ଆଜି ବି ସ୍ୱାମୀଙ୍କ ଅପେକ୍ଷାରେ ଅନେକ ସାବିତ୍ରୀ : ମୋ ସ୍ୱାମୀ ନିଶ୍ଚେ ଫେରିବେ…

ଭୁବନେଶ୍ୱର (ସତ୍ୟନାରାୟଣ ରାଉତରାୟ): ସେ କହିଲେ, ଏଇଠି ବସିଥା। ମୁଁ ଟିକେ ବାହାରୁ ଆସୁଛି। ଏତକ କହି ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଲେ। ଗଲେ ଯେ ଗଲେ..। ଆଉ ଫେରିଲେନି। ବିଶ୍ୱାସରେ ଯାହା ହାତ ଧରି ଏତେ ବାଟ ଚାଲି ଆସିଥିଲି, ଶେଷରେ ସେଇ ସ୍ୱାମୀ ମତେ ଛାଡ଼ି ପଳେଇଲେ। କହିଲେ କୁଆଡ଼େ ମୋ ମୁଣ୍ଡ ଖରାପ ହେଇଯାଇଛି। ଅବସୋସ ନାହିଁ। କିନ୍ତୁ ବିଶ୍ୱାସ ଅଛି। ମୋ ସ୍ୱାମୀ ମୋ ପାଖକୁ ଫେରିବେ। ସ୍ୱାମୀ ସିନା ତାଙ୍କୁ ଅଧାବାଟରେ ଛାଡ଼ି ଦେଇ ଚାଲିଗଲେ, କିନ୍ତୁ ଏବେ ବି ପ୍ରତି ବର୍ଷ ସାବିତ୍ରୀରେ ସ୍ୱାମୀଙ୍କ ଦୀର୍ଘାୟୁଷ କାମନା କରି ସ୍ୱାମୀଙ୍କ ବାଟକୁ ଚାହିଁ ବସନ୍ତି ବିଷ୍ଣୁପ୍ରିୟା। ଗଙ୍ଗନଗର ଆଶ୍ରୟସ୍ଥଳୀରେ ମୁଣ୍ଡ ଗୁଞ୍ଜିଥିବା ବିଷ୍ଣୁପ୍ରିୟା ଘଡ଼େଇଙ୍କର ବିଶ୍ୱାସ ଦିନେ ନା ଦିନେ ତାଙ୍କ ସ୍ୱାମୀ ସୋନୁ ରାଜନ ତାଙ୍କ ନିକଟକୁ ଫେରିବେ। ଆଉ ତାଙ୍କୁ ସସମ୍ମାନେ ପୁଣି ସାଥିରେ ନେଇଯିବେ।

ସୋନୁଙ୍କ ପୂର୍ବରୁ ବିଷ୍ଣୁପ୍ରିୟା ତାରପୁରର ସୁଶାନ୍ତ ପଣ୍ଡିତଙ୍କୁ ବିବାହ କରିଥିଲେ। ହେଲେ ବିଷ୍ଣୁପ୍ରିୟାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ହେବା ପରେ ସୁଶାନ୍ତ ତାଙ୍କୁ ତାଙ୍କ ବାପ ଘରେ ଛାଡ଼ିଦେଲେ। ପରେ ବିଷ୍ଣୁପ୍ରିୟାଙ୍କ ଘର ଲୋକ ତାଙ୍କୁ ମଧ୍ୟପ୍ରଦେଶର ସୋନୁ ରାଜନଙ୍କ ସଙ୍ଗେ ବିବାହ କରିଦେଲେ। ସୋନୁଙ୍କର ଝିଅଟିଏ ହେଲା। ହେଲେ ବିଷ୍ଣୁପ୍ରିୟା ଟିକେ ଆଡ଼ ପାଗଳୀ ଥିବାରୁ ସୋନୁ ବି ତାଙ୍କୁ ଛଳନା କରି ଟ୍ରେନ୍‌ରେ ଛାଡ଼ିଦେଇ ଚାଲିଗଲେ। ସତେ ଯେମିତି ଦୁଇ ସ୍ୱାମୀଙ୍କୁ କେବଳ ପିଲା ଉପହାର ଦେବା ପାଇଁ ବିଷ୍ଣୁପ୍ରିୟା ଏକ ପଣ୍ୟ ବସ୍ତୁଟିଏ ଥିଲେ। ଏତେ ପରେ ବି ସେ ନିଜ ସ୍ୱାମୀଙ୍କ କଥା ପଚାରିଲେ, ଲାଜେଇ ଯାଆନ୍ତି। କୁହନ୍ତି, ସେ ମତେ ବହୁତ ଭଲ ପାଆନ୍ତି। ନିଶ୍ଚେ ସେ ଏଠିକି ଆସିବେ, ଆଉ ମତେ ସାଥିରେ ନେଇଯିବେ।

ନିଜ ସ୍ୱାମୀଙ୍କ ବାଟକୁ ଚାହିଁ ରହିଥିବା ଆଉ ଜଣେ ସାବିତ୍ରୀ ହେଲେ ନଳିନୀ ନାୟକ। ଏକ ଘରୋଇ ମେଡିକାଲ୍‌ରେ ଦେଖାଚାହାଁରେ ନଳିନୀଙ୍କୁ ଭଲ ପାଇ ବସିଥିଲେ ବାଲେଶ୍ୱର ଜଳେଶ୍ୱରସ୍ଥିତ ଚମର ଗାଁର ଅକ୍ଷୟ ଦତ୍ତ। ନିବିଡ଼ତା ପରେ ଦିହେଁ ଏକ ମନ୍ଦିରରେ ବିବାହ କରିଥିଲେ। ଏମିତି କି ସ୍ୱାମୀଙ୍କ ବୋଲ ମାନି ନଳିନୀ ହିନ୍ଦୁରୁ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କଲେ। ହେଲେ ଦିନେ ନିଜ ବାପଘରକୁ ଆସିଥିବା ନଳିନୀଙ୍କ ପାଖକୁ ଅକ୍ଷୟ ଆସି କହିଲେ, ମୋ ଭିଣୋଇଙ୍କ ଆଖି ଖରାପ ଅଛି, ଦେଖିବା ପାଇଁ ଯାଉଛି। ନଳିନୀ ବି ବିଶ୍ୱାସରେ ଅକ୍ଷୟଙ୍କ ହଁ’ରେ ହଁ ଭରିଲେ। ମାତ୍ର ଅକ୍ଷୟ ସେଇଦିନଠୁ ଯାଇଛନ୍ତି ଯେ ଯାଇଛନ୍ତି। ନଳିନୀଙ୍କ ସ୍ୱାମୀ ତ ଫେରିଲେନି, କିନ୍ତୁ ଏ ଦୁଃଖଠୁ ଆହୁରି ବଳିଗଲା ନଳିନୀଙ୍କ ଉପରେ ନିଜ ଭାଇମାନଙ୍କର ଅତ୍ୟାଚାର। ତେଣୁ ସେ କାହାକୁ କିଛି ନକହି ଭୁବନେଶ୍ୱର ଚାଲି ଆସିଥିବା ବେଳେ ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ଆଭାରାଣୀ ଚୌଧୁରୀ ତାଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ଆଶ୍ରୟ ଦେଇଥିଲେ। ଏ ଭିତରେ ନଳିନୀଙ୍କର ଦେଢ଼ ବର୍ଷର ଝିଅଟିଏ ହୋଇଛି। ସେକଥା ବି ନଳିନୀଙ୍କ ସ୍ୱାମୀ ଅକ୍ଷୟ ଜାଣନ୍ତି ନାହିଁ। ୪ ବର୍ଷ ତଳୁ ସ୍ୱାମୀ ଛାଡ଼ି ଦେଇଥିଲେ ହେଁ ସେ ପ୍ରତିବର୍ଷ ଅକ୍ଷୟଙ୍କ ପାଇଁ ସାବିତ୍ରୀ ବ୍ରତ କରନ୍ତି। ତାଙ୍କ ଦୀର୍ଘାୟୁଷ କାମନା କରନ୍ତି। କୁହନ୍ତି, ମୁଁ ନହେଲି ନାହିଁ, କିନ୍ତୁ ମୋ ଝିଅ ପାଇଁ ସେ ଦିନେ ମୋ ପାଖକୁ ଫେରି ଆସିବେ।

 

ବିଷ୍ଣୁପ୍ରିୟା ଓ ନଳିନୀଙ୍କ ଭଳି ବାଲେଶ୍ୱରରର ପୂଜା ସିଂହ ନିଜ ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହୋଇ ନିଜ ଝିଅ ଗୌରୀ ସହ ସ୍ୱାମୀଙ୍କ ବାଟକୁ ଚାହିଁ ରହିଛନ୍ତି। ବିବାହ ବେଦିରେ ୭ ଜନ୍ମ ପାଇଁ ଏକାଠି ଜିଇଁବାକୁ ସ୍ୱପ୍ନ ଦେଖୁଥିବା ପୂଜା ଏ ଜନ୍ମରେ ନିଜ ସ୍ୱାମୀଙ୍କର ହୋଇ ପାରିନାହାନ୍ତି କି ଆଗକୁ ଯେ ହେବେ ତା’ର ବି ଗ୍ୟାରେଣ୍ଟି ନାହିଁ। କିନ୍ତୁ ଆଜି ବି ଅନେକ ପୂଜା ନିଜ ସ୍ୱାମୀମାନଙ୍କ ପାଇଁ ସେ ଶଙ୍ଖା ସିନ୍ଦୂର ପିନ୍ଧନ୍ତି। ସାବିତ୍ରୀ ଆସିଲେ ବ୍ରତ କରି ନିଜ ସ୍ୱାମୀଙ୍କୁ ସତ୍ୟବାନର ଆସନରେ ରଖି ମାନସିକ ପୂଜା କରନ୍ତି।

ଆଜି ସାବିତ୍ରୀ

ଭୁବନେଶ୍ୱର : ବିବାହିତା ନାରୀମାନେ କାହିଁ କେଉଁ କାଳୁ ପାଳି ଆସୁଛନ୍ତିି ସାବିତ୍ରୀ ବ୍ରତ।  ପରମ୍ପରା ମୁତାବକ ବିବାହିତ ନାରୀମାନେ ସକାଳୁ ଉଠି ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ପୂଜାକୁ ବାହାରନ୍ତି। ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର ଓ ଚୁଡ଼ି ସହ ୯ ପ୍ରକାରର ଫଳମୂଳ ଓ ଫୁଲ ନେଇ ଭୋଗ ଥାଳି ସଜାନ୍ତି। ଖଜୁରୀ, ପଣସ, ଆମ୍ବ, ସପୁରୀ, ତାଳ ଓ କେନ୍ଦୁ ପୂଜା କରନ୍ତି। ଏହି ଦିନ ନବବିବହାହିତାଙ୍କ ବାପଘରୁ ଭାର ଆସିବାର ପରମ୍ପରା ମଧ୍ୟ ରହିଛି। ରବିବାରଠାରୁ ସାବିତ୍ରୀ ବ୍ରତ ପାଇଁ ବଜାର ସରଗରମ ଥିବା ସହ ବିଭିନ୍ନ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି ସରିଛି। ଖାଲି ଯେ ଏହି ବ୍ରତ ବିବାହିତ ମହିଳାମାନଙ୍କ ମଧ୍ୟରେ ସୀମିତ ତାହା ନୁହେଁ, କିନ୍ନରମାନେ ମଧ୍ୟ ନିଜ ଗୁରୁ ମା’ଙ୍କୁ ସମ୍ମାନ ଜଣାଇ ତାଙ୍କ ଦୀର୍ଘ ଜୀବନ କାମନା କରି ସ୍ୱାମୀ ଭାବେ ପୂଜା କରିବାର ବିଧି ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର