ଚନ୍ଦକାକୁ ଗଡ଼ିବ ସଫାରି

ଗୋଡ଼ିବାରି, ଡେରାସ, ଡମପଡ଼ା, ଭରତପୁରରେ ଉପଲବ୍ଧ, ପ୍ରଥମ ପର୍ଯ୍ୟାୟରେ ୯ଟି ସଫାରି ଆଣିବାକୁ ଯୋଜନା

ଭୁବନେଶ୍ବର : ସଫାରିରେ ବସି ଜଙ୍ଗଲ ବୁଲିବେ ପର୍ଯ୍ୟଟକ। ଛାଇ ଆଲୁଅ ମଧ୍ୟରେ ପକ୍ଷୀଙ୍କ କିଚିରିମିଚିରି ଶବ୍ଦ ଶୁଣିବାକୁ ପାଇବେ। ହରିଣ ଦେଖି‌ବେ। ବିଦେଶୀ ପକ୍ଷୀଙ୍କ ଗହଣରେ ଦୁଇ ଘଣ୍ଟା କାଟିବେ। ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କୁ ଏଭଳି ମଜା ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରିଛି ଜଙ୍ଗଲ ଓ ପରିବେଶ ବିଭାଗ। ଏଥର ପର୍ଯ୍ୟଟନ ଋତୁରେ ଅଭୟାରଣ୍ୟ ଭିତରକୁ ୯ଟି ସଫାରି ଚଳାଇବାକୁ ସ୍ଥିର ହୋଇଛି। ଚଳିତ ମାସ ଶେଷ କିମ୍ବା ଡିସେମ୍ବର ମାସ ପ୍ରଥମାର୍ଦ୍ଧରେ ପର୍ଯ୍ୟଟକଙ୍କ ପାଇଁ ଏହି ସଫାରି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିବା ଚନ୍ଦକା ଡିଏଫ୍‌ଓ କେଦାର କୁମାର ସ୍ବାଇଁ କହିଛନ୍ତି।

ପ୍ରାକୃତି ଓ ବନ୍ୟପ୍ରାଣୀ ପ୍ରେମୀ ତଥା ପର୍ଯ୍ୟଟକଙ୍କ ପାଇଁ ଚନ୍ଦକା ଅଭୟାରଣ୍ୟର ୪ଟି ସ୍ଥାନରେ ସଫାରି ଉପଲବ୍ଧ ହେବ। ଗୋଡ଼ିବାରି, ଡେରାସ, ଡମପଡ଼ା, ଭରତପୁରଠାରୁ ଏହି ସଫାରିଗୁଡ଼ିକ ଚନ୍ଦକା ଜଙ୍ଗଲ ଭିତରକୁ ପ୍ରବେଶ କରିବ। ଉକ୍ତ ସ୍ଥାନଗୁଡ଼ିକରେ ୯ଟି ସଫାରି ଉପଲବ୍ଧ ହେବ। ଗୋଟିଏ ଗ୍ରୁପ୍‌କୁ ସର୍ବାଧିକ ଦୁଇ ଘଣ୍ଟା ଧରି ଜଙ୍ଗଲ ଭିତରେ ବୁଲିବାକୁ ସୁଯୋଗ ମିଳିବ। ଗୋଟିଏ ଦିନରେ ଯେପରି ଏକାଧିକ ଗ୍ରୁପ୍‌ ସଫାରିରେ ବୁଲିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଯେଉଁ ରାସ୍ତା ଦେଇ ସଫାରିଗୁଡ଼ିକ ଯିବ ତାହା ସ୍ଥିର ହୋଇଛି। ନିର୍ଦ୍ଧାରିତ ରାସ୍ତାଠାରୁ ଅଗକୁ ସଫା‌ରି ଗଡ଼ିବ ନାହିଁ। ଘଞ୍ଚ ଜଙ୍ଗଲକୁ ଯିବା ଲାଗି ସଫାରିଗୁଡ଼ିକୁ ଅନୁମତି ମିଳିବ ନାହିଁ। ଅଭୟାରଣ୍ୟରେ ଥିବା ୧୨ଟି ଆକର୍ଷଣୀୟ ସ୍ଥାନକୁ ପର୍ଯ୍ୟଟକମାନଙ୍କୁ ସଫାରି‌ରେ ନିଆଯିବ। ସଫାରି ବୁକିଂ କରିବା ସମୟରେ ଏଥିପାଇଁ ପର୍ଯ୍ୟଟକଙ୍କୁ ରାସ୍ତା ବାଛିବାକୁ ପଡ଼ିବ। ଯଦି ଜଣେ ପର୍ଯ୍ୟଟକ ସହରର କୌଣସି ହୋଟେଲରୁ ସଫାରିରେ ଯିବାକୁ ଚାହିଁବେ ସେଠାରୁ ସୁବିଧା ମିଳିବ। ଏଥିପାଇଁ ଆଗୁଆ ବୁକିଂ କରିବାକୁ ପଡ଼ିବ।

ଅନ୍ୟପକ୍ଷରେ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଡେରାସରେ ଥିବା ପ୍ରାକୃତିକ ପର୍ଯ୍ୟଟନ ସ୍ଥଳର ବିକାଶ କରାଯାଇଛି। ଗୋଡ଼ିବାରି ଅଞ୍ଚଳକୁ ମଧ୍ୟ ଆକର୍ଷଣ କରିବା ଦିଗରେ ପଦକ୍ଷେପ ହାତକୁ ନିଆଯାଇଛି। ଡେରାସରେ ଥିବା ବାଉଁଶ ଘରଗୁଡ଼ିକର ମରାମତି ହୋଇଛି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏହି ଅଞ୍ଚଳରେ ସ୍ବତନ୍ତ୍ର ଟୁର ଗାଇଡ୍‌ମାନେ ନିୟୋଜିତ ହେବେ। ଭରତପୁର ଅଞ୍ଚଳରେ ଖାଲିଥିବା ଜମିରେ ନିମ୍ବ, କରଞ୍ଜ, ବାଉଁଶ, ବର ଗଛ ଲଗାଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୦ ବର୍ଗ କି.ମି ଅର୍ଥାତ୍‌ ୫ ହଜାର ଏକର ଜମିରେ ବୃକ୍ଷ ରୋପଣ କରାଯାଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ବିଭିନ୍ନ ବନ୍ୟଜନ୍ତୁଙ୍କ ସମେତ ଶତାଧିକ ଦେଶୀ, ବିଦେଶୀ ପକ୍ଷୀ ଭରତପୁର ଅଞ୍ଚଳରେ ବସା ବାନ୍ଧି ରହୁଛନ୍ତି। ତେଣୁ ଭରତପୁର ଜଙ୍ଗଲକୁ ଘଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ଚନ୍ଦକା ଗୋଡ଼ିବାରି ପ୍ରାକୃତିକ କ୍ୟାମ୍ପ

ଚନ୍ଦକା ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ରହଣି ପାଇଁ ଗୋଡ଼ିବାରି ଓ ଡେରାସରେ ବ୍ୟବସ୍ଥା କରାଯାଇଛି। ପ୍ରତି ସ୍ଥାନରେ ୨୪ ଜଣ ପର୍ଯ୍ୟଟକ ରହିପାରିବା କ୍ଷମତା ରହିଛି। ଉଭୟ ସ୍ଥାନରେ ୮ଟି ଲେଖାଏ କଟେଜ୍‌ରେ ୮ଟି ରୁମ୍‌ ରହିଛି। ଏଥିରେ ୧୬ ଜଣ ଲେଖାଏ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଆଉ ୮ ଜଣ ଲେଖାଏ ଅଧିକ ପର୍ଯ୍ୟଟକ ରହିପାରିବାର କ୍ଷମତା ରହିଛି। ଡେରାସରେ ବାଉଁଶ ଘରର ବ୍ୟବସ୍ଥା ହୋଇଛି। ଏହି ସ୍ଥାନଗୁଡ଼ିକରେ ରହିବା ପାଇଁ ପର୍ଯ୍ୟଟକଙ୍କୁ ବନ ବିଭାଗ ୱେବସାଇଟ୍‌ରେ ଆଗୁଆ ବୁକିଂ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର