ରକ୍‌ ଡଟ୍‌ ଫେଷ୍ଟ୍‌

ଫୁଡ୍‌ ଫେଷ୍ଟ୍‌ରେ ହକି ତଡ଼କା

ମଞ୍ଚ ଦୁଲୁକାଉଥିଲା ହଲିଉଡ୍‌ ବିଟ୍‌ସ। ଖାଦ୍ୟ ହାଟରେ ଚୁଲାରୁ ଭାସି ଆସୁଥିଲା ଚେଁ ଚାଁ..ର ରିଦିମ୍‌। ପ୍ରଦର୍ଶନୀ ପଡ଼ିଆ ସ୍କ୍ରିନ୍‌ରେ ବେଲ୍‌ଜିୟମ-ଭାରତ ଲଢ଼େଇ ବେଳେ ସାମ୍ନାରେ ଚକା ପକେଇ ବସି ଯାଇଥିବା ଦର୍ଶକଙ୍କ ଭିଡ଼ରୁ ଭାସି ଆସୁଥିଲା କୋଳାହଳର ଧ୍ବନି। ପ୍ରଦର୍ଶନୀ ପଡ଼ିଆରୁ ମଧୁସୂଦନ ମାର୍ଗ ଯେମିତି ଏ ସ୍ବର ସହ ତାଳ ଦେଇ ଝୁମୁଥିଲା। ଆଉ ତା ସହ ମତୁଆଲା ହେଉଥିଲେ ଆବାଳ ବୃଦ୍ଧବନିତା। ଡଟ୍‌ ଫେଷ୍ଟ୍‌ ଆଜି ପାଲଟିଥିଲା ‘‌ରକ୍‌ ଡଟ୍‌ ଫେଷ୍ଟ୍‌’। ରକ୍‌ ଏନ୍‌ ରୋଲ୍‌ ନାଇଟ୍‌ରେ ଦର୍ଶକଙ୍କୁ ମତୁଆଲା କରିଥିଲେ ‘ଇଂଲିସ୍‌ ସିଙ୍ଗିଙ୍ଗ୍‌ ରିଅଲିଟି ସୋ’ର ବିଜେତା ସିଦ୍ଧାନ୍ତ ଶର୍ମା। ସି ଇଜ୍‌ ଭେରି ସେକ୍ସି ଗର୍ଲ…, ରକ୍‌ ୟୁ ଲାଇକ୍‌ ଏ ହରିକେନ୍‌…ଭଳି ଗୀତରେ ଦର୍ଶକଙ୍କୁ ନଚାଇଥିଲେ। ସିଦ୍ଧାନ୍ତଙ୍କ ମାଇକ୍‌ ଧରି ରକ୍‌ ଷ୍ଟାଇଲ୍‌ରେ ଗାଇବାର ଶୈଳୀ ଏବଂ ମଞ୍ଚ ଉପରେ ନିଜେ ନାଚି ଅନ୍ୟକୁ ନଚାଇବାକୁ ବାଧ୍ୟ କରିବାର ଷ୍ଟାଇଲ୍‌ ମନ ଜିଣି ନେଇଥିଲା। ଦର୍ଶକଙ୍କୁ ସେ ସାମ୍ନାରେ ନାଚିବା ପାଇଁ ଡାକିବା ପରେ ମଞ୍ଚ ସମ୍ମୁଖରେ ଯୁବକ ଯୁବତୀଙ୍କ ଭିଡ଼ ଜମି ଯାଇଥିଲା। ପ୍ରଶଂସକଙ୍କୁ ପାଖରେ ପାଇବା ପରେ ସିଦ୍ଧାନ୍ତ ଗୋଟେ ପରେ ଗୋଟେ ହଲିଉଡ୍‌ ହିଟ୍ସ ଭେଟି ଦେଇଥିଲେ। ଏଥିସହ ଶିବାଗ୍ନି ପକ୍ଷରୁ ପରିବେଷିତ କ୍ଲାସିକାଲ୍‌ ଓ ୱେଷ୍ଟର୍ଣ୍ଣ ମିକ୍ସ ବ୍ୟାଣ୍ଡ୍‌ ଦର୍ଶକଙ୍କ ମନୋରଂଜନ କରିଥିଲା। ଅଗ୍ନି ମିତ୍ର-ଶ୍ରୀନିବାସ ଶତପଥୀ ଓ ସାଥୀଙ୍କ ବ୍ୟାଣ୍ଡ୍‌ର ତାଳେତାଳେ ‘ପିସ୍‌ ଅଫ୍ ଜୟ’, କଲର୍ସ ଅଫ୍ ଜୟ, ଆଇରିସ୍‌ ମ୍ୟୁଜିକ୍‌ ଏବଂ ମିଶ୍ର ଭୈରବୀ ରାଗରେ ଆରବିୟାନ୍‌ ନାଇଟ୍‌ ନିଆରା ମନୋରଂଜନ ଭେଟି ଦେଇଥିଲା। ମଞ୍ଚରେ ଅନ୍ୟତମ ଆକର୍ଷଣ ସାଜିଥିଲେ ଇଣ୍ଡିଆନ୍‌ ଡ୍ୟାନ୍ସିଂ ସୁପରଷ୍ଟାର୍‌ ୨୦୧୩ର ରନର୍ସଅପ୍ ପଦ୍ମିନୀ ଓ ଦେବାଶିଷ। ନିଜର ଆକ୍ରୋବେଟିକ୍‌ ନୃତ୍ୟ ଶୈଳୀରେ ‘ମେରେ ଜୈସା ଢୁଣ୍ଡ୍‌କେ ଲା…ଗୀତରେ ନୃତ୍ୟ ପରିବେଷଣ କରି ଚମକ ଭରିଥିଲେ। ଗୁନ୍‌ଗୁନ୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଫୁଡ୍‌ ଫେଷ୍ଟ୍‌ରେ ହକି ତଡ଼କା
ରବିବାର ଥିବାରୁ ଆଜି ଖାଦ୍ୟ ହାଟ ଲୋକାରଣ୍ୟ ହୋଇଥିଲା। ସପରିବାରେ ସମସ୍ତେ ଯେମିତି ଏଇଠି ରାତ୍ରିଭୋଜନ କରିବାକୁ ମନସ୍ଥ କରି ନେଇଥିଲେ। ତେବେ ଏହି ପରିସରରେ ଖାଦ୍ୟ ଆସର ଯେତିକି ଜମୁଥିଲା, ତା’ଠୁ ଅଧିକ ରୋଚକ ଅନୁଭବ ଦେଉଥିଲା ଏହି ପରିସରରେ ଲାଗିଥିବା ୨ଟି ସ୍କ୍ରିନ୍‌ରେ ଭାରତ-ବେଲ୍‌ଜିୟମ ହକି ବିଶ୍ବକପ୍‌ ମ୍ୟାଚ୍‌। ଅନେକ ଚକା ପକେଇ ବସି ଯାଇଥିବା ବେଳେ କିଛି ବ୍ୟକ୍ତି ଛିଡ଼ା ହୋଇ ଭାରତକୁ ଚିଅରଅପ୍ କରିବାର ଦୃଶ୍ୟ ଆକର୍ଷଣ ସାଜୁଥିଲା। ଗରମା ଗରମ ଖାଦ୍ୟ ଖାଇବା ସହ ଏକାଠି ହଜାର ହଜାର ସଂଖ୍ୟାରେ ଭାରତର ରୋମାଞ୍ଚକ ମ୍ୟାଚ୍‌କୁ ଉପଭୋଗ କରିବା ନିଆରା ମଜା ଦେଇଥିଲା।

ରକ୍‌ ବ୍ୟାଣ୍ଡ୍‌ ଧରିଲାନି…
ଡଟ୍‌ ଫେଷ୍ଟ୍‌ ମଞ୍ଚରେ ଆଜି ରକ୍‌ ସୋ’ ଦେଖିବାକୁ ମିଳିଥିଲା। ମାତ୍ର ଏହା ଦର୍ଶକଙ୍କୁ ବାନ୍ଧି ରଖି ପାରିନଥିଲା। ହଲିଉଡ୍‌ ସଂଗୀତରେ ରୁଚି ରଖୁଥିବା ଯୁବବର୍ଗଙ୍କୁ ଛାଡ଼ିଦେଲେ ଅନ୍ୟ ଚେୟାରଗୁଡ଼ିକ ଫାଙ୍କା ରହିଥିଲା। ତେଣୁ ସିଦ୍ଧାନ୍ତ ଦର୍ଶକଙ୍କୁ ମଞ୍ଚ ସାମ୍ନାକୁ ଡାକିଥିଲେ। ମାତ୍ର କିଛି ସମୟ ଯାଏଁ କେହି ନଆସିବାରୁ ସିଦ୍ଧାନ୍ତ ଦୁଃଖ ପ୍ରକାଶ କରିଥିଲେ। ବାରମ୍ବାର ସିଦ୍ଧାନ୍ତଙ୍କଠାରୁ ଡାକରା ପାଇ ଯୁବବର୍ଗ ସାମ୍ନାକୁ ଚାଲି ଆସିଥିଲେ। ସୀମିତ ଦର୍ଶକ ଥିଲେ ହେଁ ସୋ’ ପୂରା ଜମି ଯାଇଥିଲା।

ଆଜି ଲାଲ୍‌ପରୀ ମସ୍ତାନି
ଆଜି ମଞ୍ଚରେ ଲାଲ୍‌ ପରୀ ମସ୍ତାନି ଲାଇଭ୍‌ ମ୍ୟୁଜିକ୍‌ କନ୍‌ସର୍ଟ ଉପଭୋଗ କରିବାର ସୁଯୋଗ ମିଳିବ। ସୋନା ମହାପାତ୍ରଙ୍କ ସଂଗୀତର ତାଳେତାଳେ ଝୁମିବାର ଅବସର ଆଣିଦେବ। ଆସନ୍ତା ୪ ତାରିଖରେ ଜମିବ ଫୋକ୍‌ ସ୍କେପ୍‌ ଫେଷ୍ଟ୍‌। ସନ୍ଧ୍ୟା ଲୋକନୃତ୍ୟ ଓ ସଂଗୀତ ପାଇଁ ସମର୍ପିତ ହେବ।

ସମ୍ବନ୍ଧିତ ଖବର