ଡେଇଁ ଡେଇଁ ଗଲା କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି

କିଟ୍‌ ଛକରୁ ଶିଖରଚଣ୍ଡି ରାସ୍ତା, ଗାଁଠୁ ଖରାପ, ଭିଆଇପି ରାସ୍ତା ପାଲଟିଛି ମରଣଯନ୍ତା

ଚନ୍ଦ୍ରଶେଖରପୁର: ସହର ବଢ଼ୁଛି। କଳେବର ବଦଳୁଛି। ରାସ୍ତାଘାଟଠାରୁ ବିଦ୍ୟୁତ ସଂଯୋଗ ପର୍ଯ୍ୟନ୍ତ, ସବୁଥିରେ ହେଉଛି ପରିବର୍ତ୍ତନ। ସହରକୁ ସବୁଜ ସୁନ୍ଦର କରିବାକୁ ସ୍ୱପ୍ନ ଦେଖାଯାଉଛି। ହେଲେ ସହରରେ ଏମିତି ରାସ୍ତା ରହିଛି, ଯାହାକି କୌଣସି ଦୁର୍ଗମ ଅଞ୍ଚଳର ଗଁାଁ ରାସ୍ତାଠାରୁ କୌଣସି ଗୁଣରେ କମ୍‌ ନୁହେଁ। ରାସ୍ତା ସାରା ବଡ଼ ବଡ଼ ଖାଲ। ତା’ ସାଙ୍ଗକୁ ପଥଚାରୀଙ୍କ ପାଇଁ ପାଦେ ପାଦେ ବିପଦ। ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବାରୁ କେଉଁଠି ରାସ୍ତା କେଉଁଠି ଖାଲ ତାହା ଜଣାପଡ଼ୁନି। ପ୍ରତିଦିନ ଭିଆଇପି ଓ ଭିଭିଆଇପିଙ୍କ ଯାତାୟାତ ରାସ୍ତା ପଟିଆ ମ୍ୟାଗ୍‌ନେଟ୍‌ ଛକରୁ ଶିଖରଚଣ୍ଡି ପାହାଡ଼ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଏଭଳି ହୋଇଛି। ୩ ମାସ ହେଲା ରାସ୍ତାର ଅବସ୍ଥା ବେହାଲ ହୋଇଥିବା ବେଳେ ଏଥିପ୍ରତି ପ୍ରଶାସନର ଟିକିଏ ବି ହେଲେ ଧ୍ୟାନ ନାହିଁ। ଯେଉଁଥିପାଇଁ ଏହି ରାସ୍ତାରେ ପ୍ରତିଦିନ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସବୁଠାରୁ ବଡ଼ କଥା ହେଉଛି ଯେ ଆଜି ଚନ୍ଦକା ଶିଳ୍ପାଞ୍ଚଳରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ଟ୍ରାଫିକ୍‌ରେ ଫସି ଯାଇଥିଲେ କେନ୍ଦ୍ର ବାଣିଜ୍ୟ, ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଓ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ତଥା କୌଶଳ ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖାଲଖମା ରାସ୍ତାରେ ଦୁଇ ମନ୍ତ୍ରୀଙ୍କ ଗାଡ଼ି ଡେଇଁ ଡେଇଁ ଯାଇଥିଲା। ସନ୍ଧ୍ୟା ସମୟରେ ଏହି ରାସ୍ତାରେ ପ୍ରବଳ ଭିଡ଼ ହୋଇଥିବାରୁ ମନ୍ତ୍ରୀ ବିଳମ୍ବରେ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। କେବଳ ଆଜି ନୁହେଁ। ଏହି ରାସ୍ତାରେ ଏଭଳି ଘଟଣା ନିତିଦିନିଆ ହୋଇଯାଇଛି। ଅନେକ ସମୟରେ ଏହି ରାସ୍ତା ଦେଇ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟକୁ ଦେଶ, ବିଦେଶରୁ ଭିଆଇପି ଓ ଭିଭିଆଇପିମାନେ ଆସୁଥିବାରୁ ସେମାନେ ଭୁବନେଶ୍ୱର ସହରରେ ଗାଁର ଦୃଶ୍ୟକୁ ଉପଭୋଗ କରୁଛନ୍ତି। ଏହାଦ୍ୱାରା ଓଡ଼ିଶାର ନାଁ ବାହାରେ ଖରାପ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାର ଦୁଇ ପାଖରେ ଅନେକ ସପିଂ ମଲ୍‌ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ପାର୍କିଂ ସୁବିଧା ନାହିଁ। ଯେଉଁଥିପାଇଁ ଲୋକେ ରାସ୍ତାପାର୍ଶ୍ୱରେ ଗାଡ଼ି ପାର୍କିଂ କରୁଛନ୍ତି। ଯେଉଁଥିପାଇଁ ଟ୍ରାଫିକ୍‌ ସମସ୍ୟା ହେଉଛି। ପ୍ରତିଦିନ ୫ ହଜାରରୁ ଅଧିକ ଗାଡ଼ି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ଓ ଲୋକେ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି। ଏ ପର୍ଯ୍ୟନ୍ତ ଏହି ରାସ୍ତାରେ ମାଟି ମୁଠାଏ ବି ପଡ଼ି ନାହିଁ। ବିଏମ୍‌ସି ଓ୍ଵାର୍ଡ ନମ୍ବର ୧, ୨ ଓ ୬ ଅଧୀନରେ ଆସୁଥିବା ଏହି ରାସ୍ତାର ସମସ୍ୟା ନେଇ କର୍ପୋରେଟରମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଆଗାମୀ ଦଶହରା ପରେ ନୂଆ ଟେଣ୍ଡର୍‌ କରାଯାଇ ରାସ୍ତାର ମରାମତି କରାଯିବ। ଅନ୍ୟପକ୍ଷରେ ଟ୍ରାଫିକ୍‌ ସମସ୍ୟା ନେଇ ସ୍ଥାନୀୟ ଏସିପି ରବୀନ୍ଦ୍ର ନାଥ ଶତପଥୀ ଓ ଇନ୍‌ଫୋସିଟି ଥାନା ଆଇଆଇସି ବିଜୟନୀ ସିଂ କହିଛନ୍ତି ଯେ ବେଆଇନ ପାର୍କିଂ କରୁଥିବା ଲୋକଙ୍କଠାରୁ ଚାଲାଣ କଟାଯିବା ସହ ଆବଶ୍ୟକ ପଡ଼ିଲେ ଗାଡ଼ି ଜବତ କରାଯିବ।

ସମ୍ବନ୍ଧିତ ଖବର