ସାଇ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ଛାତ୍ର ସମ୍ମାନିତ

ଚନ୍ଦ୍ରଶେଖରପୁର: ଜେଇଇ ଆଡଭାନ୍ସଡ୍‌ ପରୀକ୍ଷାରେ କୃତିତ୍ବ ହାସଲ କରିବା ସହ ଓଡ଼ିଶା ପାଇଁ ଗୌରବ ଆଣିଥିବା ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି। ଶୁଭେଚ୍ଛା ଜଣାଇବା ସହ କୃତୀ ଛାତ୍ରଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି। ଶିକ୍ଷା ଓ ନିଜ ଦକ୍ଷତା ମାଧ୍ୟମରେ ରାଜ୍ୟ ଓ ଦେଶ ପାଇଁ କିଛି କରିବାର ଜିଜ୍ଞାସା ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସୂଚନା‌ଯୋଗ୍ୟ ଯେ, ଗତ ୧୪ ତାରିଖରେ ପ୍ରକାଶିତ ଜେଇଇ ଆଡଭା‌ନ୍ସଡ୍‌‌ରେ ସର୍ବଭାରତୀୟସ୍ତରରେ ଶ୍ରେଷ୍ଠ ଶହେ ମଧ୍ୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ୪ ଜଣ ଛାତ୍ର ରହିଥିଲେ। ଛାତ୍ର ସାୟନ୍ତନ ଧର୍‌ ସର୍ବଭାରତୀୟସ୍ତରରେ ୫୧ତମ ରୢାଙ୍କରେ ରହି ଖଡ଼ଗପୁର ଜୋନ୍‌ରେ ୫ମ ସ୍ଥାନ ହାସଲ କରିଥିଲେ। ଛାତ୍ର ଶିବାଶିଷ ନାୟକ ସର୍ବଭାରତୀୟ ସ୍ତରରେ ୫୮ତମ, ପ୍ରତୀକ ଚୌଧୁରୀ ୮୩ ଓ ଜ୍ଞାନରଞ୍ଜନ ବେହୁରା ଅନୁସୂଚିତ ଜାତି ବର୍ଗରେ ଦେଶରେ ୬ ନମ୍ବର ରୢାଙ୍କରେ ରହିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଚେୟାରମ୍ୟାନ ଡ. ବିଜୟ କୁମାର ସାହୁ, ସିନିଅର ପ୍ରିନ୍ସିପାଲ୍‌ ନୀଳକଣ୍ଠ ପାଣିଗ୍ରାହୀ ଓ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଭୁବନେଶ୍ବର କେନ୍ଦ୍ରର ନିର୍ଦେଶକ ଏ.ବି. ସି˚ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର