ବାର୍ଡ ଫ୍ଲୁ ଭୟ, ୫ ବ୍ଲକ୍ ପାଇଁ ଆର୍‌ଆର୍‌ଟି ଗଠନ

ଭୁବନେଶ୍ବର: ବ୍ରହ୍ମଗିରିରେ ବାର୍ଡ ଫ୍ଲୁ ଆଶଙ୍କାକୁ ନଜରରେ ରଖି ରାଜଧାନୀରେ ‌ପ୍ରତିଷେଧମୂକଳ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଅଞ୍ଚଳରେ ବାର୍ଡ ଫ୍ଲୁ ଘଟଣା ନଜରକୁ ଆସିଲେ ସଙ୍ଗେ ସଙ୍ଗେ ରାପିଡ୍‌ ରେସପନ୍‌ସ ଟିମ୍ ବା ଆରଆରଟି ସେହି ସ୍ଥାନକୁ ଯାଇ ଏହାର ଯାଞ୍ଚ କରିବେ। ଏହାସହ ପୁରୀରୁ ରାଜଧାନୀ ଆଡ଼କୁ କିମ୍ବା ରାଜଧାନୀରୁ ପୁରୀ ଆଡ଼କୁ କୁକୁଡ଼ା ଓ ଅଣ୍ଡା ଚାଲାଣ ଉପରେ କଟକଣା କରାଯାଇଥିବା ଜଣାପଡ଼ିଛି। ଏସ୍‌ଡିଭିଓ ଡା.ହରେକୃଷ୍ଣ ସାହୁଙ୍କ ସୂଚନା ଅନୁଯାୟୀ, ଆରଆରଟିରେ ଜଣେ ଡାକ୍ତର, ଏଲଆଇ, ଆଟେଣ୍ଡାଣ୍ଟ ଓ ସ୍ଥାନୀୟ ବ୍ଲକ୍‌ର ନୋଡାଲ ଅଧିକାରୀ ଏହାର ସୁପରଭାଇଜର୍‌ ଅଛନ୍ତି। ୫ଟି ବ୍ଲକ୍‌ରେ ୫ଟି ଟିମ୍ ଗଠନ ହୋଇଛି। ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସମସ୍ତ ବ୍ଲକ୍‌କୁ ଏଥିପାଇଁ ଚିଠି କରାଯାଇଛି। କେଉଁ ପରିସ୍ଥିତିରେ ବାର୍ଡ ଫ୍ଲୁ ବ୍ୟାପେ କିମ୍ବା କାହାକୁ ବାର୍ଡ ଫ୍ଲୁ ବୋଲି ‌ବିବେଚନା କରାଯିବ ତାହା ବୁଝାଇ ଦିଆଯାଇଛି। ଯଦି କୌଣସି ଅଞ୍ଚଳରେ ଗୋଟିଏ/ଦୁଇଟି କାଉ ମରି ପଡ଼ିଥିବା ଦେଖାଯାଏ ତେବେ ତାହାକୁ ପୋତିଦେବା କିମ୍ବା ଜାଳି ଦେବାକୁ ନିର୍ଦେଶ ଦିଆଯାଇଛି। କିଛିଦିନ ଧରି ଯଦି କାଉ ମରି ପଡ଼ିଥାଏ ତେବେ ତାହାର ନମୁନା ସଂଗ୍ରହ ନ କରିବାକୁ କୁହାଯାଇଛି। ଗାଇଡଲାଇନ୍‌କୁ ଅନୁକରଣ କରିବା ପାଇଁ କୁହାଯାଇଛି। ଯଦି କୌଣସ ଅଞ୍ଚଳରେ ବାର୍ଡ ଫ୍ଲୁ ଥିବା ଘୋଷଣା କରାଯାଏ ତେବେ ଏହାର ଆଖପାଖ ଅଞ୍ଚଳରେ ଯେପରି ଏହା ନ ବ୍ୟାପିବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ତେବେ ଏହି ଭାଇରସ୍‌ କେବଳ କୁକୁଡ଼ା ମଧ୍ୟରେ ଏ ପର୍ଯ୍ୟନ୍ତ ସୀମିତ ରହିଥିବା ଦେଖାଯାଇଛି। ତା ଅର୍ଥ ନୁହେଁ ଯେ, ଏହା ମନୁଷ୍ୟ ଶରୀରକୁ ଆସିବ ନାହିଁ। ତେଣୁ ରାଜଧାନୀରେ ବାର୍ଡ ଫ୍ଲୁକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ରସୁଲଗଡ଼ରେ ମଲା ପାରା
ଶୁକ୍ରବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ମଲା କାଉ ନଜରକୁ ଆସିଥିବା ବେଳେ ଆଜି ରସୁଲଗଡ଼ରେ ଥିବା ଏକ ବ୍ୟାଙ୍କର ଛାତ ଉପରେ ପାରା ମରିଥିବା ଦେଖିବାକୁ ମିଳିଛି। ଦୁଇଦିନ ଧରି ରାଜଧାନୀରେ କାଉ ମରିବା ଖବର ନଜରକୁ ଆସିବା ପରେ ଏହାକୁ ବାର୍ଡ ଫ୍ଲୁ ଜନିତ ମୃତ୍ୟୁ ବୋଲି ଆଶଙ୍କା କରାଯାଉଛି। ତେବେ ପ୍ରାଣୀ ଚିକିତ୍ସିକମାନେ ଏହା ବାର୍ଡ ଫ୍ଲୁ ଜନିତ ମୃତ୍ୟୁ ‌ନୁହେଁ ବୋଲି କହୁଛନ୍ତି। ଏସ୍‌ଡିଭିଓ ଡା.ହରେକୃଷ୍ଣ ସାହୁଙ୍କ କହିବାନୁଯାୟୀ, ଯଦି ଗୋଟିଏ ସ୍ଥାନରେ ଗୋଟିଏ/ଦୁଇଟି କାଉ ମରିଥିବା ଦେଖାଯାଇଥାଏ ତେବେ ଏହାର ଅନେକ କାରଣ ହୋଇପାରେ। ଥଣ୍ଡା ପାଗ କିମ୍ବା ବିଦ୍ୟୁତ ତାର ଲାଗି ହୁଏତ ମରିଥାଇ ପାରନ୍ତି। ‌ଯଦି ବସା ବାନ୍ଧି ରହିଥିବା ସ୍ଥାନରେ ଯଦି ୧୫/୨୦ ପ୍ରତିଶତ କାଉ ଏକାଥରକେ ମରିଥାଏ ଦେଖାଯାଏ ଓ ନିୟମିତ ବ୍ୟବଧାନରେ କାଉମାନେ ମରିବାକୁ ବାର୍ଡ ଫ୍ଲୁ ବୋଲି ଧରାଯାଏ। ପାରିକୁଦ/ମାଲୁଦ ରାଜଧାନୀଠାରୁ ୧୦୦ କି.ମି ଦୂରରେ ରହିଛି। ତେବେ ଯେଉଁ ରାଜ୍ୟରେ ଥରେ ବାର୍ଡ ଫ୍ଲୁ ଦେଖା ଦେଇଥାଏ ସେଠାରେ ଆଉ ଥରେ ବାର୍ଡ ଫ୍ଲୁ ହେବାର ଅଧିକ ଆଶଙ୍କା ରହିଛି। ତେବେ ରାଜଧାନୀରେ ବାର୍ଡ ଫ୍ଲୁ ନେଇ କୌଣସି ପ୍ରକାର ସ୍ଥିତି ଉପୁଜି ନାହିଁ ବୋଲି ଡା.ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର