ଅସୁରକ୍ଷିତ ପିକ୍‌ନିକ୍‌: ଜଗିବାକୁ କେହି ନାହାନ୍ତି

ଖଣ୍ଡଗିରି-ଉଦୟଗିରି, ଧଉଳିରେ ବିପଦପୂର୍ଣ୍ଣ ସେଲଫି, ଜୟଦେବ ବାଟିକା ଓ ଶିଖରଚଣ୍ଡିରେ ଜଙ୍ଗଲ ଭିତରେ କେଳି

ଭୁବନେଶ୍ବର: ପିକ୍‌ନିକ୍‌ ଯାଉଛନ୍ତି ଛାତ୍ରଛାତ୍ରୀ। ପାହାଡ଼ ଉପରେ ସେଲ୍‌ଫି ନେଉଛନ୍ତି। ସମୁଦ୍ରରେ ବି ଗାଧୋଉଛନ୍ତି। ଜଙ୍ଗଲ ଭିତରେ ବୁଲୁଛନ୍ତି। ହେଲେ ସେମାନଙ୍କୁ ସୁରକ୍ଷା ଦେବାକୁ କେହି ନାହାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ନିୟମ ହୋଇନଥିବା ବେଳେ ବିଦ୍ୟାଳୟ/କଲେଜ କର୍ତ୍ତୃପକ୍ଷ ବେଫିକର। ଛାତ୍ରଛାତ୍ରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଆସିଲେ କି ନାହିଁ? କୁଆଡ଼େ ଗଲେ? ତାହାର ଖବର କେହି ରଖୁନାହାନ୍ତି। ଛାତ୍ରଛାତ୍ରୀ ନିଜ ଇଚ୍ଛା‌ରେ ପିକ୍‌ନିକ୍‌ ଚାଲି ଯାଉଛନ୍ତି। ନିଜ ତଥା ସାଙ୍ଗମାନଙ୍କ ସୁରକ୍ଷା ପ୍ରତି ଖାତିର କରୁନାହାନ୍ତି। ଯେଉଁଥିପାଇଁ ଦୁର୍ଘଟଣା ଘଟି ଚାଲିଛି। କେଉଁଠି ସମୁଦ୍ରରେ ବୁଡ଼ି ଛାତ୍ରଙ୍କ ଜୀବନ ଯାଉଛି ତ ଆଉ କେଉଁଠି ପାହାଡ଼ରୁ ଖସି ପଡ଼ି ମୃତ୍ୟୁ ହେଉଛି। କେତେକ ଶିକ୍ଷାନୁଷ୍ଠାନ ସେମାନଙ୍କ ପିଲାଙ୍କୁ ନିଜ ଦାୟିତ୍ବରେ ପର୍ଯ୍ୟଟନସ୍ଥଳୀ ବୁଲାଇବାକୁ ନେଉଛନ୍ତି। ସାଙ୍ଗରେ ଯେଉଁ ପରିମାଣର ସୁରକ୍ଷା କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ ରହିବା କଥା, ରହୁନାହାନ୍ତି। ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେଉନାହାନ୍ତି। ପର୍ଯ୍ୟଟନସ୍ଥଳୀ ବୁଲିବା ସମୟରେ ପିଲାମାନେ କେଉଁଆଡ଼େ ଗଲେ, କାହା ସହ ମିଶିଲେ ତାହାର ଖବର ବି ରଖୁନାହାନ୍ତି। ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ପିଲାଙ୍କୁ ବସ୍‌ରେ ନେବା ପରେ ପର୍ଯ୍ୟଟନସ୍ଥଳୀରେ ବୁଲିବାକୁ ଛାଡ଼ି ଦେଉଛନ୍ତି। ସେମାନେ ଅସୁରକ୍ଷିତ ଭାବେ ସମୁଦ୍ରରେ ସ୍ନାନ କରୁଛନ୍ତି, ପାହାଡ଼ ଚଢ଼ୁଛନ୍ତି। ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ବିଶେଷ ଅବଗତ ନ ଥିବାରୁ ନିଛାଟିଆ ସ୍ଥାନକୁ ପଳାଇ ଯାଉଥିବା ଦେଖିବାକୁ ମିଳୁଛି।

ଭୁବନେଶ୍ବରରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଏଭଳି ସମସ୍ୟା ଚିନ୍ତା ବଢ଼ାଇଲାଣି। ଆଜି ଭୁବନେଶ୍ବରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ୩ଜଣ ଛାତ୍ର ଅସ୍ତରଙ୍ଗ ନିକଟ ସମୁଦ୍ରରେ ବୁଡ଼ି ମରିବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଧଉଳି, ଶିଖରଚଣ୍ଡି, ଜୟଦେବ ବାଟିକାକୁ ପ୍ରତିଦିନ ଛାତ୍ରଛାତ୍ରୀ ବୁଲିବାକୁ ଆସି ଏଣେତେଣେ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ପିକ୍‌ନିକ୍‌ କରିବାକୁ ଆସି ଜୟଦେବ ବାଟିକା ଓ ଶିଖରଚଣ୍ଡି ପାହାଡ଼ରେ ଥିବା ଜଙ୍ଗଲ ଭିତରେ କଲେଜ ଛାତ୍ରଛାତ୍ରୀ ଅସଂଯତ ଅବସ୍ଥାରେ ବସୁଥିଲେ ମଧ୍ୟ ରୋକିବାକୁ କେହି ନାହାନ୍ତି। ଧଉଳି, ଶିଖରଚଣ୍ଡି, ଖଣ୍ଡଗିରି, ଉଦୟଗିରି ପାହାଡ଼ ଉପରେ ବେଧଡ଼କ ଭାବେ ସେଲ୍‌ଫି ଉଠାଉଛନ୍ତି। ଟିକିଏ ଅସାବଧାତା ପାଇଁ କେତେବେଳେ ଯେ ଜୀବନ ଚାଲିଯିବ ତାହା କେହି କହିପାରିବେ ନାହିଁ। ନୂଆବର୍ଷ ଦିନ ଉଦୟଗିରି ପାହାଡ଼ ଉପରେ ଫଟୋ ଉଠାଉଥିବା ବେଳେ ଜଣେ ଛାତ୍ରୀ ତଳକୁ ଖସି ପଡ଼ିଥିଲେ। ସୌଭାଗ୍ୟବଶତଃ ବିଶେଷ କିଛି ହୋଇ ନଥିଲା। ସାମାନ୍ୟ ଆହତ ହୋଇଥିଲେ।

ଏଥର ଗାଇଡ୍‌ଲାଇନ୍‌ ଜାରି ହେଲାନି
ବିପଦସଂକୁଳ ଭାବେ ଛାତ୍ରଛାତ୍ରୀ ଷ୍ଟଡି ଟୁର‌୍‌ରେ ଯାଉଥିବା ନେଇ ଅଭିଯୋଗ ହେବା ପରେ ଗତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମ ହୋଇଥିଲା। ପିଲାଙ୍କୁ କିଭଳି ସୁରକ୍ଷିତ ଭାବେ ଷ୍ଟଡି ଟୁର‌୍‌ରେ ବୁଲାଇବାକୁ ନେବେ, ସାଙ୍ଗରେ କେଉଁମାନେ ରହିବେ, ଅଭିଭାବକଙ୍କ ଅନୁମତି କିଭଳି ଆଣିବେ ସେନେଇ କୁହାଯାଇଥିଲା। କିନ୍ତୁ ଏଥର ସେଭଳି କିଛି ବି ଜାରି ହୋଇନି। କେବଳ ଗଣଶିକ୍ଷା ବିଭାଗ ନୁହେଁ, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବି ଗାଇଡ୍‌ଲାଇନ୍‌ କରାଯାଇନି। ଗତବର୍ଷ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା ଯେ ପିଲାଙ୍କ ପାଠ୍ୟକ୍ରମ ଅନୁଯାୟୀ ସ୍ଥାନକୁ ବୁଲାଇବାକୁ ନିଆଯିବ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ପରିଚୟପତ୍ର ପ୍ରଦାନ କରାଯିବ। ଷ୍ଟଡି ଟୁର‌୍‌ରେ ଯାଉଥିବା ପିଲାଙ୍କ ତଥ୍ୟକୁ ନେଇ ଏକ ଡାଟାବେସ୍‌ ପ୍ରସ୍ତୁତ ହେବ। ଏଥିରେ ଅଭିଭାବକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ଠିକଣା, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଦି ଉଲ୍ଲେଖ ରହିବ। ବୁଲିବାକୁ ଯିବା ସମୟରେ ଜଣେ ବରିଷ୍ଠ ଶିକ୍ଷକ, ଛାତ୍ରୀଙ୍କ ପାଇଁ ଜଣେ ଅଭିଜ୍ଞ ଶିକ୍ଷୟିତ୍ରୀଙ୍କୁ ସାଙ୍ଗରେ ନେବା ନିତାନ୍ତ ଆବଶ୍ୟକ। ଡ୍ୟାମ, ପାଵାର ପ୍ଲାଣ୍ଟ, ସମୁଦ୍ରକୂଳ ପରି ସ୍ଥାନକୁ ଯିବାକୁ ଥିଲେ ଜିଲ୍ଲାପାଳ କିମ୍ବା ସେହି ସ୍ତରର ଅଧିକାରୀଙ୍କ ଅନୁମତି ଆଣିବା ନିହାତି ଆବଶ୍ୟକ। ଟୁରରେ ଯଦି ୧୦ରୁ ଅଧିକ ପିଲା ରହିଥିବେ, ତେବେ ସ୍ଥାନୀୟ ଅଞ୍ଚଳର ଜଣେ ଟୁର‌୍‌ ଅପରେଟରଙ୍କୁ ସାଙ୍ଗରେ ନେବାକୁ ହେବ। ଯାହାଙ୍କର ସମ୍ପୃକ୍ତ ଅଞ୍ଚଳ ସମ୍ପର୍କରେ ଜ୍ଞାନ ରହିଥିବା ଆବଶ୍ୟକ। ବସ୍‌ରେ ନେଉଥିଲେ ଡ୍ରାଇଭର ଓ କଣ୍ତକ୍ଟରଙ୍କ ସମ୍ପୂର୍ଣ୍ଣ ତଥ୍ୟ ରଖିବା ବାଧ୍ୟତାମୂଳକ।

ବୁଲୁଛି ପୁଲିସ ଭ୍ୟାନ୍‌
ପଞ୍ଜୀକୃତ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ପୁଲିସ ଭ୍ୟାନ୍‌ ବୁଲୁଛି। ସୁରକ୍ଷା ଯୋଗାଇ ଦିଆଯାଉଛି। ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କିଏ କେମିତି ସେଲ୍‌ଫି ନେଉଛନ୍ତି, କୁଆ‌ଡ଼େ ଯାଉଛନ୍ତି, ତାହା ଉପରେ ନଜର ରଖିବା ପୁଲିସ ପକ୍ଷେ ସମ୍ଭବପର ନୁହେଁ। ସ୍କୁଲ ଓ କଲେଜ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସଚେତନ କରାନ୍ତୁ।
ଅନୁପ ସାହୁ
ଡିସିପି, ଭୁବନେଶ୍ବର

ସମ୍ବନ୍ଧିତ ଖବର