ଶବରୀ ସାଂସ୍କୃତିକ ସଂସଦର ସମ୍ବର୍ଧନା ସଭା

ଭୁବନେଶ୍ବର: ଅବିଭକ୍ତ କୋରାପୁଟ ଜିଲ୍ଲାର ନବନିର୍ବାଚିତ ଜନ ପ୍ରତିନିଧିମାନଙ୍କ ସମ୍ବର୍ଧନା ସଭା ନୂଆପଲ୍ଲୀ ଭିଆଇପି କଲୋନିସ୍ଥିତ ସହିଦ ଲକ୍ଷ୍ମଣ ନାୟକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶବରୀ ସାଂସ୍କୃତିକ ସଂସଦ ପକ୍ଷରୁ ଆୟୋଜିତ ଏହି ସଭାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାର୍‌କା ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କଠାରୁ ଅନୁଷ୍ଠାନର ସଭାପତି ପଦ ଗ୍ରହଣ କରିଥିଲେ। ବୟନ ଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗୌରଚନ୍ଦ୍ର ତ୍ରିପାଠୀଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ବିଭିନ୍ନ ବିକାଶମୂଳକ କାର୍ଯ୍ୟରେ ମାର୍ଗଦର୍ଶନ ପାଇଁ ଲେଫ୍‌ଟନାଣ୍ଟ୍‌ ଜେନେରୋଲ୍‌ ନାରାୟଣ ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ଏବଂ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଉ‌ପଦେଷ୍ଟା ଭାବେ ମନୋନୀତ କରାଯାଇଛି। ନୂତନ କର୍ମକର୍ତାମାନଙ୍କୁ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା।

କୋରାପୁଟର କଳା, ସଂସ୍କୃତି, ସାହିତ୍ୟର ସମୃଦ୍ଧି ସହ ଭୁବନେଶ୍ବର ସହିଦ ଲକ୍ଷ୍ମଣ ନାୟକ ସ୍ମୃତିଭବନ ପରିସରସ୍ଥ ନବନିର୍ମିତ ଗୃହରେ କୋରାପୁଟବାସୀଙ୍କ ରହିବା ପାଇଁ ବିଶ୍ରାମ କକ୍ଷ, ଦୂରଦୂରାନ୍ତରରୁ ଆସୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ରହିବାର ବ୍ୟବସ୍ଥା, କୋରାପୁଟିଆ ଖାଦ୍ୟ ଉପଲବ୍ଧ ହେବା ନେଇ ନିଷ୍ପତ୍ତି ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ସାମୂହିକ ସ୍ବାର୍ଥ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହେବାକୁ ମତ ପ୍ରକାଶ ପାଇଥିଲା। ଏସବୁ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ନାଲ୍‌କୋ ପକ୍ଷରୁ ୬୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାରୁ ଲୋକ ପ୍ରତିନିଧି ଓ କର୍ମକର୍ତାମାନେ ନାଲ୍‌କୋକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ନୀଳମାଧବ ଦାସଙ୍କୁ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଏବଂ ଜଗଦୀଶ ମିଶ୍ର, ହୃଦୟ ରଂଜନ ଶତପଥୀ, ଭୃଗୁ ବକ୍ସିପାତ୍ର, ମୁନ୍ନା ଖାନ୍‌, ସରୋଜ ସାହୁ, ସୁବାସ ନାୟକ, ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ଅମ୍ରିତା ମାଝି, ସୁଚିତ୍ରା ଆଚାରୀଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ସଂସଦର ସମ୍ପାଦକ ସୁବାସ ଚନ୍ଦ୍ର ହୋତା ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଯଶୋବନ୍ତ ଜୈନ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଶେଷରେ ବରିଷ୍ଠ ସଦସ୍ୟ ଡ. ଈଶ୍ବରଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର