ରାସ୍ତା ନିର୍ମାଣରେ ଏସ୍‌ଓପି ମାନୁନାହାନ୍ତି : ପୂର୍ତ୍ତ ବିଭାଗ ନିଜ ନିୟମ ନିଜେ ଭାଙ୍ଗୁଛି, ସ୍ୱେରେଜ୍‌ ବୋର୍ଡ କେଉଁଠି ବି ନିୟମ ମାନୁନି

ଭୁବନେଶ୍ୱର : ରାଜଧାନୀର ଯେଉଁଠି ବି ନୂଆ ରାସ୍ତା ନିର୍ମାଣ ହେବ କି ମରାମତି ହେବ ତାହା ପୂର୍ତ୍ତ ବିଭାଗ ଦ୍ୱାରା ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଅର୍‌ (ଏସ୍‌ଓପି) ଅନୁଯାୟୀ ହିଁ ନିର୍ମାଣ ହେବ। ଏହାସହ ବିଏମ୍‌ସି ଅଞ୍ଚଳରେ ରାସ୍ତା ନିର୍ମାଣ/ମରାମତି କଲେ ବିଏମ୍‌ସିରୁ ଏନ୍‌ଓସି ଆଣିବେ। ଏନେଇ ଉନ୍ନୟନ କମିସନର ଆର୍‌.ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗତ ବର୍ଷ ନିଷ୍ପତ୍ତି ହୋଇଥିଲା। ଏହାପରେ ସମସ୍ତ ବିଭାଗକୁ ସର୍କୁଲାର ବି ଜାରି ହୋଇଥିଲା। କିନ୍ତୁ ଏହି ଏସ୍‌ଓପିକୁ କେହି ମାନୁନାହାନ୍ତି କି ଏଥିରେ କ’ଣ ନିୟମ ରହିଛି ତାହା ଅଧିକାଂଶ ଅଧିକାରୀ ଜାଣିନାହାନ୍ତି।

ପୂର୍ତ୍ତ ବିଭାଗର ଜାରି ହୋଇଥିବା ଏସ୍‌ଓପି କହୁଛି ପିଚୁ ରାସ୍ତା ମରାମତି ହେଲେ ରାସ୍ତାକୁ ପ୍ରଥମେ ଖୋଳା ଯାଇ ପୂର୍ବରୁ ପଡ଼ିଥିବା ପିଚୁକୁ ସଂପୂର୍ଣ୍ଣ ଛଡ଼ାଯିବ। ଏହାପରେ ଏହାକୁ ସଫା କରି ନୂଆ ପିଚୁ, ଚିପ୍ସ ପଡ଼ିବ। କୌଣସି ପରିସ୍ଥିତିରେ ବି ରାସ୍ତା ଆଉ ଉଚ୍ଚା ହେବନି। ରାସ୍ତା କଡ଼ରେ ଥିବା ଡ୍ରେନ୍‌କୁ ଯେପରି ବର୍ଷା ପାଣି ସହଜରେ ଯିବ ଏବଂ ରାସ୍ତା କୌଣସି ସ୍ଥାନରେ ଖାଲ ଢିପ ନରହିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଯେଉଁଠି ନୂଆ ରାସ୍ତା ନିର୍ମାଣ ହେବ ସେଠାରେ ଘୋଡ଼ଣି ଥିବା ଡ୍ରେନ୍‌ ନିର୍ମାଣ ହେବ। ବିନା ଡ୍ରେନ୍‌ରେ କେଉଁଠି ନୂଆ ରାସ୍ତା ହେବନି।

କେବଳ ଏତିକି ନୁହେଁ ଯଦି କୌଣସି ସଂସ୍ଥା ବିଦ୍ୟୁତ ଲାଇନ୍‌, ପାଣି ପାଇପ୍‌, କେବୁଲ୍‌ ତାର ବିଛାଇବା ପାଇଁ ରାସ୍ତା ଖୋଳନ୍ତି ତାହାକୁ କାମ ସରିବା ପରେ ମରାମତି କରିବେ। ପୂର୍ବରୁ ଯେମିତି ଥିଲା ସେହିପରି ରାସ୍ତାକୁ ନିର୍ମାଣ କରିବେ। ଯଦି କେଉଁଠି ସ୍ୱେରେଜ୍‌ ଲାଇନ୍‌ ବିଛାଯିବ ତେବେ ସେଠାରେ ସଂପୂର୍ଣ୍ଣ ରାସ୍ତା ପୁନଃ ନିର୍ମାଣ କରାଯିବ। ଧାର୍ଯ୍ୟ ସମୟ ମଧ୍ୟରେ କାମ ଶେଷ କରାଯିବ। କୌଣସି ନିର୍ମାଣ କାର୍ଯ୍ୟ ହେଉଥିଲେ ସେଠାରେ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯିବ। ପଥଚାରୀଙ୍କର ଯେପରି କୌଣସି ସମସ୍ୟା ନହୁଏ ସେଥିପ୍ରତି ନିର୍ମଣାଧୀନ ସଂସ୍ଥା ପ୍ରତିକାର ବ୍ୟବସ୍ଥା କରିବେ। ହେଲେ ଏହି ଏସ୍‌ଓପି ରାଜଧାନୀର କୌଣସି ସ୍ଥାନରେ କାର୍ଯ୍ୟକାରୀ ହେଉନଥିବା କର୍ପୋରେଟର୍‌ମାନେ ଅଭିଯୋଗ ଆଣିଛନ୍ତି। ସ୍ୱେରେଜ୍‌ ବୋର୍ଡ ଓ ଜାଇକା ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ୱେରେଜ୍‌ ଲାଇନ୍‌ ବିଛାଉଥିବାବେଳେ ରାସ୍ତା ଖୋଳିକି ବହୁଦିନ ରଖୁଥିବାରୁ ବହୁ ସମସ୍ୟା ଉପୁଜୁଛି। ଧାର୍ଯ୍ୟ ସମୟରେ କୌଣସି ସ୍ଥାନରେ କାର୍ଯ୍ୟ ଶେଷ ହେଉ ନଥିବାରୁ ଲୋକ ଖୋଳା ଯାଇଥିବା ଗାତରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି।

ସ୍ୱେରେଜ୍‌ ବୋର୍ଡ କରିଥିବା ମ୍ୟାନହୋଲ୍‌ଗୁଡ଼ିକ ରାସ୍ତା ଉପରକୁ ଉଠିକି ରହିଥିବାରୁ ଲୋକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ପୂର୍ତ୍ତ ବିଭାଗର ଏସ୍‌ଓପି ଅନୁଯାୟୀ ରାସ୍ତା ଉଚ୍ଚତାରେ ମ୍ୟାନହୋଲ୍‌ ଚାମ୍ବର ରହିବାର ନିୟମ ଥିଲେ ହେଁ ସ୍ୱେରେଜ୍‌ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଧ୍ୟାନ ଦେଉନାହାନ୍ତି। ଏପରିକି ରାସ୍ତା ମଝିରେ ଖୋଳିକି ସ୍ୱେରେଜ୍‌ ଲାଇନ୍‌ ବିଛାଇବା ସହ ମ୍ୟାନହୋଲ୍‌ ଚାମ୍ବର କରୁଥିଲେ ହେଁ କେବଳ ଖୋଳା ଯାଇଥିବା ରାସ୍ତା କାମ ହେଉଛି। ହେଲେ ରାସ୍ତା ଖୋଳା ହେଉଥିବାରୁ ପୂରା ରାସ୍ତା ଫାଟି ଯାଉଛି। ସଂପୂର୍ଣ୍ଣ ରାସ୍ତା ମରାମତି ହେଉ ନଥିବାରୁ ସବୁ ଗଳିକନ୍ଦିରେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ସବୁ କର୍ପୋରେଟର୍‌ଙ୍କର ଅଭିଯୋଗ।

କେବଳ ଏତିକି ନୁହେଁ ରାଜଧାନୀରେ ଯେତିକି ରାସ୍ତା ଅଛି ସେଥିରୁ ଅଧାରୁ ଅଧିକ ପୂର୍ତ୍ତ ବିଭାଗର ରାସ୍ତା ଥିବାବେଳେ ପୂର୍ତ୍ତ ବିଭାଗ ହିଁ ନିଜ ଏସ୍‌ଓପି ମାନୁନାହିଁ। ଇଞ୍ଜିନିୟର ଓ ଠିକାଦାରଙ୍କ ପ୍ରୀତି ଯୋଗୁଁ ଏସ୍‌ଓପି ଅନୁଯାୟୀ କାମ କରିବା ନେଇ ଏଷ୍ଟିମେଟ୍‌ ପ୍ରସ୍ତୁତ ହେଉଛି। ହେଲେ କାମ ହେଲାବେଳେ ରାତି ଅଧିଆ ପିଚୁ ଉପରେ ପିଚୁ ପରସ୍ତ ଚଢ଼ାଇ ଦିଆଯାଉଛି। କୌଣସି ସ୍ଥାନରେ ରାସ୍ତା ଖୋଳା ଯାଉନି କି ଲେଭେଲିଂ କରାଯାଉନି। ଫଳରେ ଅଧିକାଂଶ ସ୍ଥାନରେ ଘର, ଡ୍ରେନ୍‌ ଠାରୁ ରାସ୍ତା ଉଚ୍ଚା ହୋଇଗଲାଣି। ଯେଉଁଥିପାଇଁ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନପାରି ଘରେ ପାଣି ପଶୁଛି।

ହକି ବିଶ୍ୱକପ୍‌ ପୂର୍ବରୁ ଏବେ ରାଜଧାନୀର ସମସ୍ତ ରାସ୍ତା ମରାମତି ହେବାକୁ ଥିବାରୁ ପୂର୍ତ୍ତ ବିଭାଗର ଏସ୍‌ଓପି ଅନୁଯାୟୀ ସମସ୍ତ ସଂସ୍ଥା କାର୍ଯ୍ୟ କରିବାକୁ କୁହାଯାଇଛି।

ଏନେଇ ବିଏମ୍‌ସି କମିସନର କ୍ରିଷନ କୁମାରଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଏବେ ଯେଉଁଠି ରାସ୍ତା ଖୋଳା ଯାଇଛି ତାହାକୁ ସେପ୍ଟେମ୍ବର ୧୫ସୁଦ୍ଧା ପୋତାଯିବ। ଏହାପରେ ରାସ୍ତା ମରାମତି କାମ ଆରମ୍ଭ ହେବ। ବିଏମ୍‌ସି, ପୂର୍ତ୍ତ ବିଭାଗ, ସ୍ୱେରେଜ୍‌ ବୋର୍ଡ ଯେଉଁଠି ରାସ୍ତା ନିର୍ମାଣ କରିବେ ସେମାନେ ପୂର୍ତ୍ତ ବିଭାଗର ଏସ୍‌ଓପି ଅନୁଯାୟୀ କରିବେ। ସ୍ୱେରେଜ୍‌ ବୋର୍ଡ ଯେଉଁଠି ରାସ୍ତା ଖୋଳିଛି ସେଠାରେ ସଂପୂର୍ଣ୍ଣ ରାସ୍ତା ମରାମତି କରିବ। ଯଦି ଏଥିରେ କେହି ଅବହେଳା କରୁଥିବେ ସେଠାରେ ସ୍ଥାନୀୟ କର୍ପୋରେଟରମାନେ ଏହାର ପ୍ରତିବାଦ କରିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ଖିଲାପକାରୀ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମ୍ବନ୍ଧିତ ଖବର