ରାତି ପାହିଲେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ପ୍ରଭୁକୃପା ପାଇଁ ସମର୍ପିତ ସେବାଧାରୀ

ଆଉ ମାତ୍ର ଦିନକ ପରେ ଅନୁଷ୍ଠିତ ହେବ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଯାତ୍ରା। ଏଥିପାଇଁ ରଥ ନିର୍ମାଣ କାମ ଜୋରସୋର୍‌ରେ ଆଗେଇ ଚାଲିଥିବାବେଳେ ଅନ୍ୟାନ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ଅବସ୍ଥାରେ ପହଞ୍ଚିଛି। ପ୍ରଭୁ କାଳେ ନିଜେ ନ ଚାହିଁଲେ ତାଙ୍କ ରଥ ଗଡ଼େନି। ପୁଣି ତାଙ୍କ ଆଶିଷ ବିନା କାଳେ ସେବାୟତ ବି ସେବା ଦେଇ ପାରେନି। ଅଶୋକାଷ୍ଟମୀ ଆସିଲେ ପ୍ରଭୁଙ୍କୁ ରଥରେ ବୁଲାଇ ନେବାକୁ ରାତି ଦିନ ଏକ କରି ଦିଅନ୍ତି ସେବାଧାରୀମାନେ। ଯେଉଁମାନଙ୍କ ବିନା ଏଇ ଯାତ୍ରାର ପରିକଳ୍ପନା ବି କରାଯାଇ ପାରେନା ସେଇଭଳି କିଛି ସେବାଧାରୀଙ୍କୁ ନେଇ ଲିଙ୍ଗରାଜ ସାହୁଙ୍କ ସ୍ୱତନ୍ତ୍ର ଉପସ୍ଥାପନା।

୪୪ବର୍ଷ ହେଲା ଠାକୁରଙ୍କ ସେବାରେ ଦର୍ଜି ସେବାୟତ

ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ଦୀର୍ଘ ୪୪ବର୍ଷ ହେଲା ନିଜକୁ ସମର୍ପିତ କରିଛନ୍ତି ଦର୍ଜି ସେବାୟତ ବଳରାମ ମହାରଣା। ରୁକୁଣା ରଥରେ ଲାଗୁଥିବା କପଡ଼ା ହେଉକି, ଛତା, ଚାମର, ଧ୍ୱଜା, ସେଜ, ତକିଆ, ଛତ୍ରୀ, ତ୍ରାସ ଆଲଟ ଆଦିକୁ ତିଆରି କରିଥାନ୍ତି ସେ। ଏଥିପାଇଁ ତାଙ୍କ ସାନ ଭାଇ, ପୁଅ ପୁତୁରା ଓ ପରିବାରର ଅନ୍ୟ ସଦସ୍ୟମାନେ ସାହାଯ୍ୟ କରିଥାନ୍ତି। ତେବେ ଚଳିତ ରଥ ପାଇଁ ସେ ୧୧୦ମିଟର ନାଲି, ନୀଳ ଓ ଶୁଆ କପଡ଼ାରେ ରଥର ମୁଖ୍ୟ କପଡ଼ା ତିଆରି କରିଛନ୍ତି। ସେହିପରି ୫୫ମିଟର କପଡ଼ାରେ ୪ଟି ଦ୍ଵାର ଆଡ଼ା ଓ ୩୫ମିଟର କପଡ଼ାରେ ରଥ ଘାଣ୍ଟ ଚକଟା ବା କୁଞ୍ଚ ପ୍ରସ୍ତୁତି କରିଛନ୍ତି। ବର୍ତମାନ ଠାକୁରଙ୍କ ଶେଜ ଖୋଳ, ତକିଆ ଖୋଳ, ଛତ୍ରୀ, ତ୍ରାସ, ଆଲଟ, ପତାକା, ଚାନ୍ଦୁଆ ଆଦି ପ୍ରସ୍ତୁତି ସରିଛି ବୋଲି ଶ୍ରୀ ମହାରଣା କହିଛନ୍ତି। ତେବେ ଏହି କପଡ଼ାଗୁଡ଼ିକ ମନ୍ଦିର ପ୍ରଶାସନ ପକ୍ଷରୁ ସବୁ କପଡ଼ା ଯୋଗାଇ ଦିଆଯାଏ। ସେ ଏ ନେଇ ପ୍ରଶାସନ ପକ୍ଷରୁ ମାତ୍ର ୫ହଜାର ଟଙ୍କା ପାଉଣା ନେଇଥାନ୍ତି। ସେ ଦୀର୍ଘ ୧୨ବର୍ଷ ହେଲା ଏକ ଦୋକାନ ଘର ପାଇଁ ମନ୍ଦିର ପ୍ରଶାସନ ପାଖରେ ଗୁହାରି କଲେଣି ଅଥଚ କେହି ଶୁଣୁ ନାହାନ୍ତି ବୋଲି ଶ୍ରୀ ମହାରଣା କ୍ଷୋଭର ସହ କହିଛନ୍ତି।

ଡାହୁକ ଡାକ ନଦେଲେ ଗଡ଼େନି ରଥ

କୁହାଯାଏ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥରେ ଡାହୁକ ଡାକ ନଦେଲେ ରଥ ଗଡ଼େନାହିଁ। ତେବେ ପ୍ରଭୁକୃପାରୁ ରଥ ଗଡ଼େ ବୋଲି କୁହନ୍ତି ରୁକୁଣା ରଥର ଡାହୁକ ନୃସିଂହ ଖୁଣ୍ଟିଆ। ରଥ ତଳକୁ ଦେଖିଲେ ଭୟ ଲାଗୁଥିଲେ ମଧ୍ୟ ପ୍ରଭୁଙ୍କ କୃପାରୁ ରଥରେ ବସିବା ବେଳେ ଆପଣା ଛାଏଁ ସାହସ ଆସିଯାଏ। ଠାକୁରଙ୍କ ଆଜ୍ଞାମାଳ ପିନ୍ଧିବା ପରେ ଭୟ ଛାଡ଼ିଯାଏ। ରଥ ଘୋଡ଼ାରେ ବସିବାକୁ ସୁବିଧା ନହେଲେ ମଧ୍ୟ ସବୁ ଠିକ୍‌ ହୋଇଯାଏ। ତାଙ୍କୁ ୭୫ବର୍ଷ ହେଲେ ମଧ୍ୟ ସେ ଚଳନ୍ତି ରଥରେ ଡରନ୍ତି ନାହିଁ ବୋଲି କୁହନ୍ତିି ଶ୍ରୀ ଖୁଣ୍ଟିଆ। ପରିବାର ଲୋକ ଓ ବନ୍ଧୁବାନ୍ଧବ ଯାତ୍ରାରେ ଥିଲେ ମଧ୍ୟ ପରମ୍ପରା ଯୋଗୁଁ ଦୀର୍ଘ ୫୮ବର୍ଷ ହେଲା ସେ ଡାହୁକ କାର୍ଯ୍ୟ କରିଥାନ୍ତି। ଏହା ପୂର୍ବରୁ ତାଙ୍କ ନନା ଏହା କରୁଥିଲେ ବୋଲି ସେ କହିଥିଲେ।

ଜେଜେ ଅମଳରୁ ତଳେ ରହି ସେବା

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ଯିବା ବେଳେ ରଥକୁ ନିୟନ୍ତ୍ରଣ କରୁଛନ୍ତି ଖରଡ଼ା ଧାରି ସେବାୟତ। ରଥ ତଳେ ରଥ ଚକ ପାଖା ପାଖି ରହି ସେମାନେ ନିଜ ଜୀବନକୁ ପାଣି ଛଡ଼ାଇ ରଥରେ ଖରଡ଼ା ଲଗାଇଥାନ୍ତି। ସ୍ଥାନୀୟ ଅଞ୍ଚଳର ୩୦ଜଣ ଭୋଇ ବେହେରାମାନେ ଏହି କାର୍ଯ୍ୟ କରୁଛନ୍ତି। ଭକ୍ତମାନେ ରଥକୁ ଟାଣିଲା ବେଳେ ରଥ କେଉଁ ଆଡ଼େ ମୋଡ଼ ନେବ ସେଥିପାଇଁ ସେମାନେ ରଥ ଚକ ଆଗରେ ଖରଡ଼ା ଲଗାନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ଏଥିପାଇଁ ପ୍ରତିବର୍ଷ ୧୦ଟି କାଠ ଖରଡ଼ା ମହାରଣାଙ୍କ ଦ୍ଵାରା ତିଆରି କରିଥାନ୍ତି। ସ୍ଥାନୀୟ ଅଞ୍ଚଳର ଭାରତୀ ମଠ ସାହି, ନାଗେଶ୍ୱରଟାଙ୍ଗୀ ମଙ୍ଗଳାସାହି ହୁଡ଼ାସାହି ଓ କଞ୍ଚସାହିର ୩୦ଜଣ ଖରଡ଼ା ସେବା କରିଥାନ୍ତି। ରୁକୁଣା ରଥର ଆଗ ୨ଚକରେ ୮ଜଣ ଓ ପଛ ୨ଚକରେ ୪ଜଣ ରହି ରଥକୁ ନିୟନ୍ତ୍ରଣ କରିଥାନ୍ତି। ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ବୀମା ବ୍ୟବସ୍ଥା କରାଯାଇଛି।

ଚିତ୍ର ଅଙ୍କାର ନିମଗ୍ନ ମହାରଣା ପରିବାର

ରଥରେ ଲାଗିବାକୁ ଥିବା ବିଭିନ୍ନ ପଶୁପକ୍ଷୀ ଓ ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତିରେ ଚିତ୍ର କାମ କରୁଛନ୍ତି ଚିତ୍ରଶିଳ୍ପୀ ପରିବାର । ରଥର ପାର୍ଶ୍ୱ ଦେବତା, ଚାରି ଘୋଡ଼ା, ସଖୀ, ଶୁଆଶାରୀ, କଳସ, ପଟ୍ଟା ଶକୀ, ଅଁଳା, ବେକି ଏଥି ସହ ବ୍ରହ୍ମା ଓ ରଥରେ ଥିବା ବିଭିନ୍ନ ଚିତ୍ର କରିଥାନ୍ତି ଶିଳ୍ପୀ ପରିବାର। ଆଜିକୁ ୩୩ବର୍ଷ ହେଲା ସ୍ଥାନୀୟ ବଶିଷ୍ଠ ନଗରରେ ରହୁଥିବା କେଦାରନାଥ ମହାରଣାଙ୍କ ପରିବାରର ସମସ୍ତ ସଦସ୍ୟ ଏଥି ପାଇଁ ଦିନରାତି ଲାଗି ପଡ଼ିଛନ୍ତି। ୧୯୮୫ମସିହାରୁ ଏହି କାର୍ଯ୍ୟ ତାଙ୍କ ବାପା ଓ ଜେଜେବାପା ରଘୁରାଜପୁରର ଚନ୍ଦନପୁରଠାରେ ରହୁଥିବା ବେଳେ ପ୍ରଭୁଙ୍କ ଏହି ସେବା କରି ଆସୁଥିଲେ। ଏବେ ଶ୍ରୀ ମହାରଣାଙ୍କ ପରିବାରରେ ତାଙ୍କ ପତ୍ନୀ, ୪ସାନ ଭାଇ, ୨ପୁଅ ଓ ଝିଅ ସମସ୍ତେ ଏହି କାମରେ ସହଯୋଗ କରୁଛନ୍ତି। ରଥଯାତ୍ରାର ୧୫ଦିନ ପୂର୍ବରୁ କାମ ଆରମ୍ଭ ହୁଏ। ପ୍ରଥମେ ଚାରି ଘୋଡ଼ାକୁ ପ୍ରସ୍ତୁତି କରାଯାଏ। ଏହାପରେ ପାର୍ଶ୍ୱ ଦେବତାଙ୍କୁ ରଙ୍ଗ କରି ଚିତ୍ର ଅଙ୍କା ଯିବା ପରେ ରଥରେ ଚିତ୍ର ଅଙ୍କିଥାନ୍ତି ବୋଲି ଶ୍ରୀ ମହାରଣା କହିଛନ୍ତି।

ଆଜି ରାତିରେ ନିଲାମ ହେବ ମରୀଚି କୁଣ୍ଡ ପାଣି

ପୁରୁଣା ଭୁବନେଶ୍ୱର : ରାତି ପାହିଲେ ସପ୍ତମୀ ତିଥି। ସପ୍ତମୀ ରାତିରେ କେଦାର ଗୌରୀ ନିକଟ ମରୀଚିକୁଣ୍ଡ ପାଣିରେ ରଥ ପ୍ରତିଷ୍ଠା ହେବ। କୁଣ୍ଡର ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ପାଇଁ ଯିବା ପରେ, ପରବର୍ତୀ ଗରା ପାଣି କ୍ରମାନ୍ଵୟରେ ନିଲାମ ହେବ। ବଡ଼ୁ ନିଯୋଗ ପକ୍ଷରୁ ନିଃସନ୍ତାନ ମହିଳାଙ୍କୁ ଏହି ପାଣି ଯୋଗାଇ ଦିଆଯିବ। ଏଠାରେ ସେଦିନ ରାତିରେ ବିଭିନ୍ନ ଆଡୁ ମହିଳାମାନେ ଆସିବାର ଥିବାରୁ ଏଥିପାଇଁ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଗାଧୁଆ ଘର ନିର୍ମାଣ କରାଯାଇଛି। ସେପଟେ ରଥ କାମ ପ୍ରାୟ ଶେଷ ପର୍ଯ୍ୟୟରେ ପହଞ୍ଚିଛି। ମହାରଣା ଓ ଚିତ୍ରଶିଳ୍ପୀ ଶେଷ ସ୍ପର୍ଶ ଦେଉଛନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ କାମ ଅନୁଧ୍ୟାନ କରାଯିବା ସହ ରଥ ଦାଣ୍ଡରେ ଆମିଷ ବିକ୍ରି ନହେବା ପାଇଁ ନୋଟିସ୍‌ ଜାରି କରିଛି। ଆସନ୍ତା କାଲି ବିଳମ୍ବିତ ରାତିରେ ରଥ ପ୍ରତିଷ୍ଠା ଶେଷ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର