ପ୍ରଶାସନ ତତ୍ପର : ରାସ୍ତା କାମ ପାଇଁ ଆରମ୍ଭ ହେଲା ମାପଚୁପ

ବାଲିପାଟଣା : ‘ବର୍ଷା ଆସିଲେ ଘାରୁଛି ଚିନ୍ତା’ ଏପରି ଏକ ଖବର ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ପ୍ରଶାସନର ଚେତା ପଶିଛି। ଏଠାରେ ପକ୍କା ରାସ୍ତା ନିର୍ମାଣ ଲାଗି ମାପଚୁପ ଆରମ୍ଭ ହୋଇଛି। ବାଲିପାଟଣା ବ୍ଲକ ହେଡ୍‌କ୍ୱାର୍ଟର୍ସଠାରୁ ମାତ୍ର ୩କିମି ଦୂରରେ ଥିବା ପମ୍ପାଲୋ ପଞ୍ଚାୟତର ସରାଟ ଶାସନ ଗାଁ। ଗାଁକୁ ଆଜି ଯାଏ ଭଲ ରାସ୍ତାଟିଏ ତିଆରି ହୋଇପାରିଲା ନାହିଁ। ଯାତାୟାତ ପାଇଁ ଯେଉଁ ରାସ୍ତାଟି ଅଛି ବର୍ଷା ଆସିଲେ ସେଥିରେ ବାଇକ୍‌ଟିଏ ବି ଯିବା କଷ୍ଟକର। ଏନେଇ ‘ସମ୍ବାଦ’ର ୩୦ ତାରିଖ ସଂସ୍କରଣରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ତତ୍ପର ହୋଇ ଉଠିଛି।

ଗାଁକୁ ସଂଯୋଗ କରୁଥିବା କେନାଲ ବନ୍ଧ ରାସ୍ତାର ଅବସ୍ଥା ବେହାଲ। ଏହା ସହ ରାସ୍ତାଟି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହ ପମ୍ପାଲୋ, ଅଠାନ୍ତର ଓ ରାଜସ ପଞ୍ଚାୟତକୁ ମଧ୍ୟ ସଂଯୋଗ କରୁଛି। ରାସ୍ତାର ଶୋଚନୀୟ ଅବସ୍ଥା ନେଇ ସ୍ଥାନୀୟ ଜନସାଧାରଣ ରାଜ୍ୟ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରାଙ୍କୁ ଅବଗତ କରିଥିଲେ। ଏହା ପରେ ଏଠାରେ ତୁରନ୍ତ ପକ୍କା ସଡ଼କ ନିର୍ମାଣ ପାଇଁ ମନ୍ତ୍ରୀ ଗ୍ରାମ୍ୟଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ପକ୍କା ରାସ୍ତା ନିର୍ମାଣ ଲାଗି ମାପଚୁପ ଆରମ୍ଭ ହୋଇଛି। ସରାଟ ଜାଗିରି ବ୍ରିଜ୍‌ଠାରୁ ସରାଟ ଶାସନ ଓ ଅଠାନ୍ତର ମେଡିକାଲ ଦେଇ ଗିରିଙ୍ଗ ମହାନ୍ତି ସାହି ପର୍ଯ୍ୟନ୍ତ ରାସ୍ତାଟିର ମାପଚୁପ କରାଯାଇଛି। ସର୍ଭେ କରୁଥିବା ଭୁବନେଶ୍ୱରର ଏକ ସଂସ୍ଥାର କର୍ମଚାରୀ ରମେଶ ମିଶ୍ରଙ୍କ କହିବା ମୁତାବକ, ଗ୍ରାମ୍ୟଉନ୍ନୟନ ବିଭାଗର ନିର୍ଦେଶରେ ପ୍ରାୟ ୬ରୁ ୭କିମି ରାସ୍ତାର ମାପଚୁପ କରୁଛୁ। ଏହାପରେ ଡିପିଆର ପ୍ରସ୍ତୁତ କରାଯାଇ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ। ଅନ୍ୟପଟେ ଗ୍ରାମ ଉନ୍ନୟନ ବିଭାଗର ଏସ୍‌ଡିଓ ପ୍ରଦୀପ ସିଂଙ୍କୁ ପଚାରିବାରୁ ସେ କହିଛନ୍ତି, ଅର୍ଥମନ୍ତ୍ରୀଙ୍କ ନିର୍ଦେଶ ପରେ ଆମେ ମାପଚୁପ କରିଛୁ। ରିପୋର୍ଟ ମିଳିବା ପରେ ଯଥାଶୀଘ୍ର ରାସ୍ତାର ଏଷ୍ଟିମେଟ୍‌ କରାଯାଇ ଟେଣ୍ଡର୍‌କୁ ପଠାଇବୁ। ରାସ୍ତାଟି ପକ୍କା ହେବାକୁ ଯାଉଥିବା ଖବର ଜଣାପଡ଼ିବା ପରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର