ଏମିତି ଚାଲିଛି ସଡ଼କ ସୁରକ୍ଷା ସଚେତନ : ପୁଲିସ ଅଧିକାରୀଙ୍କ କାର୍‌ରୁ କେବେ ହଟିବ କଳାକାଚ?

ଭୁବନେଶ୍ୱର : ଗୋଟିଏ ପଟେ କମିସନରେଟ୍‌ ପୁଲିସ ପକ୍ଷରୁ ଏଜି ଛକ ସ୍ଥିତ ଟ୍ରାଫିକ୍‌ ଥାନାରେ ସଡ଼କ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ଚାଲୁଛି। ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ପୁଲିସ କମିସନରଙ୍କ ପର୍ଯ୍ୟନ୍ତ ବରିଷ୍ଠ ପୁଲିସ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କୁ ସଚେତନ କରୁଛନ୍ତି। କିନ୍ତୁ କମିସନରେଟ ପୁଲିସର କେତେକ ବରିଷ୍ଠ ଅଧିକାରୀ ନିଜ କାର୍‌ରେ କଳାକାଚ ଲଗାଇ ଖୁଲମଖୁଲା ବୁଲୁଛନ୍ତି। ଏପରିକି କିଛି ଆଇପିଏସ୍‌ ଅଧିକାରୀ ମଧ୍ୟ ଏହି ଆଇନକୁ ଉଲ୍ଲଙ୍ଘନ କରି ଚାଲିଛନ୍ତି। ଏହାକୁ ରାଜଧାନୀର ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।

୨୦୧୨ ମେ’ ୪ ତାରିଖରେ ମାନ୍ୟବର ସୁପ୍ରିମକୋର୍ଟ କାର୍‌ରେ କଳା କାଚ କିମ୍ବା କଳା ଫିଲ୍ମ ଲଗାଇବା ଉପରେ କଟକଣା ଜାରି କରିଥିଲେ। କୌଣସି ପରିସ୍ଥିତିରେ କେହି ବି ଏହି ନିୟମକୁ ଉଲ୍ଲଙ୍ଘନ କରିପାରିବେ ନାହିଁ। ଉଲ୍ଲଙ୍ଘନକାରୀଙ୍କଠାରୁ ମୋଟର ଭେଇକିଲ୍‌ ଆକ୍ଟ ଅନୁଯାୟୀ ଜରିମାନା ଆଦାୟ କରାଯିବ। ପ୍ରଥମେ ପ୍ରଥମେ ଏହି ନିୟମକୁ କମିସନରେଟ ପୁଲିସ ପକ୍ଷରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା। ଟ୍ରାଫିକ୍‌ ପୁଲିସ ରାସ୍ତାଘାଟରେ କାର୍‌ ଚାଳକଙ୍କୁ ଅଟକାଇ ଜରିମାନା ଆଦାୟ କରୁଥିଲା।

କିନ୍ତୁ ଗତ କିଛି ବର୍ଷ ହେବ ଟ୍ରାଫିକ୍‌ ପୁଲିସ ଏହି ନିୟମ କାର୍ଯ୍ୟକାରୀ କରାଇବାରେ କୋହଳପଣ ଦେଖାଇବା ଆରମ୍ଭ କରିଛି। ଫଳରେ ପୁଣିଥରେ ଏବେ ରାଜଧାନୀରେ କଳାକାଚ କାର ଘୂରି ବୁଲିବା ଆରମ୍ଭ କଲାଣି। କେବଳ ପୁଲିସ ଅଧିକାରୀ କାହିଁକି, କେତେକ ସେଲିବ୍ରିଟି, ଯୁବନେତା, ସାମ୍ବାଦିକ ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷମାନେ ଏବେ ତାଙ୍କ କାର୍‌ରେ କଳାକାଚ ବ୍ୟବହାର କରିବା ଆରମ୍ଭ କଲେଣି। ଏବେ ଗ୍ରୀଷ୍ମ ଋତୁ ଚାଲିଥିବାରୁ ଅନେକ କାର ଚାଳକ କାଚରେ କଳା ଫିଲ୍ମ ମଧ୍ୟ ଲଗାଇଛନ୍ତି। ଯେଉଁ ପୁଲିସ ଅଧିକାରୀମାନେ ଏହି ନିୟମକୁ କାର୍ଯ୍ୟକାରୀ କରାଇବା କଥା ସେହିମାନେ ଏବେ ନିୟମ ଭାଙ୍ଗିବାକୁ ବସିଛନ୍ତି। କମିସନରେଟ ପୁଲିସର କିଛି ବରିଷ୍ଠ ଅଧିକାରୀ ସେମାନଙ୍କୁ ମିଳିଥିବା ସରକାରୀ କାର୍‌ରେ ମଧ୍ୟ କଳାକାଚ ଲଗାଇଛନ୍ତି। ଏହାଛଡ଼ା ସେମାନଙ୍କ ବ୍ୟକ୍ତିଗତ କାର୍‌ ବି ଏଥିରୁ ବାଦ୍‌ ପଡ଼ି ନାହିଁ। ଏଣେ ସାଧାରଣ ଲୋକ ଟ୍ରାଫିକ୍‌ କଟକଣା ଭିତରେ ପେସି ହୋଇ ଜରିମାନା ପରେ ଜରିମାନା ଦେଇ ଚାଲିଛନ୍ତି। କେଉଁଠି ନୋ-ହେଲମେଟ୍‌ ପାଇଁ ତ କେଉଁଠି ସିଟ୍‌ବେଲଟ୍‌ ପାଇଁ। ଏଭଳି ଏକାଧିକ ନିୟମ।

ତେବେ ଏ ସମ୍ପର୍କରେ କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜଧାନୀରେ ଆଉ କେହି କାରରେ କଳାକାଚ କିମ୍ବା କଳାଫିଲ୍ମ ଲଗାଉ ନାହାନ୍ତି। ସମସ୍ତେ ସଚେତନ ହୋଇଗଲେଣି।

ସମ୍ବନ୍ଧିତ ଖବର