ମରଣଯନ୍ତା ନୁହେଁ, ପ୍ରଗତିର ପଥ ହେଉ ରାସ୍ତା

ଭୁବନେଶ୍ୱର: କେବଳ ଟ୍ରାଫିକ୍‌ ପୁଲିସ ବା ଜରିମାନା ଦୁର୍ଘଟଣା ରୋକି ପାରିବ ନାହିଁ, କେବଳ ସଚେତନତା ହିଁ ରାସ୍ତା ଉପରେ ବଞ୍ଚାଇ ପାରିବ ଜୀବନ। ଗାଡ଼ି ଚାଳନାରେ ନିୟନ୍ତ୍ରଣ ରଖିବା ସହ ନିୟମ ମାନିଲେ ମଣିଷର ମୂଲ୍ୟବାନ ଜୀବନ ରକ୍ଷା ପାଇବା ସହ ସାରା ଜୀବନ ପଙ୍ଗୁ ହେବାରୁ ବଞ୍ଚିତ ହୋଇପାରିବ। ରାସ୍ତା ମରଣଯନ୍ତା ନୁହେଁ, ବରଂ ପ୍ରଗତିର ପଥ ହେଉ ବୋଲି କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ଟ୍ରାଫିକ୍‌ ଥାନାରେ ଆୟୋଜିତ ଏକ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି। ପୂର୍ବରୁ ଦୁଇ ଦିନ ଧରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷାକୁ ନେଇ ଆୟୋଜିତ ଡ୍ରଇଂ ଓ କୁଇଜ୍‌ ପ୍ରତିଯୋଗିତାରେ କମିସନର୍‌ ୧୦ ଜଣ କୃତୀ ପ୍ରତିଯୋଗୀଙ୍କୁ ନଗଦ ଟଙ୍କା ସହ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହା ସହିତ ୫ ଜଣ ଜୁରି ମେମ୍ବରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଅନ୍ୟତମ ଅତିଥି ଭାବେ ଡିସିପି ଅନୁପ ସାହୁ ଯୋଗ ଦେଇଥିବା ବେଳେ ଟ୍ରାଫିକ ଡିସିପି ବିଜୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଟ୍ରାଫିକ ଏସିପି ଅନୁପ କାନୁନ୍‌ଗୋ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ସ୍କୁଲରୁ ଦୁଇଟି ପ୍ରତିଯୋଗିତାରେ ଭାଗ ନେଇଥିବା ୧୪୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କୁଇଜ୍‌ରେ ବିଜେଇଏମ୍‌ ସ୍କୁଲର ପ୍ରତ୍ୟାଶା ଜେନା ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଦ୍ବିତୀୟ ସ୍ଥାନରେ ସାଇ ଇଣ୍ଟରନେସନାଲ ସ୍କୁଲର ନେତ୍ରା କ୍ରିଷ୍ଣନ୍‌, ମଦର୍ସ ପବ୍ଲିକ ସ୍କୁଲର କାଶ୍ୟପ ପଣ୍ଡା ଓ ଡିଏଭି ପବ୍ଲିକ ସ୍କୁଲ(ଚନ୍ଦ୍ରଶେଖରପୁର)ର ସ୍ବସ୍ତିକ ମହାପାତ୍ର ରହିଥିଲେ। ତୃତୀୟ ସ୍ଥାନରେ ପୋଖରୀପୁଟ ଡିଏଭିର ଆଦ୍ୟାଶା ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଡ୍ରଇଂରେ ଡିଏଭି ପବ୍ଲିକ ସ୍କୁଲର ସାଇ କ୍ରିସ୍‌ ସାହୁ ପ୍ରଥମ ହୋଇଥିବା‌ ବେଳେ ଦ୍ବିତୀୟ ସ୍ଥାନରେ କ୍ୟାପିଟାଲ ହାଇସ୍କୁଲର ସଗୁନ ସକିଲା ମୁର୍ମୁ, ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ବୈଷ୍ଣବୀ ଘୋଷ ଓ ଶୈଳେଜା ମିଶ୍ର ପୁରସ୍କୃତ ହୋଇଥିଲେ। ସାଇ ଇଣ୍ଟରନେସନାଲ ସ୍କୁଲର ସୋହମ ସାମଲଙ୍କୁ ସ୍ବତନ୍ତ୍ର ପୁରସ୍କାର ମିଳିଛି।

ସମ୍ବନ୍ଧିତ ଖବର