ଦୁଇ ଦିନରେ ବି ଅଧାବାଟରେ : ମାଉସୀ ମା’ ମନ୍ଦିର ପହଞ୍ଚି ପାରିଲାନି ରୁକୁଣା

ପୁଣି ପରମ୍ପରା ଭାଙ୍ଗିଲା, କାଲି ଦେଢ଼ ଶହ, ଆଜି ଆଠ ଶହ

ପୁରୁଣା ଭୁବନେଶ୍ୱର : ଏତେ ବେପରୁଆ ଯେ ଦୁଇ ଦିନରେ ବି ରଥକୁ ରାମେଶ୍ବର ମନ୍ଦିର ଯାଏଁ ନେଇପାରିଲେ ନାହିଁ। ପରମ୍ପରାକୁ ‌ଦଳି ମକଚି ଦେଲେ। ଗତକାଲି ରୁକୁଣା ରଥ ମାତ୍ର ଦେଢ଼ ଶହ ମିଟର ଗଡ଼ିଥିବା ବେଳେ ଆଜି ଅସୁଲକିଆରି ପର୍ଯ୍ୟନ୍ତ ରଥ ଯାଇଛି। ଦଳଦଳ ପୁଲିସ୍‌, ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଥାଇ ବି ରଥ ମାଉସୀ ମା’ ମନ୍ଦିର ନିକଟକୁ ଟଣା ହୋଇନପାରିବା ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ବାସ୍ତବରେ ରୁକୁଣା ରଥ ଲିଙ୍ଗରାଜ ମନ୍ଦିର ନିକଟରୁ ବାହାରି ଗୋଟିଏ କିମ୍ବା ଦୁଇ ଦିନ ଭିତରେ ରାମେଶ୍ବର ମନ୍ଦିର ପାଖେ ପହଞ୍ଚେ। ପୂର୍ବରୁ କେବେ ୩ ଦିନ ଲାଗିବାର ନଜିର ନଥିଲେ ହେଁ ଚଳିତ ବର୍ଷ ଏଭଳି ବିଭ୍ରାଟ ଯୋଗୁଁ ଶ୍ରଦ୍ଧାଳୁମାନେ ପ୍ରଶାସନ ଉପରକୁ ଆଙ୍ଗୁଠି ଉଠାଇଛନ୍ତି। ପ୍ରଶାସନ ପକ୍ଷରୁ ଆଜି ୨ଟାରେ ରଥ ଟଣା ହେବା ପାଇଁ ସ୍ଥିର କରାଯାଇଥିଲା। ଆଜି ସକାଳେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି ପରେ ରଥ ଉପରେ ଶ୍ରୀଜିଉଙ୍କ ଏହି ନୀତି କରାଯାଇଥିଲା। ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇ ବେଶ ଓ ସକାଳ ଧୂପ କରାଯାଇଥିଲା। ଆଜି ପଣା ସଂକ୍ରାନ୍ତି ଥିବାରୁ ସକାଳୁ ରଥରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିଲା। ରଥର ଦୁଇ ପାର୍ଶ୍ୱରେ ଲାଗିଥିବା ଶିଡି ଯୋଗୁଁ ଭକ୍ତ ରଥ ଉପରକୁ ସହଜରେ ଯାଇ ଦର୍ଶନ କରିବା ସହ ପୂଜାର୍ଚନା କରିଥିଲେ।

ପରେ ନିର୍ଦେଶ ମୁତାବକ ପୁଲିସ ପ୍ରଶାସନ, ମନ୍ଦିର ପ୍ରଶାସନ, ସେବାୟତ ସାଢ଼େ ୨ଟା ସୁଦ୍ଧା ରଥ ନିକଟକୁ ଆସିଥିଲେ। ଅପରାହ୍‌ଣ ୩ଟା ୧୫ରେ ରଥଟଣା ଆରମ୍ଭ ହୋଇଥିଲା। ହେଲେ ଅସୁଲକିଆରି ନିକଟରେ ପହଞ୍ଚିବା ବେ‌ଳକୁ ସାଢ଼େ ୬ଟା ବାଜି ଯାଇଥିଲା। ପରେ ନୀତି ମୁତାବକ ଅସୁଲକିଆରିରେ ପହଞ୍ଚିବା ପରେ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦ୍ବିପ୍ରହର ଧୂପ କରାଯାଇଥିଲା। ରଥକୁ ମାଉସୀ ମା’ ମନ୍ଦିରରେ ପହଞ୍ଚାଇବା ପାଇଁ ଶେଷରେ ମୁଭିଂ ଲାଇଟ୍‌ର ସହଯୋଗ ନିଆଗଲା। ପରମ୍ପରା ଆଧାରରେ ସନ୍ଧ୍ୟା ପରେ ରଥ ଟଣା ‌ନହେବାର ପ୍ରଥା ରହିଥିଲେ ହେଁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରଥ ଟଣା ହୋଇଥିଲା। କିନ୍ତୁ ରଥକୁ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚାଇ ପାରିଲେ ନାହିଁ।

ବାସ୍ତବ କଥା ହେଉଛି, ପୂର୍ବରୁ ଯଦି ରଥ ଏପରି ବାଟରେ ଅଟକି ଯାଉଥିଲା ତେବେ ଦ୍ବିତୀୟ ଦିନ ରଥଟଣା ୨ଟାରେ ଆରମ୍ଭ ହେଉଥିଲେ ବି ସନ୍ଧ୍ୟା ସୁଦ୍ଧା ରାମେଶ୍ବର ମନ୍ଦିର ନିକଟରେ ପହଞ୍ଚି ଯାଉଥିଲା। ଷ‌ାଠିଏ-ସତୁରି ଦଶକରେ ଅସୁଲକିଆରି ସ୍ଥାନ ଯେବେ ସନ୍ତସନ୍ତିଆ ଥିଲା, ସେତେବେଳେ ଏଇ ରାସ୍ତା ଦେଇ ରଥ ଚକା ପଙ୍କରେ ଖସି ଯାଉଥିଲେ ବି ରଥ ପହଞ୍ଚାଇବାକୁ ୨ ଦିନରୁ ବେଶି ସମୟ ଲାଗୁନଥିଲା। ୩ ଦିନ ଯାଏଁ ଅପେକ୍ଷା କରିବାକୁ ଆଦୌ ପଡ଼ୁନଥିଲା। ହେଲେ ଆଜି ଏପରି ବିଘ୍ନ ଘଟିଲା। ଯାହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ନିର୍ଧାରିତ ସମୟ ମୁତାବକ ରଥ ଟଣା ନହେବା ଏବଂ ସେବାୟତଙ୍କ ସହ ବୁଝାମଣାରେ ଅଭାବ ‌ଯୋଗୁଁ ଏପରି ହୋଇଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି। କାଲି ମାତ୍ର ୫୦ ମିନିଟ୍‌ ରଥ ଟଣା ହୋଇ ଦେଢ଼ ଶହ ମିଟର ଗଡ଼ିଥିବା ବେଳେ ଆଜି ୩ ଘଣ୍ଟା ୪୫ ମିନିଟ୍‌ ମଧ୍ୟରେ ରଥ ପାଖାପାଖି ୮୦୦ ମିଟର ଗଡ଼ି ପାରିଛି। ମନ୍ଦିର ପ୍ରଶାସନର ସୂଚନା ମୁତାବକ, ସନ୍ଧ୍ୟା ହୋଇଯିବାରୁ ଅନ୍ଧାରରେ ଲାଇଟ୍‌ ଲଗେଇ ରଥ ଭିଡ଼ିବାକୁ କିଛି ସେବାୟତ ଅମଙ୍ଗ ହୋଇଥିଲେ। ଭୋଇ ବେହେରା ସେବାୟତମାନେ ମଧ୍ୟ ରାତିରେ ନିୟୋଜିତ ହୋଇଥିବାରୁ କିଛି ଅଧିକ ଟଙ୍କା ଦାବି କରିଥିଲେ। ପାଉଣାକୁ ନେଇ କିଛି ଫଇସଲା ହୋଇପାରିନଥିଲା। ଘଟଣାସ୍ଥଳରୁ ପୁଲିସ୍‌ ବି ପଳାଇଥିଲା। ତେଣୁ ବାଧ୍ୟ ହୋଇ ଡାହୁକ ରଥଟଣା ବନ୍ଦ ବୋଲି ଘୋଷଣା କରିଥିଲେ।

ଆପଣମାନେ ଖୁସି ତ….

ରଥ ତିନିମୁଣ୍ଡିଆ ଛକ ପାର କରିବା ପରେ ମାଉସୀ ମା’ ମନ୍ଦିରରେ ପହଞ୍ଚିବ ବୋଲି ଆଶା କରାଯାଉଥିଲା। ଶ୍ରଦ୍ଧାଳୁ ଉତ୍ସୁକ ହୋଇ ରଥ ଟାଣୁଥିବା ବେଳେ ଡାହୁକର ବୋଲି ଶୁଣିବାକୁ କାନେଇଥିଲେ। ପରମ୍ପରା ମୁତାବକ ଡାହୁକର ଡାକ ଭକ୍ତଙ୍କ ମନୋରଂଜନ କରୁଥିଲା। ତେବେ ଡାହୁକ ଯେବେ କହିଥିଲେ ଯେ, ‘ଆପଣମାନେ ଖୁସି ତ…; ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୟାଗ୍‌ ଲାଇନ୍‌ ଡାହୁକ ମୁହଁରୁ ଶୁଣି ଅନେକ ଉତ୍ସାହିତ ହୋଇ ତାଳି ମାରିବା ସହ ରଥ ଟାଣିଥିଲେ।

ଲାଇଟ୍ ଲାଗି ଭିଡ଼ା ହେଲା ରଥ

ଚଳିତ ବର୍ଷ ଗୋଟିଏ ଦିନରେ ରଥ ଲାଗିବ ବୋଲି ମନ୍ଦିର ପ୍ରଶାସନ କହୁଥିବା ବେଳେ ଗତକାଲି ନୀତି ବିଳମ୍ବ ଯୋଗୁଁ ରଥଟଣା ବିଳମ୍ବ ହୋଇଥିଲା। ଫଳରେ ମାତ୍ର ଦେଢଶହ ମିଟର ରଥଟଣା ହୋଇଥିଲା। ତେବେ ଆଜି ରଥ ବାଟରେ ରହିଥିଲା। ଏହା ଆଗରୁ କେବେ ବି ଏମିତି ହୋଇନଥିଲା ବୋଲି ବରିଷ୍ଠ ସେବାୟତମାନେ କହିଛନ୍ତି। ଅଧଘଣ୍ଟା ପର୍ଯ୍ୟନ୍ତ ଲାଇଟ୍ ଲଗାଇ ରଥ ଟଣା ହୋଇଥିଲା। ସନ୍ଧ୍ୟା ପରେ ରଥ ଟଣା ବନ୍ଦ ରହିବା ପୂର୍ବରୁ ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା। ସନ୍ଧ୍ୟା ସାଢ଼େ ୬ଟା ପରେ ଲାଇଟ୍ ଲଗାଯାଇ ରଥ ଟଣା ହୋଇଥିଲେ ହେଁ କିଛି ବାଟ ପରେ ପୁଣି ରଥ ବାଟରେ ଅଟକିଲା। ଏନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଦେଇଥିଲେ।

ସମ୍ବନ୍ଧିତ ଖବର