୭କୋଟି ନକଲି ଟଙ୍କା ଜବତ ଘଟଣା : ରିମାଣ୍ଡରେ ଆସିବ ପ୍ରଭାତ

ପୁଲିସ୍‌ କିଣିଲା ଟଙ୍କା ଗଣା ମେସିନ୍, ଠକେଇର ଶିକାର ହୋଇଥିଲେ ତୁରନ୍ତ ଅଭିଯୋଗ କରନ୍ତୁ

ଭୁବନେଶ୍ୱର : ମୂଳଧନରୁ ୪ ଗୁଣା ଅଧିକ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ବହୁ ଲୋକଙ୍କୁ ନକଲି ଟଙ୍କା ଦେଇ ଠକୁଥିବା ଏକ ରୢାକେଟ୍‌ର ପର୍ଦ୍ଦାଫାସ୍‌ କରିଛି କମିସନରେଟ୍‌ ପୁଲିସ। ଗତ ୧୮ ତାରିଖରେ ବୁଦ୍ଧେଶ୍ବରୀ ପୁରୁଣା ପୋଷ୍ଟ ଅଫିସ୍‌ ଲେନ୍‌ରୁ ପୁଲିସ ଏହି ରୢାକେଟ୍‌ର ୨ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ସେମାନେ ହେଲେ, ଯାଜପୁର ବିଞ୍ଝାରପୁର ରୁଦ୍ରପୁରର ରାଜେନ୍ଦ୍ର ଦାସ, ଓ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା କାଙ୍କୁଆ ଥାନା ନନ୍ଦନପୁରର ପ୍ରଦୀପ ମାଇତି। ସେମାନଙ୍କୁ ପଚରାଉଚରା କରି ପୁଲିସ ଆଜି ଏହି ରୢାକେଟ୍‌ର ଆଉ ଜଣେ ସଦସ୍ୟ ପ୍ରଭାତ କୁମାର ସାହୁକୁ ଏୟାର‌ଫିଲ୍ଡ ଥାନା ଅଧୀନ ପୋଖରୀପୁଟ ଅଞ୍ଚଳରୁ ଗିରଫ କରିଛି। ତେବେ ପୁଲିସ ତା’ ଘର ଛାନଭିନ୍‌ କଲା ବେଳେ ପାଖାପାଖି ୭ କୋଟି ନକଲି ଟଙ୍କା, ୭ଲକ୍ଷ ୨୬ ହଜାର ଟଙ୍କା, ୧୦୫ଟି ନକଲି ସୁନା‌ ବିସ୍କୁଟ, କାର ଜବତ କରିଛି। ଏତେଗୁଡ଼ାଏ ଟଙ୍କା ଦେଖି ପୁଲିସର ହୋସ୍‌ ଉଡ଼ି ଯାଇଥିଲା। ରାଜଧାନୀକୁ ଏତେ ପରିମାଣର ନକଲି ଟଙ୍କା କୁଆଡ଼ୁ ଆସିଲା, ତାହା ଖୋଜି ବାହାର କରିବା ଏବେ ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ତେଣୁ ପ୍ରଭାତକୁ ରିମାଣ୍ଡରେ ଆଣିବା ପାଇଁ ପୁଲିସ ଯୋଜନା କରିଛି।

ପ୍ରଭାତକୁ ପଚରା ଉଚରା କରିବା ବେଳେ ସେ ପୁରୀରେ ଜଣଙ୍କୁ ଏଭଳି ଉପାୟରେ ୧୦ ଲକ୍ଷ ଓ ଢେଙ୍କାନାଳରେ ୧୨ଲକ୍ଷ ଟଙ୍କା ଠକେଇ କରିଥିବା ସ୍ବୀକାର କରିଛି। ତେଣୁ ଏହି ଗ୍ୟାଙ୍ଗ୍ ରାଜ୍ୟର ବିଭିନ୍ନ ସ୍ଥାନରେ ଠକେଇ କରିଥିବା ସନ୍ଦେହ କରାଯାଉଛି। ତେଣୁ ପ୍ରଭାତଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା କରାଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଏହି ଗ୍ୟାଙ୍ଗ ୨୦୧୨ ମସିହାରେ ପୁରୀ ପୁଲିସ ହାତରେ ଧରାପଡ଼ିଥିଲେ। ଏହାଛଡ଼ା ସେମାନଙ୍କ ନାମରେ ରାଜ୍ୟ ବାହାରେ ମଧ୍ୟ ଠକେଇ ମାମଲା ରହିଛି।

ପୁଲିସ୍‌ କିଣିଲା ଟଙ୍କା ଗଣା ମେସିନ୍
ଆଜି ସକାଳୁ ସକାଳୁ ପୁଲିସ ଏତେ ଗୁଡ଼ାଏ ଟଙ୍କା ଦେଖି ବାଉଳା ହୋଇଯାଥିଲା। ନକଲି ଟଙ୍କା ମଧ୍ୟ ଏକଦମ୍‌ ଅସଲି ଭଳି ଦେଖା ଯାଉଥିଲା। ଏତେଗୁଡ଼ିଏ ଟଙ୍କାକୁ ଗଣିବ କିଏ। ସମୟ ମଧ୍ୟ ଢେର୍‌ ଲାଗିବ। ଶେଷର ପୁଲିସ ବାଧ୍ୟ ହୋଇ ଏକ ଟଙ୍କା ଗଣା ମେସିନ କିଣିଲା। ଏହି ମେସିନରେ ମାଧ୍ୟମରେ ଟଙ୍କା ଗଣା ଯାଇଥିଲା। କିନ୍ତୁ ପରେ ଯେତେବେଳେ ଜାଣିଲା ଏହି ଟଙ୍କା ସବୁ ନକଲି ବୋଲି ପୁଲିସ ଅକଲ ଗୁଡୁମ ହୋଇ ଯାଇଥିଲା।

କେଉଁଠୁ ଆଣିଲେ ଏତେ ନକଲି ନୋଟ୍‌?
ଏତେଗୁଡ଼ିଏ ନକଲି ଟଙ୍କା ଜବତ କରିବା କମିସନରେଟ ପୁଲିସ ଇତିହାସରେ ପ୍ରଥମ। ଲକ୍ଷେ କିମ୍ବା ୫ ଲକ୍ଷ ନୁହେଁ, ଏକାବେଳକେ ୭ କୋଟି ଟଙ୍କା ନକଲି। ତାହା କେବଳ ୨ ହଜାର ଓ ୫ଶହ ଟଙ୍କିଆ। ତେବେ ଏତେଗୁଡିଏ ନକଲି ଟଙ୍କା ଆସିଲା କେଉଁଠୁ? ଏହି ନକଲି ଟଙ୍କା ଭୁବନେଶ୍ବରରେ ଖେଳି ଯାଇ ନାହିଁ ତ ? କିଏ ପ୍ରଭାତକୁ ନକଲି ଟଙ୍କା ଯୋଗାଇଥିଲା? ଏସବୁର ମଧ୍ୟ ତଦନ୍ତ କରିବାକୁ ପୁଲିସ ଯୋଜନା କରିଛି।

ଠକେଇର ଶିକାର ହୋଇଥିଲେ ତୁରନ୍ତ ଅଭିଯୋଗ କରନ୍ତୁ
ଆଜି ଡିସିପି ଶ୍ରୀ ସାହୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି, ଯଦି କେହି ଏହି ଠକ ରୢାକେଟର ହାବୁଡ଼ରେ ପଡ଼ି ଠକେଇର ଶିକାର ହୋଇଛନ୍ତି, ତୁରନ୍ତ ସେମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରନ୍ତୁ। ପୁଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିବ।

ସମ୍ବନ୍ଧିତ ଖବର