ଼ିଛି। ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ ଶୁକ୍ରବାର ପାନ୍ଥନିବାସରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏହି ଉଦ୍‌ବେଗଜନକ ତଥ୍ୟ ଉପସ୍ଥାପନ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଲେ, ଓଡ଼ିଶା ସମେତ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଥିବା ରାଜ୍ୟ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର ଓ ଛତିଶଗଡ଼କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ତେଣୁ ଦୁର୍ଘଟଣାକୁ କିଭଳି କମାଇହେବ, ସେଥିପାଇଁ ଉଦ୍ୟମ କରିବାକୁ ପଡ଼ିବ। ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର, ମଦ୍ୟପାନ, ବେପରୁଆ ଗାଡ଼ି ଚାଳନା ଓ କିଛି ଜାଗାରେ ରାସ୍ତା ପାଇଁ ମଧ୍ୟ ଦୁର୍ଘଟଣା ଘଟୁଛି। ଓଭରଲୋଡିଂକୁ ଏନଫୋର୍ସମେଣ୍ଟ କରିବାକୁ ପଡ଼ିବ। ପ୍ରତି ମାସରେ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏମ୍‌ଭିଆଇ ଏନ୍‌ଫୋର୍ସମେଣ୍ଟ ନେଇ ସମୀକ୍ଷା କରିବା ଜରୁରୀ। ଫଳରେ କେଉଁ ଅଞ୍ଚଳରେ କେତେ ପରିମାଣର ଏନ୍‌ଫୋର୍ସମେଣ୍ଟ ହୋଇଛି ଓ କେତେ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି, ତାହାର ସୂଚନା ମିଳିପାରିବ।

ସେହିପରି ଦୁର୍ଘଟଣାସ୍ଥଳରେ ଅନେକ ସମୟରେ ଆମ୍ବୁଲାନ୍‌ସ ପହଞ୍ଚିବାରେ ସମସ୍ୟା ଦେଖାଦେଉଛି। ତେଣୁ ଇଣ୍ଟରସେପ୍ଟରକୁ ବ୍ୟବହାର କରି ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଉପରେ ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ। ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମକୁ କେବଳ ଗୋଟିଏ ସପ୍ତାହ ମଧ୍ୟରେ ସୀମିତ ନ ରଖି ବର୍ଷବ୍ୟାପୀ ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ସାହୁ କହିଥିଲେ।

ବୈଠକରେ ପରିବହନ କମିସନର ମଧୁସୂଦନ ପାଢ଼ୀ ଯୋଗଦେଇ କହିଲେ, ଗତ ୨ ବର୍ଷରେ ରାଜ୍ୟରେ ୭୦ହଜାରରୁ ଅଧିକ ଗାଡ଼ି ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ଆସନ୍ତା ୩ରୁ ୬ମାସ ମଧ୍ୟରେ ଇ-ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଫଳରେ ଏନଫୋର୍ସମେଣ୍ଟ ଅଧିକାରୀଙ୍କୁ ଆଉ କାଗଜରେ ଚାଲାଣ କାଟିବାକୁ ପଡ଼ିବ ନାହିଁ। ଏହି ବ୍ୟବସ୍ଥା ଯୋଗୁଁ ନିୟମିତ ଭାବେ ଯେଉଁ ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ସମସ୍ତ ତଥ୍ୟ ଏଥିରେ ଉପଲବ୍ଧ ହେବ। ଏହାସହ କେଉଁ କେଉଁ ଅଞ୍ଚଳରେ ଅଧିକ ସଂଖ୍ୟାରେ ନିୟମ ଉଲ୍ଲଂଘନ ହେଉଛି, ତାହା ଜଣାପଡ଼ିବା ସହ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିବାରେ କୌଣସି ସମସ୍ୟା ହେବ ନାହିଁ ବୋଲି ଶ୍ରୀ ପାଢ଼ୀ କହିଥିଲେ।

ପ୍ରମୁଖ ସଚିବ ଜି.ଶ୍ରୀନିବାସ କହିଲେ, ସଡ଼କ ସୁରକ୍ଷା ପାଇଁ ୪ଟି ‘ଇ’ ଉପରେ ଧ୍ୟାନ ଦେବାକୁ ହେବ; ଏନ୍‌ଫୋର୍ସମେଣ୍ଟ, ଇଞ୍ଜିନିୟରିଂ, ଏଜୁକେସନ୍‌ ଓ ଏମରଜେନ୍ସି କେୟାର। ଦୁର୍ଘଟଣାକୁ କମାଇବା ଦିଗରେ ଆଞ୍ଚଳିକ ପରିବହନ ଅଧିକାରୀ ଆଗ୍ରହ ଦେଖାଉ ନଥିବା ଦେଖିବାକୁ ମିଳୁଛି। ଏନଫୋର୍ସମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯିବା ଜରୁରୀ। ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ୨୦ଟି ସ୍ୱୟଂଚାଳିତ ଟ୍ରାକ ରହିଥିବା ବେଳେ ଆଗକୁ ଏହାକୁ ବଢ଼ାଇବାକୁ ଯୋଜନା କରାଯାଉଛି। ଏହାସହ ବ୍ଲାକ୍‌ ସ୍ପଟ୍‌ର ଚିହ୍ନଟ ଓ ହମ୍ପ୍‌ସକୁ କାଢ଼ିବା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଶ୍ରୀ ଶ୍ରୀନିବାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ। ଏହି ପ୍ରସ୍ତୁତି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ଓ ଏମ୍‌ଭିଆଇ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର