କାଉଁରିଆ କାଠିରେ ଚିତୋର୍‌ ପ୍ୟାଲେସ୍‌

ଭୁବନେଶ୍ୱର : କାଉଁରିଆ କାଠିରେ ଛିଡ଼ା ହେବ ଚିତୋର ପ୍ୟାଲେସ୍‌। ପ୍ଲାଏ ଓ ସୋଲ ଉପରେ କାଉଁରିଆ କାଠିର କମକୁଟ କାରିଗରୀରେ ଚମକିବ ସହିଦନଗର ଦୁର୍ଗାପୂଜା ସମିତିର ସୁଦୃଶ୍ୟ ତୋରଣ। ୧୨୦ ଫୁଟ ଓସାର ଏବଂ ୭୦ ଫୁଟ ଉଚ୍ଚର ଏହି ତୋରଣକୁ କୋଲକାତାସ୍ଥିତ କଣ୍ଟାଇର ୩୫ଜଣ କାରିଗର ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ କେବଳ ୧୨ ଲକ୍ଷ ଟଙ୍କା ଖର୍ଚ ହେବ। ଆଲୁଅ ତୋରଣରେ ବି ଚମକାଇବ ପୂଜା ସମିତି। ୬ଟି ବଡ଼ ଏଲ୍‌ଇଡି ଆଲୁଅ ତୋରଣ ସମେତ ୬୦ଟି ଷ୍ଟ୍ରକ୍ଚର୍‌ ଦୃଷ୍ଟି ଆକର୍ଷଣ କରିବ।

୧୨ ଫୁଟ୍‌ର ଦୁର୍ଗା ମୂର୍ତି ନିର୍ମିତ ହୋଉଥିବା ବେଳେ ଆକର୍ଷଣ ସାଜିବ ରୁପା ମେଢ଼। ଅଢ଼େଇ କୁଇଣ୍ଟାଲ୍‌ ରୁପାରେ ନିର୍ମିତ ମେଢ଼ ସମେତ ସୁନା ଅଳଙ୍କାରେ ସଜେଇ ହେବେ ମା’। ଚଳିତ ବର୍ଷ ମୋଟ୍‌ ବଜେଟ୍‌ ୨୫ରୁ ୩୦ ଲକ୍ଷ ରହିଛି। ସହିଦନଗର ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ହେବାକୁ ଥିବା ଭସାଣି ଯାତ୍ରାରେ ୨୩ଟି ମେଢ଼ ଅଂଶଗ୍ରହଣ କରିବେ। ଅପରାହ୍‌ଣ ୪ଟାରୁ ରାତି ସାଢ଼େ ୧୦ଟା ପର୍ଯ୍ୟନ୍ତ ଧାଡ଼ିଧାଡ଼ି ହୋଇ ମେଢ଼ ସହିଦନଗରରୁ ଯାତ୍ରା କରିବ। ପ୍ରଥମେ ଯେଉଁ ମେଢ଼ ପହଞ୍ଚିବ, ସେଇ ମେଢ଼ ପ୍ରଥମ ଶୋଭଯାତ୍ରାରେ ଅଂଶଗ୍ରହଣ କରିବ। କ୍ରମାନ୍ଵୟରେ ଅନ୍ୟ ମେଢ଼ ସାମିଲ୍‌ ହେବେ। ଭସାଣିରେ ଦୁଲଦୁଲି, ଶିଙ୍ଘ ବାଜା, ପଞ୍ଜାବୀ ବାଜା, ଘଣ୍ଟୁଆ, ଘୋଡ଼ା, ଷଣ୍ଢ ଓ ସମ୍ବଲପୁରୀ ନୃତ୍ୟ ଦେଖିବାକୁ ମିଳିବ। କେବଳ ସହିଦନଗର ପୂଜା କମିଟି ପକ୍ଷରୁ ୧୨୦ ଜଣ ପାରମ୍ପରିକ କଳାକାର ଏଥିରେ ସାମିଲ୍‌ ହେବେ।

‘ମାତା କି ଜାଗରଣ’ ମୁଖ୍ୟ ଆକର୍ଷଣ

ପୂଜା ଅବସରରେ ଦଶମୀ ଦିନ ଆକର୍ଷଣ ସାଜିବ ମାତା କି ଜାଗରଣ। ଦିଲ୍ଲୀ, ଜମ୍ମୁ କଶ୍ମୀର ଓ ପଞ୍ଜାବ ଭଳି ଏଠାରେ ଭଜନରେ ନାଚିବାକୁ ସୁଯୋଗ ସୃଷ୍ଟି କରିବ ଏହି ସ୍ୱତନ୍ତ୍ର ଆୟୋଜନ। ଅନିଲ୍‌ ବାଓ୍ଵରା ଏବଂ ସାଥୀମାନେ ଏହି କାର୍ଯ୍ୟକ୍ରମ ପରିବେଷଣ କରିବେ। ଏଥିସହ ୧୫ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏତଦ୍‌ବ୍ୟତୀତ କମିଟି ପକ୍ଷରୁ ଏଥର ୩ଜଣ ଖେଳାଳି ଏବଂ ଜଣେ ଖେଳ ପ୍ରଶିକ୍ଷକଙ୍କୁ ସମ୍ବର୍ଧିତ କରାଯିବ। ପଡ଼ିଆରେ ମୀନାବଜାର ଖୋଲିବ।

ସଚ୍ଚିଦାନନ୍ଦ ରଥ (ସଭାପତି)

ଦିବ୍ୟାଙ୍ଗ, ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ 

ସୁରକ୍ଷା ଦୃଷ୍ଟିରୁ ୧ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ ହେବେ। ୫୦ଜଣଙ୍କୁ ଏସ୍‌ପିଓ ଭାବେ ନିୟୋଜିତ କରାଯିବ। ଏଥିସହ ୧୦୦ ଜଣ ସ୍ୱେଚ୍ଛାସେବୀ ଶୃଙ୍ଖଳା ଉପରେ ନଜର ରଖିବେ। ପୂଜା ପେଣ୍ଡାଲ୍‌ ଓ ଆଖପାଖରେ ୨୪ଟି ସିସିଟିଭି କ୍ୟାମେରା ଲାଗିବ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥ ରହିବ। ହ୍ଵିଲ୍‌ ଚେୟାର ମଧ୍ୟ ରହିବ। ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଦର୍ଶନରେ ସହଯୋଗ କରିବେ।

ନାରାୟଣ ମହାପାତ୍ର (ସମ୍ପାଦକ)

ଖର୍ଚକୁ ନେଇ ପୂଜା ମଣ୍ଡପ କର୍ମକର୍ତା କୁନ୍ଥକୁନ୍ଥ : ତୋରଣରେ ‘ଫାୟାର ରିଟାର୍ଡାଣ୍ଟ୍‌ ସ୍ପ୍ରେ’

ଭୁବନେଶ୍ୱର : ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଏଥର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ପୂଜା ପେଣ୍ଡାଲ୍‌। ସଟ୍‌ସର୍କିଟ୍‌ ହେଲେ ମଧ୍ୟ ତୋରଣକୁ ନିଆଁ ଧରିବ ନାହିଁ। ‘ଫାୟାର ରିଟାର୍ଡାଣ୍ଟ୍‌ ସ୍ପ୍ରେ’ ସଲ୍ୟୁସନ୍‌କୁ ଏଥର ସବୁ ପୂଜା ମଣ୍ଡପରେ ପ୍ରୟୋଗ କରାଯିବ। ପୂଜା ମଣ୍ଡପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ କୁ ଦୃଷ୍ଟିରେ ରଖି ଏଥର ଏହାକୁ କଡ଼ାକଡ଼ି ପାଳନ କରାଯିବ। ପୁଲିସ୍‌ ପ୍ରଶାସନ ପକ୍ଷରୁ ଏନେଇ ଗୁରୁତ୍ୱାରୋପ ପୂର୍ବକ କାର୍ଯ୍ୟକାରିତା ନେଇ ଅଗ୍ନିଶମ ସେବା ସଂସ୍ଥାକୁ ନିର୍ଦେଶ ଦିଆଯାଇଛି। ତେବେ ଫାୟାର ରିଟାର୍ଡାଣ୍ଟ୍‌ ସ୍ପ୍ରେ ପାଇଁ ଯେଉଁ ଖର୍ଚର ହିସାବ ଆକଳନ ହୋଇଛି ତାହାକୁ ନେଇ ପୂଜା କମିଟି ସଦସ୍ୟଙ୍କ ମୁଣ୍ଡ ଘୂରି ଯାଇଛି। ବଡ଼ବଡ଼ ପୂଜା ମଣ୍ଡପ ପାଇଁ ଏହି ସ୍ପ୍ରେ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ କରିବାକୁ ପଡ଼ିବ। ଚାନ୍ଦା ଆଦାୟ ହ୍ରାସ ପାଇଥିବା ବେଳେ ପୂଜା ବଜେଟ୍‌ରେ ଏହି ଅତିରିକ୍ତ ବୋଝକୁ ଗ୍ରହଣ କରିବାକୁ ପୂଜା ମଣ୍ଡପ ପ୍ରସ୍ତୁତ ନୁହନ୍ତି। ବରଂ ଆଲୋଚନା ଭିତ୍ତିରେ ଏହାର ମୂଲ୍ୟ ହ୍ରାସ ହୋଇପାରିଲେ ଏହାକୁ ପ୍ରୟୋଗ କରିବାରେ କୌଣସି ସମସ୍ୟା ନାହିଁ ବୋଲି ଦୁର୍ଗାପୂଜା ମଣ୍ଡପର କର୍ମକର୍ତାମାନେ କହିଛନ୍ତି।

ପୂର୍ବରୁ ପ୍ରତି ପୂଜା ମଣ୍ଡପରେ ଫାୟାର ଏକ୍ସଟିଙ୍ଗୁଇସର୍‌ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ବ୍ୟବସ୍ଥା ସହ ପ୍ରାୟ ସମସ୍ତ ପୂଜା ମଣ୍ଡପ ସାମିଲ୍‌ ଅଛନ୍ତି। ଏଥିପାଇଁ ପୂଜା ମଣ୍ଡପ ପକ୍ଷରୁ ଅଗ୍ନି ନିରାପତ୍ତା ତାଲିମ୍‌ କେନ୍ଦ୍ରରୁ ଏକ୍ସଟିଙ୍ଗୁଇସର୍‌ ପିଚ୍ଛା ୧ହଜାରରୁ ୧୨୦୦ ଟଙ୍କା ଦେଇ ଭଡ଼ାରେ ଅଣାଯାଏ। ବଡ଼ ପୂଜା ମଣ୍ଡପରେ ୧୦ରୁ ୧୫ଟି ଫାୟାର ଏକ୍ସଟିଙ୍ଗୁଇସର୍‌ ଖଞ୍ଜାଯାଏ। ପୂଜା ମଣ୍ଡପକୁ ଏଥିପାଇଁ ୧୦ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ କରିବାକୁ ପଡ଼େ। ଏହାକୁ ଆପଣେଇବାକୁ ପୂଜା ମଣ୍ଡପ ପ୍ରସ୍ତୁତ। ମାତ୍ର ଫାୟାର ରିଟାର୍ଡାଣ୍ଟ୍‌ ବ୍ୟୟ ବହୁଳ ହୋଇଥିବାରୁ ଏହାକୁ ଆପଣାଇବା ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ପୂଜା ମଣ୍ଡପର କର୍ମକର୍ତା।

ଫାୟାର ରିଟାର୍ଡାଣ୍ଟ୍‌ ସ୍ପ୍ରେ କ’ଣ

୫ଟି ରସାୟନିକ ପଦାର୍ଥର ମିଶ୍ରଣରେ ଏହାକୁ ପ୍ରସ୍ତୁତ କରାଯାଏ। ଏହାକୁ ଯେକୌଣସି ଦହନଶୀଳ ପଦାର୍ଥ ଉପରେ ସ୍ପ୍ରେ କରାଗଲେ ସେ ସ୍ଥାନରେ ନିଆଁ ଲାଗିଲେ ବି ତାହା କୌଣସି ବଡ଼ କ୍ଷତି ପହଞ୍ଚାଏ ନାହିଁ। ଯେଉଁ ସ୍ଥାନରେ ନିଆଁ ଲାଗେ କେବଳ ସେଇ ସ୍ଥାନରେ କ୍ଷତ ସୃଷ୍ଟି ହୁଏ। ମାତ୍ର ଚାରିଆଡ଼କୁ ଏହା ବ୍ୟାପେ ନାହିଁ। ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ନିଆଁ ବ୍ୟାପିବାର କୌଣସି ସମ୍ଭାବନା ନଥାଏ। ପୂଜା ପେଣ୍ଡାଲ୍‌ରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ଏହା ଅତ୍ୟନ୍ତ ଉପାଦେୟ ବୋଲି ଅଗ୍ନିଶମ ସଂସ୍ଥାର ଉପ ଅଗ୍ନିଶମ ଅଧିକାରୀ (ଡିଏଫ୍‌ଓ) ରମେଶ ଚନ୍ଦ୍ର ମାଝୀ କହିଛନ୍ତି।

ପୂଜା ମଣ୍ଡପଗୁଡ଼ିକ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ

ପୂଜା ମଣ୍ଡପଗୁଡ଼ିକ କପଡ଼ା, ପ୍ଲାଏ, କାଠ, ବାଉଁଶ ଭଳି ଦହନଶୀଳ ସାମଗ୍ରୀକୁ ନେଇ ପ୍ରସ୍ତୁତ ହୋଇଥାଏ। ପୂଜା ମଣ୍ଡପରେ ବିଦ୍ୟୁତ ବ୍ୟବସ୍ଥା ରହୁଥିବା ବେଳେ ସର୍ଟ୍‌ସର୍କିଟ୍‌ ହେବାର ସମ୍ଭାବନା ଥାଏ। ବଜ୍ରପାତ ଯୋଗୁଁ ଦୀର୍ଘକାୟ ତୋରଣ ପୋଡ଼ିଯିବାର ବି ସମ୍ଭାବନା ରହିଛି। ଦୀପରୁ ମଧ୍ୟ ଆକସ୍ମିକ ନିଆଁ ଲାଗିଯାଇପାରେ। କିଛି ପୂଜା ମଣ୍ଡପ ତୋରଣରେ ସାଜସଜାରେ ପାହାଡ଼ ପର୍ବତ କରୁଥିବା ବେଳେ ତୋରଣ ମଧ୍ୟକୁ ପ୍ରବେଶ ପଥ କାରିଗରୀ କାମ ଯୋଗୁଁ ଅଣଓସାରିଆ ହୋଇଥାଏ। ତେଣୁ ତୋରଣ ଉପରେ ଫାୟାର ରିଟାର୍ଡାଣ୍ଟ୍‌ ସ୍ପ୍ରେ କରାଗଲେ ଧନଜୀବନ କ୍ଷତିର ଭୟ ନଥାଏ।

ସମ୍ବନ୍ଧିତ ଖବର