ସାଇକିଶୋର ଡେଭେଲପର୍ସ ଠକେଇ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ

କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ସାଇ କିଶୋର ଡେଭେଲପର୍ସ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ସଂସ୍ଥାର ପରିଚାଳନା ନିର୍ଦେଶକ ଓ ନିର୍ଦେଶକଙ୍କୁ ଗିରଫ ଦାବି କରି ଆଜି ଶତାଧିକ ଜମାକାରୀ କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହି ଠକେଇ ସଂପର୍କରେ ଜମାକାରୀମାନେ ୨୦୧୪ ମସିହାରୁ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ ମଧ୍ୟ ଏଯାଏ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଯାହାକୁ ନେଇ ସେମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତି କରିଛନ୍ତି।

ଜମାକାରୀମାନଙ୍କ କହିବା ମୁତାବକ, ୨୦୧୦ ମସିହାରେ ସଂସ୍ଥା ପକ୍ଷରୁ ଖୋର୍ଧାର ମଳିପଡ଼ା, ସାରୁଅ, ଗାନ୍ଧୀ ଛକ, ପଟିଆ ଓ ଚୌଦ୍ୱାର ଅଞ୍ଚଳରେ ଜମି ଦେବାକୁ କୁହାଯାଇଥିଲା। ଏ ନେଇ ପାଖାପାଖି ୧୫ଶହ ଲୋକ ଜମି କିଣିବା ପାଇଁ ସଂସ୍ଥାର ନିକୋପାର୍କ, ବାଦାମବାଡ଼ି ଓ ଖାରବେଳନଗର ଅଞ୍ଚଳରେ ଥିବା କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏ ବାବଦରେ ଜମାକାରୀମାନେ ପାଖାପାଖି ୧୦ କୋଟି ଟଙ୍କା ଜମା କରିଥିଲେ। କିନ୍ତୁ ସଂସ୍ଥା ପକ୍ଷରୁ କୌଣସି ଜମି ଯୋଗାଇ ଦିଆଯାଇ ପାରି ନ ଥିଲା। ସଂସ୍ଥା ପକ୍ଷରୁ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ସଂସ୍ଥା ଟଙ୍କା ଫେରସ୍ତ କରି ନ ଥିଲା। ଏ ନେଇ ଜମାକାରୀମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ପରେ ପରେ ଜମାକାରୀମାନେ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିଥିଲେ। କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମାମଲା ମଧ୍ୟ ରୁଜୁ ହୋଇଥିଲା। କିନ୍ତୁ ଏଯାଏ ଅଭିଯୁକ୍ତ ତଥା ଏମ୍‌ଡି ବିନାୟକ ମୁଦୁଲି ଓ ନିର୍ଦେଶକ କିଶୋର ସେନା ଗିରଫ ହୋଇ ନାହାନ୍ତି। ତେଣୁ ତୁରନ୍ତ ଏ ଦୁଇ ଜଣଙ୍କୁ ଗିରଫ କରିବାକୁ ଜମାକାରୀମାନେ ଦାବି କରିବା ସହ ଏ ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର