ଛୁଟି ଦିନରେ ଖୋଲିଲା ଆର୍‌ଟିଓ ଅଫିସ୍‌, ଲାଇସେନ୍ସ ଆବେଦନରେ ସର୍ବକାଳୀନ ରେକର୍ଡ

ଆରଟିଓ-୧ରେ ୧୯୦୦, ଆରଟିଓ-୨ରେ ୪୨, ମହିଳା ଓ ବରି‌ଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଭୁବ‌ନେଶ୍ୱର : ଗାଡ଼ି କାଗଜପତ୍ର ପ୍ରସ୍ତୁତି ପାଇଁ ସରକାର ଦେଇଥିବା ତିନି ମାସର ମହଲତ ସରି ସରି ଆସୁଛି। କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଇଛି। ଛୁଟି ଦିନରେ ଆରଟିଓ ଅଫିସ ଖୋଲିବା ପାଇଁ ଆଦେଶ ହୋଇଛି। ତଦନୁଯାୟୀ ଭୁବନେଶ୍ୱରର ଉଭୟ ଆରଟିଓ ଅଫିସ୍‌ ଆଜି ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିଛି। ଏହି ଛୁଟି ଦିନରେ ଲାଇସେନ୍ସ ଆବେଦନ ରେକର୍ଡ କରିଛି। ଆରଟିଓ-୧ରେ ୧ହଜାର ୯ଶହ ଆବେଦନ ହୋଇଥିବା ବେଳେ ଆରଟିଓ-୨ରେ ୪୨୮ ଆବେଦନ ହୋଇଛି। ଗୋଟିଏ ଦିନରେ ୨ହଜାର ୩୨୮ ଆବେଦନ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।

ସ୍ବତନ୍ତ୍ର ବ୍ୟବସ୍ଥା: ଆଜି ଆରଟିଓ-୨ରେ ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଉଭୟଙ୍କ ପାଇଁ ଗୋଟିଏ ଗୋଟିଏ ସ୍ବତନ୍ତ୍ର କାଉଣ୍ଟର ଖୋଲା ଯାଇଛି। ପୂର୍ବରୁ ମହିଳା ଓ ବରିଷ୍ଠ ନାଗରିକମାନେ ସାଧାରଣ ଧାଡ଼ିରେ ଛିଡ଼ା ହେବା ନେଇ ପ୍ରବଳ ଅ‌ସନ୍ତୋଷ ବ୍ୟକ୍ତ କରିଥିଲେ। ଯାହାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ତେବେ ଆରଟିଓ-୨ରେ ଏହି ସ୍ବତନ୍ତ୍ର କାଉଣ୍ଟର ଖୋଲିଥିବା ବେଳେ ଆରଟିଓ-୧ରେ ସ୍ବତନ୍ତ୍ର ବ୍ୟବସ୍ଥା ନଥିବାରୁ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଏଠାରେ ୭ଟି କାଉଣ୍ଟର ଥିଲେ ମଧ୍ୟ କୌଣସି ଗୋଟିଏ କାଉଣ୍ଟରକୁ ବରିଷ୍ଠ ନାଗରିକ କିମ୍ବା ମହିଳାଙ୍କ ପାଇଁ ସମର୍ପିତ କରାଯାଇ ନାହିଁ।

ସାରଥୀ ପ୍ରସ୍ତୁତ: ‘ସାରଥୀ’ ଆପ୍‌ରେ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇଛି। ଫଳରେ ସମସ୍ୟା ଯୋଗୁ ବନ୍ଦ ଥିବା ଲାଇସେନ୍ସ ନବୀକରଣ ପୁଣି ଥରେ ଆରମ୍ଭ ହୋଇଛି। ଆଜି ଉଭୟ ଆରଟିଓରେ ୬୦ରୁ ଊର୍ଦ୍ଧ୍ବ ନବୀକରଣ କରାଯାଇଛି। କୌଣସି ଆରଟିଓରେ ନବୀକରଣ ପାଇଁ ଆବେଦନ ପଡ଼ି ରହିନାହିଁ। ନବୀକରଣ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଗୋଟିଏ ବର୍ଷ ରହୁଥିବା ବେଳେ ଅନେକଙ୍କର ୮ମାସରୁ ଊର୍ଦ୍ଧ୍ବ ସମୟ ବିତି ଯାଇଥିବା ଦେଖାଯାଇଥିଲା। ପ୍ରତ୍ୟେକ ଦିନ ଗାଡ଼ି ଚଳାଉଥିଲେ ମଧ୍ୟ ୮ ମାସ ଧରି ଲାଇସେନ୍ସ କଥା ମନେ ନଥିବା ଆବେଦନକାରୀ କହିଥିଲେ।

ମାଲିକାନା ସ୍ଥାନାନ୍ତରରେ ଦଲାଲି ବେଶି: ଜଣଙ୍କ ନାମରେ ଗାଡ଼ି ଅଛି, ଆଉ ଜଣେ ଚଳାଉଛି। ବାସ୍ତବରେ ମାଲିକ ଗାଡ଼ି ବିକି ଦେଇଥିଲେ ମଧ୍ୟ ମାଲିକାନା ପରିବର୍ତ୍ତନ ହୋଇନାହିଁ। ଧରପଗଡ଼ ପରେ ସାଧାରଣ ଅପରାଧରେ ଜରିମାନା ହେବା ଆଶଙ୍କା ଥିବାରୁ ଏହି ମାଲିକାନା ପରିବର୍ତ୍ତନ ପାଇଁ ଭିଡ଼ ଜମିଛି। ଏହି କାରବାରରେ ଦଲାଲି ବେଶୀ ହେଉଥିବା ପରିଲକ୍ଷିତ ହୋଇଛି। ଲାଇସେନ୍ସ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ଏହି ସବୁ କାମ ପାଇଁ କର୍ମଚାରୀ ସମୟ ଦେଉନାହାନ୍ତି। ଫଳରେ ହତାଶ ହୋଇ ଗାଡ଼ି ମାଲିକ ଦଲାଲ ପାଖରେ ପହଞ୍ଚୁଛି। ଦଲାଲ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ମୋଟା ଅଙ୍କରେ ଶୋଷଣ କରୁଛି। ଦଲାଲି ରୋକିବା ପାଇଁ କଡ଼ା ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ସଫଳ ହୋଇ ପାରୁନାହିଁ।

ବଢ଼ିଲା ସ୍ଲଟ୍‌: ଆବେଦନକାରୀ ଗାଡ଼ି ଚାଳନା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଲାଇସେନ୍ସ ପାଇବା ପାଇଁ ଯୋଗ୍ୟ ବିବେଚିତ ହେଉଛି। ଏଥିପାଇଁ ନିର୍ଦ୍ଦିଷ୍ଟ ‘ସ୍ଲଟ୍‌’ ରହିଛି। ସୀମିତ ଡ୍ରାଇଭିଂ ଟ୍ରାକ୍‌, କମ୍ପ୍ୟୁଟର, କର୍ମଚାରୀ ଯୋଗୁ ମନଇଚ୍ଛା ଚାଳନା ପରୀକ୍ଷା କରାଯାଇ ପାରୁନାହିଁ। ତେବେ ଲୋକମାନେ ଆବେଦନ କରିଦେଲେ ମଧ୍ୟ ସ୍ଲଟ ନଥିବାରୁ ସମସ୍ୟା ହୋଇଥିଲା। ଏହା ଉପରେ ବିଚାର କରି ସରକାର ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିର୍ଦ୍ଦୋନାମା ବଳରେ ଆରଟିଓ-୧ରେ ଥିବା ୧୫୦ ସ୍ଲଟ୍‌କୁ ବୃଦ୍ଧି କରାଯାଇ ୪୫୦ କରାଯାଇଛି। ଫଳରେ ଆବେଦନକାରୀ ଅପେକ୍ଷା କରୁନାହିଁ। ପୂର୍ବରୁ ସ୍ଲଟ୍‌ ଅଭାବରୁ ଆବେଦନକାରୀକୁ ମାସ ମାସ ଅପେକ୍ଷା କରିବାକୁ ପଡ଼ୁଥିଲା, ଏବେ ଏହି ସମସ୍ୟାର ସମାଧାନ ହୋଇଛି। ତେବେ ଆଉ ଗୋଟିଏ ସମସ୍ୟା ଉଭା ହୋଇଛି। ଲାଇସେନ୍ସ ପାଇଁ ଆବେଦନ କରି ଦେଇ ଗାଡ଼ି ଚାଳନା ପରୀକ୍ଷା ଦେବା ପାଇଁ ଆବେଦନକାରୀ ଆସୁନାହିଁ। ଫଳରେ ଗୋଟିଏ ଆବେଦନକାରୀକୁ ଗୋଟିଏ ସ୍ଲଟ୍‌ ଦିଆଯିବା ପରେ ତାହା ବ୍ଲକ ହୋଇ ରହୁଛି। ଦୁଇ ତିନିଦିନ ହେବ ଏଭଳି ସମସ୍ୟା ଦେଖାଦେଇଛି। ଯିଏ ଆସୁନି ତାକୁ ପଛରେ ପକାଇ ପରବର୍ତ୍ତି ଆବେଦନକାରୀକୁ ସୁଯୋଗ ଦେବାପାଇଁ ବ୍ୟବସ୍ଥା ହୋଇଛି। ଥରେ ଯିଏ ସ୍ଲଟ୍‌ ହରାଇଲା ତାକୁ ପୁଣି ଥରେ ପ୍ରଥମକୁ ଫେରି ଆସିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର