ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ଇ-ପ୍ରିଜନ୍‌ ବ୍ୟବସ୍ଥା, ମଞ୍ଜୁର ହେଲା ୬ କୋଟି

ଭୁବନେଶ୍ବର : ଦୁଇବର୍ଷ ଧରି ପଡ଼ି ରହିଥିବା ଇ-ପ୍ରିଜନ୍‌ ବ୍ୟବସ୍ଥା ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ରାଜ୍ୟ ସରକାର ଏଥିପାଇଁ ଚଳିତ ମାସ ୬ କୋଟି ଟଙ୍କା ପ୍ରାଥମିକ ପର୍ଯ୍ୟାୟରେ ମଞ୍ଜୁର କରିଛନ୍ତି। ପ୍ରକଳ୍ପର ୨୫ପ୍ରତିଶତ ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ବାକି ୭୫ ପ୍ରତିଶତ କାର୍ଯ୍ୟକ୍ଷମ ହେବ। ପ୍ରାଥମିକ ପର୍ଯ୍ୟାୟରେ ମଣ୍ଡଳ ଓ ଜିଲ୍ଲା କାରାଗାରରେ ଏହି ଇ-ପ୍ରିଜନ୍‌ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ଏହି ଯୋଜନାରେ କାରାଗାର ପରିଚାଳନା ସହ ଅନ୍ତେବାସୀ ଓ ଜାମିନ୍‌ରେ ମୁକୁଳୁଥିବା ଅଭିଯୁକ୍ତମାନଙ୍କ ତଥ୍ୟ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। ଫଳରେ କେଉଁ ଅଭିଯୁକ୍ତ ନାମରେ ‌କେତେ ଅଭିଯୋଗ ରହିଛି, କେଉଁ ପ୍ରକାରର ଅପରାଧରେ ଅଭିଯୁକ୍ତ ସଂଶ୍ଳିଷ୍ଟ ରହିଛି, ପୂର୍ବରୁ କେତେଥର ଦୋଷୀ ସାବ୍ୟସ୍ତ ହୋଇସାରିଛି; ଏଭଳି ସମସ୍ତ ପ୍ରକାରର ତଥ୍ୟ ଗୋଟିଏ କ୍ଲିକ୍‌ରେ ଉପଲବ୍ଧ ହେବ। ଅଭିଯୁକ୍ତ ଓ ଅପରାଧୀମାନଙ୍କ ତଥ୍ୟକୁ ଅନ୍‌ଲାଇନ୍‌ରେ କାରାଗାର-କୋର୍ଟ-ପୁଲିସ ହାସଲ କରିପାରିବେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏହା ଏକ ମିଳିତ ଯୋଜନା। ୨୦୦୫ ମସିହାରୁ କଏଦୀଙ୍କ ତଥ୍ୟ ସର୍ଭର୍‌ରେ ଅପ୍‌ଲୋଡ୍‌ କରାଯିବ। ଏଥିରେ ବିଚାରାଧୀନ ଓ ଦଣ୍ଡ ଭୋଗୁଥିବା କଏଦୀ ଏବଂ ତାଙ୍କ ପରିବାରବର୍ଗଙ୍କ ସବି‌ଶେଷ ବିବରଣୀ, ସୂଚନା, ଆପରାଧିକ ରେକର୍ଡ, ଦଣ୍ଡାଦେଶର ବିବରଣୀ, ଫିଙ୍ଗର୍‌ ପ୍ରିଣ୍ଟ, ଫଟୋ, ସ୍ବାସ୍ଥ୍ୟଗତ ସୂଚନା ଉପଲବ୍ଧ ହେବ। ତା’ ସହ କାରାଗାର ପରିଚାଳନାଗତ ବିବରଣୀ ମଧ୍ୟ ଅପ୍‌ଲୋଡ୍‌ କରାଯିବ। ଫଳରେ କଏଦୀଙ୍କ ସ୍ଥିତି ସମ୍ବନ୍ଧରେ ସମସ୍ତ ତଥ୍ୟ ଉପଲବ୍ଧ ହେବା ସହ କାରାଗାର ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇ ପାରିବ। ଏହାଦ୍ବାରା ପରିଚାଳନାଗତ ତ୍ରୁଟି ଓ ଆଭ୍ୟନ୍ତରୀଣ ସମସ୍ୟାର ସରଳ ସମାଧାନ କରାଯାଇପାରିବ। ଯେକୌଣସି ସମୟରେ ପୁଲିସ, କାରାଗାର ଓ କୋର୍ଟ ଏମାନଙ୍କର ତଥ୍ୟ ଅନ୍‌ଲାଇନ୍‌ରେ ପାଇପାରିବେ। ଏଥିପାଇଁ ଏକ ସର୍ଭିସ ପ୍ରୋଭାଇଡର୍‌ ସହାୟତାରେ ୧୨୪ଜଣ କର୍ମଚାରୀ ନିଯୁକ୍ତି ନେବେ। ଏମାନେ ପୁରୁଣା ଡାଟା ଅପ୍‌ଡେଟ୍‌ କରିବେ। ପୂର୍ବରୁ କେ‌ତେକ ଜେଲ୍‌ ୱାର୍ଡର୍‌ ଏ ବାବଦରେ ପ୍ରଶିକ୍ଷଣପ୍ରାପ୍ତ ହୋଇଥିବା ବେଳେ ଏବେ ଆଉ କିଛି ୱାର୍ଡର୍‌ଙ୍କୁ ପ୍ରଶିକ୍ଷଣ ଦିଆଯିବ। ୱାର୍ଡର୍‌ମାନେ ଦୈନନ୍ଦିନର ନୂଆ ତଥ୍ୟ ଅପଲୋଡ୍‌ କରିବେ।

ଏଥିପାଇଁ ୬ଶହ କମ୍ପ୍ୟୁଟର୍‌, ୧୬ ଲାପ୍‌ଟପ୍‌, ପ୍ରିଣ୍ଟର, ଫିଙ୍ଗର ପ୍ରିଣ୍ଟ ସ୍କାନର, ସିସିଟିଭି କ୍ୟାମେରା, ମୁଖ୍ୟାଳୟରେ ବରି‌ଷ୍ଠ ଅଧିକାରୀଙ୍କ ବ୍ୟବହାର ପାଇଁ ୪ଟି ଲେଖାଏଁ ଅତ୍ୟାଧୁନିକ କମ୍ପ୍ୟୁଟର ଓ ଲାପ୍‌ଟପ୍‌ କିଣାଯିବା ବ୍ୟବସ୍ଥା ଅଛି। ୨ବର୍ଷ ଧରି ଏହି ଯୋଜନା କାର୍ଯ୍ୟକ୍ଷମ ନ ହେବାରୁ କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ୩ କୋଟି ୩୮ଲକ୍ଷ ଟଙ୍କାର ଅନୁଦାନ ଫେରି ଯାଇଥିଲା। ଏନ୍‌ଆଇସି(ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର)ର ଦୋଷ ଦେଇ ବିଭାଗ ଖସି ଯାଇଥିଲା। ଜେଲ୍‌ ପରିସରକୁ ଲ୍ୟାନ୍‌(ଲୋକାଲ୍‌ ଏରିଆ ନେଟ୍‌ୱାର୍କ) ସଂଯୋଗ ଦିଆଯାଇ ପାରି ନଥିବାରୁ ପ୍ରକଳ୍ପ ଅଟକି ରହିଥିବା ବିଭାଗ ଦର୍ଶାଇଥିଲା। ଏ ନେଇ ଡିଜି (କାରାଗାର) ସତ୍ୟଜିତ ମହାନ୍ତି କହିଛନ୍ତି, ଡିସେମ୍ବର ସୁଦ୍ଧା ଆମ‌େ ପ୍ରକଳ୍ପର ୨୫ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ଯାଉଛୁ। ସିମର୍ଟିକାଲ ବ୍ୟାଣ୍ଡୱିଥ୍‌, ଲ୍ୟାନ୍‌ ସଂଯୋଗ ଓ ବ୍ରଡ୍‌ବ୍ୟାଣ୍ଡ ଭିପିଏନ୍‌ ସଂଯୋଗ ପାଇଁ ଏନ୍‌ଆଇଏସ୍‌ଜି, ବିଏସ୍‌ଏନ୍‌ଏଲ୍‌ ଓ ଓକାକ୍‌ ସହ ଯୋଗାଯୋଗ କରାଯାଇଛି।

ସମ୍ବନ୍ଧିତ ଖବର