ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଉଠୁଛି ପଡ଼ୁଛି ଆର୍‌ଟିଓ ଅଫିସ

୧୦ ଦିନରେ ୧୨ ହଜାର ଆବେଦନ, ଶୋଷୁଛନ୍ତି ଦଲାଲ

ଅଫିସ ଗେଟ୍‌ ପାଖରୁ ଅଧ ରାସ୍ତା ପର୍ଯ୍ୟନ୍ତ ଲମ୍ବିଛି ବାଇକ୍ ଧାଡ଼ି। କାଉଣ୍ଟରରୁ ଗେଟ୍‌ ପର୍ଯ୍ୟନ୍ତ ତିନିଟି ଧାଡ଼ିରେ ଶହଶହ ଲୋକ ଛିଡ଼ା ହୋଇଛନ୍ତି। ହାତରେ ମାଟ୍ରିକ୍‌ ସାର୍ଟିଫିକେଟ୍‌ରୁ ଆରମ୍ଭ କରି ପୁଳାଏ ଫର୍ମ ଆଉ ଡକୁମେଣ୍ଟ। କାହା କାଖରେ ତିନି ବର୍ଷର ଛୁଆ ତ କାହା ହାତ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି ୬୫ ବର୍ଷର ବୁଢ଼ା ବାପା। ଧାଡ଼ିରୁ ଥରେ ବାହାରିଲେ ଆଉ ପଶିବାର ସମ୍ଭାବନା ନାହିଁ। ତେଣୁ ଯେତେ କଷ୍ଟ ହେଉ ପଛେ, ଝାଳନାଳ ପୋଛି ଧାଡ଼ିରେ ଏକଗୋଡ଼ିକିଆ ଛିଡ଼ା ହୋଇଛନ୍ତି ଶହଶହ ଲୋକ। ଯିଏ ଧାଡ଼ିରେ ନାହାନ୍ତି ସେଥିରୁ ଅଧିକାଂଶ କାଗଜପତ୍ର ଧରି ଦଲାଲ୍‌ ପଛରେ ବୁଲୁଛନ୍ତି।

ଆଜି ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ବର ଆର୍‌ଟିଓ-୧ ଏବଂ ଆର୍‌ଟିଓ-୨ କାର୍ଯ୍ୟାଳୟରେ। ଭୁବନେଶ୍ବରରେ ଆର୍‌ଟିଓ ଅଫିସ ଖୋଲିବା ଦିନରୁ ଏମିତିଆ ଅସମ୍ଭାଳ ଭିଡ଼ କେବେ ଦେଖିବାକୁ ମିଳିନଥିଲା। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜଧାନୀରେ କିଛି ଗାଡ଼ି ଚାଳକଙ୍କଠାରୁ ଯେଉଁଭଳି ମୋଟା ଅଙ୍କର ଜରିମାନା ଆଦାୟ ହେଲା ତାହାକୁ ଦେଖି ଏବେ ରାଜଧାନୀବାସୀ ଛାନିଆ ହୋଇଯାଇଛନ୍ତି। ଗାଡ଼ି ଚଢ଼ିବା ପୂର୍ବରୁ ସବୁ ଡକୁମେଣ୍ଟ ପ୍ରସ୍ତୁତ କରିବାକୁ ଆର୍‌ଟିଓ ଅଫିସ ସମ୍ମୁଖରେ ଲମ୍ବା ଧାଡ଼ି ଲଗାଇଛନ୍ତି। କିଏ ଲାଇସେନ୍ସ ଆବେଦନ କରିବାକୁ ଆସିଛି ତ କିଏ ଲାଇସେନ୍ସ ନବୀକରଣ କରିବାକୁ, କିଏ ଗାଡ଼ିର ଫିଟନେସ୍ ସାର୍ଟିଫିକେଟ୍‌ ନେବାକୁ ଆସିଛି। କିନ୍ତୁ ସବୁଠୁ ଅଧିକ ଭିଡ଼ ଏବେ ଲାଇସେନ୍ସ ଆବେଦନ ପାଇଁ। ସ୍ଥିତି ଏପରି ହୋଇଛି ଯେ ଆର୍‌ଟିଓ ଅଫିସ ଉଠୁଛି ପଡ଼ୁଛି। ଗତ ସପ୍ତାହେ ହେଲା ରାଜଧାନୀର ଦୁଇଟିଯାକ ଆର୍‌ଟିଓ ଅଫିସରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥିତି ପରଖିଥିଲା ‘ସମ୍ବାଦ’ ଟିମ୍।
ରିପୋର୍ଟ: ବିବୁଧ ମହାନ୍ତି, ହିତେଶ ନାୟକ
ଫଟୋ: ବିଭୂତି

ବ୍ଲଡ୍‌ ଗ୍ରୁପ୍‌ ସାର୍ଟିଫିକେଟ୍‌ ଠିକ୍‌ ତ!
ଲାଇସେନ୍ସ ଆବେଦନ ପତ୍ରରେ ଆବେଦନକାରୀଙ୍କର କେଉଁ ଗ୍ରୁପ୍‌ର ବ୍ଲଡ୍‌ ତାହା ଲେଖିବାକୁ ପଡ଼ିଥାଏ। ଯଦି ଆବେଦନକାରୀ ବ୍ଲଡ୍‌ର ଗ୍ରୁପ୍‌ ଜାଣିଥିବେ ତେବେ ଲେଖିଦେଲେ ଚଳିବ। କିନ୍ତୁ ଅଧିକାଂଶ ଲୋକ ଜାଣିନଥିବାରୁ ଆର୍‌ଟିଓ ଅଫିସ ସମ୍ମୁଖରେ ବ୍ଲଡ୍ ଗ୍ରୁପିଂ କରୁଥିବା ଲୋକଙ୍କଠାରୁ ବ୍ଲଡ୍‌ର ଗ୍ରୁପ୍ ଲେଖାଥିବା ସାର୍ଟିଫିକେଟ୍‌ ଲେଖିକି ଆଣୁଛନ୍ତି। ହେଲେ ଏତେ ସଂଖ୍ୟାରେ ଲୋକ ଆବେଦନ କରୁଛନ୍ତି ଯେ ବ୍ଲଡ୍‌ ଗ୍ରୁପିଂ କରୁଥିବା ଲୋକ କାହାକୁ କ’ଣ ସାର୍ଟିଫିକେଟ୍ ଦେଉଛନ୍ତି ଜଣାପଡ଼ୁନି। ଏପଟେ କିଛି ଦଲାଲ୍‌ ମନଇଚ୍ଛା ବ୍ଲଡ୍ ଗ୍ରୁପ୍ ପକାଇ ଦେଉଥିବା ଦେଖିବାକୁ ମିଳୁଛି। ତେଣେ ଯେଉଁ ଉଦ୍ଦେଶ୍ୟରେ ଡ୍ରାଇଭିଂ ଲାଇସେନ୍ସରେ ବ୍ଲଡ୍‌ ଗ୍ରୁପ୍ ଲେଖାଯାଉଛି ତାହା ସାଧନ ହେବ ତ ବୋଲି ପ୍ରଶ୍ନ ଉଠିଲାଣି।

୧୦ ଦିନରେ ୧୨ ହଜାର ଆବେଦନ
ଦୁଇଟି ଆରଟିଓରେ ଲାଇସେନ୍ସ ପାଇଁ ଆବେଦନକାରୀଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଛି। ଗତ ୧୦ ଦିନରେ ଆରଟିଓ-୧ରେ ଲର୍ଣ୍ଣର୍ସ ଲାଇସେନ୍ସ ପାଇଁ ୮୩୬୬ ଆବେଦନ ଆସିଥିବା ବେଳେ ଆରଟିଓ-୨ରେ ୩୮୦୦ ଆବେଦନ ଆସିଛି। ଏଭଳି ମୋଟ ୧୨ ହଜାର ୧୬୬ ଆବେଦନ ଆସିଛି। ପୂର୍ବରୁ ମାସକୁ ୭ ହଜାର ଆବେଦନ ଆସୁଥିବା ବେଳେ ଏବେ ୧୦ଦିନରେ ୧୨ହଜାର ଆବେଦନ ଆସିଛି। ସେହିଭଳି ଗାଡ଼ି ଚାଳନା ଲାଇସେନ୍ସ ଆରଟିଓ-୧ରେ ୨୧୪୪ ଆବେଦନ ହୋଇଥିବା ବେଳେ ଆରଟିଓ-୨ରେ ୮୫୦ ରହିଛି। ପରିସଂଖ୍ୟାନକୁ ତର୍ଜମା କଲେ ଏହା ସ୍ପଷ୍ଟ ହେଉଛି ଯେ ନୂଆ ମୋଟର ଯାନ ଆଇନ କାର୍ଯ୍ୟକ୍ଷମ ପୂର୍ବରୁ ଆବେଦନର ସଂଖ୍ୟା ଦିନକୁ ୧୫୦ରୁ ୧୭୦ ଥିବା ବେଳେ ଏବେ ୧୦ଦିନ ଭିତ‌ରେ ଏହା ଦିନକୁ ହାରାହାରି ୧୨୦୦ ଛୁଇଁଛି।

ଲାଇସେନ୍ସ ନବୀକରଣ ହୋଇପାରୁନି
‘ସାରଥୀ’ ଆପ୍‌ରେ ଦେଖାଦେଇଛି ସମସ୍ୟା। ଏକସଙ୍ଗେ ଅଧିକ ଆବେଦନ ହେଉଥିବାରୁ ସର୍ଭର ଡାଉନ୍ ହୋଇଯାଇଛି। ଫଳରେ ଲୋକଙ୍କ ଲାଇସେନ୍ସ ନବୀକରଣ ହୋଇପାରୁନି। ନବୀକରଣ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା (ଅବଧି ସରିବାର ବର୍ଷକ ମଧ୍ୟରେ) ରହିଥିବାରୁ ଏହାକୁ ନେଇ ଦେଖାଦେଇଛି ଘୋର ସମସ୍ୟା। ଯଦି ଲାଇସେନ୍ସ ନବୀକରଣ ନ ହେଉଛି ତେବେ ଟ୍ରାଫିକ ଜରିମାନା ଦେବାର ଭୟ ରହୁଥିବାରୁ ଲୋକମାନେ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ପଛେ ଆର୍‌ଟିଓ ଅଫିସ ଅଧିକାରୀଙ୍କ ମୁହଁରୁ କିଛି ନଶୁଣିବା ପର୍ଯ୍ୟନ୍ତ ଧାଡ଼ି ଛାଡ଼ୁନାହାନ୍ତି। ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବଢ଼ିବା ପରେ ଆଜି ଆର୍‌ଟିଓ କାର୍ଯ୍ୟାଳୟ ପରିସରରେ କର୍ତ୍ତୃପକ୍ଷ ନୋଟିସ୍‌ ଲଗାଇଛନ୍ତି। ‘ସାରଥୀ’ ଆପ୍ ପ୍ରସ୍ତୁତ ହୋଇଗଲେ ନବୀକରଣ ପାଇଁ ସୂଚନା ଦିଆଯିବ ବୋଲି କୁହାଯାଇଛି।

ଦଲାଲ ଶୋଷୁଛନ୍ତି
ଆରଟିଓ ଅଫିସ୍‌ଗୁଡ଼ିକୁ ଦଲାଲମୁକ୍ତ କରିବା ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ ଆରଟିଓ ମଧ୍ୟ ପଦକ୍ଷେପ ନେଉଛନ୍ତି। ହେଲେ ଲୋକ ସଚେତନ ନଥିବାରୁ ଦଲାଲି ରୋକି ହେଉନି। କାର୍ଯ୍ୟାଳୟଠାରୁ ଖଣ୍ଡେ ଦୂରରେ ଦଲାଲମାନେ ରାସ୍ତା‌ କଡ଼ରେ ଚଉକି ଟେବୁଲ ପକାଇ ବସିଛନ୍ତି। ସେମାନଙ୍କ ପାଖରେ ଆବେଦନ ପାଇଁ ସମସ୍ତ ପ୍ରକାର ସୁବିଧା ବି ରହିଛି। ଫଳରେ ଯିଏ ଧାଡ଼ିରେ ଛିଡ଼ା ହୋଇପାରୁନାହାନ୍ତି କି ଯାହା ପାଖ‌ରେ ସମୟ ନାହିଁ, ସେମାନେ ସମସ୍ତ ଆବଶ୍ୟକ ଡକୁମେଣ୍ଟ ଓ ଟଙ୍କା ଦେଇଦେଲେ ଦଲାଲ୍ ସବୁ ପ୍ରସ୍ତୁତ କରିଦେଉଛନ୍ତି। କେବଳ ଫଟୋ ଉଠିଲା ବେଳକୁ ଆବେଦନକାରୀ ଆସି ଧାଡ଼ିରେ ଛିଡ଼ା ହେଉଛନ୍ତି। ଦଲାଲ୍‌ମାନେ ଗୋଟିଏ ଲାଇସେନ୍ସ ପିଛା‌ ଅଧିକ ୩୦୦ଟଙ୍କା ନେଉଥିବା ଜଣାପଡ଼ିଛି। ଲୋକଙ୍କ ଆବେଦନ ବଢ଼ିବା ଦେଖି ଆର୍‌ଟିଓ-୨ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ୧୭ଜଣ ଦଲାଲ୍‌ ଟେବୁଲ୍‌ ପକାଇ ବସିଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ଆରଟିଓ ନିୟମ ଅନୁଯାୟୀ ବାଇକ୍‌ ଚଳାଇବା ଲାଇସେନ୍ସ ପାଇଁ ୧୩୧୦ ଟଙ୍କା ଏବଂ ହାଲୁକା ଚାରିଚକିଆ ଯାନ ଚଳାଇବା ଲାଇସେନ୍ସ ୧୭୬୦ଟଙ୍କା ଦେୟ ରହିଛି। ହେଲେ କିଛି ଦଲାଲ୍‌ ବାଇକ୍ ଲାଇସେନ୍ସ ପାଇଁ ୨ହଜାର, ହାଲୁକା ଚାରିଚକିଆ ଯାନ ଲାଇସେନ୍ସ ପାଇଁ ଅଢେଇରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିବା ଦେଖିବାକୁ ମିଳିଛି।

ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟର୍‌ ଏବେ ନୂଆ ବେପାର
ନୂଆ ଆଇନ ଆସିବା ପରେ ପ୍ରଦୂଷଣ ପ୍ରମାଣପତ୍ର ରଖିବା ଭୁଲି ଯାଇଥିବା ଚାଳକଙ୍କ ନିଦ ହଜିଛି। ଏଥିପାଇଁ ଚାଳକ ପଲ୍ୟୁସନ ସେଣ୍ଟର ଖୋଜୁଛନ୍ତି। ରାଜଧାନୀରେ ଯଥେଷ୍ଟ କେନ୍ଦ୍ର ଉପଲବ୍ଧ ନଥିବାବେଳେ ଏହା ଏବେ କେତେକଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେଇଛି। ଗୋଟିଏ ପଲ୍ୟୁସନ୍ ଟେଷ୍ଟିଂ କେନ୍ଦ୍ର ଖୋଲିବା ପାଇଁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ ହେଉଥିଲେ ମଧ୍ୟ ବର୍ତ୍ତମାନର ଚାହିଦା ଦେଖି ଆରଟିଓ-୧ରେ ଏଥିପାଇଁ ଦୁଇଟି ନୂଆ ‌ଆବେଦନ ପଡ଼ିଥିବା ବେଳେ ଆରଟିଓ-୨ରେ ୫ ଜଣ ଏହି ଲାଇସେନ୍ସ ନେବା ପାଇଁ କଥାବାର୍ତ୍ତା କରିଛନ୍ତି।

ଆର୍‌ଟିଓ-୧ରେ ଖୋଲିଲା ଆଉ ୪ କାଉଣ୍ଟର୍‌
ନୂତନ ଲାଇସେନ୍ସ ଓ ନବୀକରଣ ପାଇଁ ଲୋକଙ୍କ ଅହେତୁକ ଭିଡ଼ ଦେଖି ଭୁବନେଶ୍ବର ଆରଟିଓ-୧ କାର୍ଯ୍ୟାଳୟରେ ଅଧିକ ୪ଟି କାଉଣ୍ଟର ଖୋଲାଯାଇଛି। ଆବଶ୍ୟକ କାଉଣ୍ଟର ନ ଥିବାରୁ ଲୋକ ଆବେଦନ କରିବାରେ ହଇରାଣ ହେଉଥିଲେ। ଏପରିକି ବାରମ୍ବାର ଆସୁଥିଲେ ବି ଆବେଦନ କରିନପାରି ଫେରୁଥିଲେ। ଏହାକୁ ନଜରରେ ରଖି ଆଉ ୪ଟି କାଉଣ୍ଟର ଖୋଲାଯାଇଛି ବୋଲି ଆର୍‌ଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି। ମାସକ ମଧ୍ୟରେ ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ସେ କହିଛନ୍ତି।

ବାବୁଙ୍କ ଉପରେ ଜୋର୍‌ ଚାପ
‘ଭେରି ସରି ସାର୍‌, ଏଭ୍ରିୱାନ୍‌ ହାଜ୍‌ ଏ ଆଣ୍ଡ୍ରଏଡ୍‌ ଫୋନ୍‌ ଆଣ୍ଡ୍‌ ଇଟ୍‌ କନେକ୍ଟେଡ୍‌ ଟୁ ସୋସିଆଲ ମିଡିଆ। ଡୁ ନଟ୍‌ ୱାଣ୍ଟ ଟୁ ଟେକ୍‌ ରିସ୍କ। ଆଇ ଉଇଲ ଟ୍ରାଏ ସାର୍‌।’ ଏହିଭଳି ଭାଷାରେ ଆର୍‌ଟିଓ ଅଫିସର ଜଣେ ବରିଷ୍ଠ ଅଧିକାରୀ ଫୋନ୍‌ରେ କଥା ହେଉଥିଲେ। ଏଥିରୁ ଜଣାପଡ଼ୁଥିଲା ବାବୁଙ୍କ ଉପରେ କେତେ ଚାପ ପଡ଼ୁଛି। କିଛି ନେତା, ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଆର୍‌ଟିଓ ଅଫିସକୁ ନଆସି ସବୁ କାଗଜପତ୍ର ଘରେ ରହି ପାଇବାକୁ ଚାହୁଁଥିବାରୁ ଆର୍‌ଟିଓଙ୍କ ଉପରେ କେମିତି ଚାପ ପଡ଼ୁଛି ତାହା ଆଜି ଦେଖିବାକୁ ମିଳିଥିଲା।

ଧାଡ଼ିରେ ବରିଷ୍ଠ ନାଗରିକ
ପରିସ୍ଥିତି ଏମିତି ହୋଇଛି କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ସମସ୍ତେ ସମସ୍ତଙ୍କର ଜରୁରି କାମ ଛାଡ଼ି ଗାଡ଼ି କାଗଜପତ୍ର ପାଇଁ ଧାଡ଼ିରେ ଛିଡ଼ା ହୋଇଛନ୍ତି। ବରିଷ୍ଠ ନାଗରିକ ବି ବାଦ୍‌ ପଡ଼ୁନାହାନ୍ତି। ଧାଡ଼ି ଭିତରେ ଥିବା ପାଖାପାଖି ୨୦ଜଣ ବରିଷ୍ଠ ନାଗରିକଙ୍କର ସମାନ ଅବସ୍ଥା ଦେଖାଯାଇଥିଲା। ଚାକିରି ବେଳେ ଗାଡ଼ିର ଲାଇସେନ୍ସ କରିଥିଲେ, ଏବେ ଅବସରକୁ ୧୦ବର୍ଷ ପୂରିଲାଣି। କଟକଣା ଦେଖି କାଗଜପତ୍ର ଉଣ୍ଡାଳିବା ବେଳକୁ ଆଉ ଲାଇସେନ୍ସର ଅବଧି ନାହିଁ। ନବୀକରଣ ପାଇଁ ମଧ୍ୟ ସମୟ ନାହିଁ। ଏଣୁ ପୁଣିଥରେ ନୂଆ ଲାଇସେନ୍ସ ପାଇଁ ଧାଡ଼ି ବାନ୍ଧିଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ନଥିବାରୁ ସେମାନେ ବହୁ କଷ୍ଟରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା।

ରାତି ୯ ଯାଏ କାଉଣ୍ଟର ଖୋଲା
ସେପ୍ଟେମ୍ବର ୧ରୁ ପ୍ରତ୍ୟେକ ଦିନ ୩ଶହରୁ ୫ଶହ ପର୍ଯ୍ୟନ୍ତ ଲୋକ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି। ସମସ୍ତ ପ୍ରକ୍ରିୟା ଅନଲାଇନ୍‌ରେ ହେଉଥିବାରୁ ସର୍ଭର ଉପରେ ସବୁ ନିର୍ଭର କରୁଛି। ତେଣୁ ଲୋକଙ୍କ ଆବେଦନ ସଂଗ୍ରହ କରିବାରେ ବିଳମ୍ବ ହେଉଥିବାରୁ ଆର୍‌ଟିଓ-୨ ପକ୍ଷରୁ ରାତି ୯ଟା ଯାଏ କାଉଣ୍ଟର ଖୋଲା ରଖାଯାଉଛି ବୋଲି କୁହାଯାଇଛି। ଆର୍‌ଟିଓ-୨ ସଞ୍ଜୟ କୁମାର ବେହେରା କହିଛନ୍ତି ଯେ ଭଡ଼ା ଘରେ ଅଫିସ୍‌ ଚାଲୁଥିବାରୁ କାଉଣ୍ଟର ବଢ଼ାଇ ହେଉନି କି ଅଧିକ କର୍ମଚାରୀ ନଥିବାରୁ କିଛି ବିକଳ୍ପ ବ୍ୟବସ୍ଥା କରାଯାଇପାରୁନି। ଏବେ ତିନିଟି କାଉଣ୍ଟରରେ ଲମ୍ବା ଧାଡ଼ି ଲାଗୁଥିଲେ ମଧ୍ୟ କେହି ଯେମତି ନ ଫେରିବେ, ସେଥିପାଇଁ ରାତି ୯ଟା ଯାଏ କାଉଣ୍ଟର ଖୋଲି ଆବେଦନ ସଂଗ୍ରହ କରୁଛୁ। ଏଥିପାଇଁ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବଢ଼ାଇବା ସହ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ କର୍ମଚାରୀଙ୍କ ଉପରେ ଚାପ ରହୁଥିବାରୁ କର୍ମଚାରୀଙ୍କ ସଂଖ୍ୟା ବଢ଼ାଇବା ପାଇଁ ଯୋଜନା ହେଉଛି।

ସମ୍ବନ୍ଧିତ ଖବର