ରୁକୁଣା ରଥଯାତ୍ରା ସମନ୍ୱୟ ବୈଠକ, ଅପରାହ୍‌ଣ ୪ଟାରେ ରଥଟଣା

ସଂଧ୍ୟା ସୁଦ୍ଧା ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବ

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୩ତାରିଖରେ ହେବାକୁ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥାଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍‍ ହାଉସ୍‍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଥଯାତ୍ରାଠାରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ବିଭାଗର କାର୍ଯ୍ୟ ସହ ଆଇନ ଶୃଙ୍ଖଳା ସଂପର୍କରେ ଆଲୋଚନା ହୋଇଥିଲା। ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରାଙ୍କ ଅଧ୍ୟକ୍ଷତା ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ନିର୍ମଳ ମିଶ୍ର ରଥଯାତ୍ରା ପାଇଁ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥି‌େଲ। ଏହି ‌େବୖଠକରେ ନିଷ୍ପତ୍ତି ନିଆଯାଇଛି ଯେ, ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ ଶେଷ କରିବା ପରେ ଅପରାହ୍‌ଣ ୪ଟାରେ ରଥ ଟଣା ହେବ। ଏହାସହ ଉକ୍ତଦିନ ସଂଧ୍ୟା ପୂର୍ବରୁ ରଥ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିବ। ମନ୍ଦିର ପ୍ରଶାସନରୁ ମିଳିଥିବା ସୂଚନା ଅନୁଯାୟୀ, ରୁକୁଣା ରଥ ଯାତ୍ରା ଠାରୁ ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତନ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଯେପରି ଶାନ୍ତି ଶୃଙ୍ଖଳାର ସହ ହେବ, ଟ୍ରାଫିକ ବ୍ୟବସ୍ଥା ଠିକ୍ ଭାବେ ପରିଚାଳନା ହେବ ସେଥିପାଇଁ କମିସନରେଟ୍ ପୁଲିସ ପଦକ୍ଷେପ ନେବ। ଯାତ୍ରା ବେଳେ ରାମେଶ୍ୱର ପାଟଣା ଛକ, ଇଲେକ୍ଟ୍ରିକ ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍‍ କରାଯିବ। ସେହିପରି ଯାତ୍ରାବେଳେ ପର୍ଯ୍ୟାପ୍ତ ପରିମାଣରେ ପାଣି ଅସ୍ଥାୟୀ ଟ୍ୟାପ୍‍ ଜରିଆରେ ଯୋଗାଇ ଦିଆଯିବ। ଶ୍ରୀ ଲିଙ୍ଗରାଜ ଥାନା ପରିସରରେ, ବଢେଇବାଙ୍କ ଛକରେ, ରାମେଶ୍ୱର ମନ୍ଦିର ନିକଟରେ ଓ ରଥ ପଛ ପଟେ ପାଣି ଟାଙ୍କି ରହିବ ।

ରଥ ପାଖରେ ହେବ ପ୍ରବଚନ
ଜିଲ୍ଲା ସୂଚନା ଓ ଲୋକ ସଂର୍ପକ ବିଭାଗ ପକ୍ଷରୁ ରଥ ଖଳା ପାଖରେ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ । ଏଥିସହ ଭକ୍ତି ସଂଗୀତ ଓ ପ୍ରବଚନ କାର୍ଯ୍ୟକ୍ରମ ହେବ ବୋଲି ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବରଦା ପ୍ରସନ୍ନ ଦାଶ କହିଛନ୍ତି।

ଯାତ୍ରାରେ ଆମିଷ ଦୋକାନ ବନ୍ଦ
ରଥଯାତ୍ରାଠାରୁ ଠାକୁରଙ୍କ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ରଥ ଦାଣ୍ଡରେ ଆମିଷ ଦୋକାନ ବନ୍ଦ ରହିବ । ଶ୍ରୀ ଲିଙ୍ଗରାଜ ମନ୍ଦିର ଠାରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଥିବା ଫାଷ୍ଟଫୁଡ଼୍‍ ଓ ଆମିଷ ହୋଟେଲ ବନ୍ଦ ରହିବ ବୋଲି ବୈଠକରେ ନିଷ୍ପତି ହୋଇଛି । ଏହି ବୈଠକରେ ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା, ବଡ଼ୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡ଼ୁ, ରଥ କାଳେସି ନୃସିଂହ ଖୁଣ୍ଟିଆ, କ୍ଷେତ୍ରବାସୀ ବ୍ରାହ୍ମଣ ନିଯୋଗର ସରୋଜ ମିଶ୍ର ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ରଥ କାଳେସି ନୃସିଂହ ଖୁଣ୍ଟିଆଙ୍କ ବୟସାଧିକ ଯୋଗୁଁ ତାଙ୍କ ପୁଅ ରଥ ଉପରେ ତାଙ୍କ ନୀତିକାନ୍ତି କରିବେ।

ରଥ ଉପରେ ଭିଡ଼ କମିବ
ସମସ୍ତ ପ୍ରତିବନ୍ଧକ ସତ୍ତ୍ବେ ରଥ ଉପରେ ଅଧିକ ଭିଡ଼ ହେଉଥିବାରୁ ଏହାକୁ ରୋକିବା ନେଇ ଆଜି ଆଲୋଚନା ହୋଇଥିଲା। ରଥ ଉପରେ ଅଯଥା ଭିଡ଼ ଯୋଗୁଁ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିପାରିୁନଥିବାରୁ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ପୁଲିସ ଓ ନିଯୋଗ ପ୍ରତିନିଧି ଏହା ଉପରେ ନଜର ରଖିବେ ବୋଲି କୁହାଯାଇଛି ।

ରଥ ପାଖରେ ଲାଗିବ ଅଧିକ ଲାଇଟ୍‍
ରଥଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ରଥ ରହିବା ସ୍ଥାନରେ ପୂର୍ବ ଅପେକ୍ଷା ଅଧିକ ଆଲୋକୀକରଣ ହେବ। ବିଏମ୍‌ସି ଏନେଇ ପଦକ୍ଷେପ ନେବ। ସେହିପରି ନେତ୍ର ଉତ୍ସବ ଦିନ କେଦାର ଗୌରୀ ନିକଟ ମରୀଚି କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ନିର୍ମାଣ ଓ ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା କରିବା, ଯାତ୍ରା ପୂର୍ବରୁ ରାସ୍ତା ମରାମତି କରାଯିବ। ସେହିପରି ରାସ୍ତା କଡ଼ରେ ଥିବା ଡ୍ରେନ୍‍ ଉପରେ ସ୍ଲାବ୍‍ ପକାଇବା ସହ ଆବଶ୍ୟକସ୍ଥଳେ ବ୍ୟାରିକେଡ୍‌ କରାଯିବ ବୋଲି ବିଏମ୍‍ସି ପକ୍ଷରୁ କୁହାଯାଇଛି । ରଥ ଯିବା ସମୟରେ ବିଏମ୍‍ସି ହସ୍ପିଟାଲର ଏକ ଡାକ୍ତରୀ ଟିମ ରଥ ପାଖାପାଖି ରହିବ । ରଥ ପଛରେ ଓ ଆଗରେ ଆମ୍ବୁଲାନ୍‍ସ ରହିବା ସହ ବିଏମ୍‍ସି ହସ୍ପିଟାଲଠାରେ ସେଣ୍ଟଜୋନ୍‌ସ ଆମ୍ବୁଲାନ୍‍ସ ରହିବ ବୋଲି ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର