‘ସମ୍ବାଦ’ ପକ୍ଷରୁ ‘ଭୁବନେଶ୍ବର ସାଇକ୍ଲୋଥନ୍‌’ ସୁସ୍ଥ ରଖିବ ସାଇ‌େକଲ୍‌

ଭୁବନେଶ୍ବର: କେହଲା ପାଗ। ତା’ ସାଙ୍ଗକୁ ହାଲକା ବର୍ଷା ଓ ସୁଲୁସୁଲିଆ ପବନ। ସକାଳୁ ସକାଳୁ ଏଭଳି ଏକ ପରିବେଶରେ ‘ସମ୍ବାଦ’ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ‘ଭୁବନେଶ୍ବର ସାଇକ୍ଲୋଥନ୍‌’। ସବୁ ବର୍ଗର ଓ ବୟସର ବ୍ୟକ୍ତିମାନେ ଏଥିରେ ସାମିଲ ହୋଇ ରାଜଧାନୀ ରାଜରାସ୍ତାରେ ସାଇକେଲ୍‌ ଚଲାଇବାର ନିଆରା ମଜା ଉଠାଇଥିଲେ। ଶିଖରଚଣ୍ତୀ ମନ୍ଦିର ପାଦଦେଶରୁ ଆରମ୍ଭ ହୋଇଥିଲା ସାଇକ୍ଲୋଥୋନ୍‌। ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିମାନେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କହିଲେ ସକାଳୁ ସକାଳୁ ସାଇକେଲ୍‌ ଚଲାଇବା ଦ୍ବାରା ନିଜେ ଫିଟ୍‌ ରହିବା ସହ ପରିବେଶକୁ ଭଲ ରଖିପାରିବା। ଏହା ଆମ ସମସ୍ତଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ। ବର୍ତମାନ ସମୟରେ ଗାଡ଼ି ସଂଖ୍ୟା ଯେଉଁଭଳି ଭାବେ ବଢ଼ିଛି, ତାହାକୁ ଦୃଷ୍ଟିରେ ରଖି ସାଇକେଲ୍‌ର ବହୁତ ଆବଶ୍ୟକତା ରହିଛି। ଗରିବ, ଯୁବକ, ଛାତ୍ର, ବୟସ୍କ ସବୁ ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ସାଇକେଲ୍‌ ଚଲାଇବା ଦରକାର। ବାହାର ଦେଶରେ ଶିଳ୍ପପତିମାନେ ବି ସାଇକେଲ୍‌ ଚଲାଉଛନ୍ତି। କିନ୍ତୁ ଆମେ ପରିବା କିଣିବାକୁ ଗଲେ ମଧ୍ୟ ବାଇକ୍‌ ନ ହେଲେ ବାହାରୁନୁ। ଏଥିପ୍ରତି ସଜାଗ ହେବାକୁ ପଡ଼ିବ। ଅନାବଶ୍ୟକ ଭାବେ ଗାଡ଼ି ଚଲାଇବା ନାହିଁ। ସାଇକେଲ୍‌ ଆମକୁ ଫିଟ୍‌ ରଖିବା ସହ ପରିବେଶକୁ ରକ୍ଷା କରିବ।

‘ସମ୍ବାଦ’ର ସମ୍ପାଦକ ତଥା ସା˚ସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥିମାନଙ୍କୁ ସ୍ବାଗତ କରି କହିଲେ ୪ ବର୍ଷ ତଳେ ବିଶ୍ବ ହୃଦୟ ଦିବସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏବେ ‘ସମ୍ବାଦ’ ପକ୍ଷରୁ କାର୍ଯ୍ୟକ୍ରମକୁ ନିୟମିତ ଭାବେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆତ୍ମନିର୍ଭରଶୀଳତା, ଆତ୍ମବିଶ୍ବାସ ଓ ସ୍ବାଭିମାନର ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଉଛି। ସାଇକେଲ୍‌ ଚଲାଇବା ଦ୍ବାରା ନିଜେ କିଛି କରି ଦେଖାଇବାର ସାମର୍ଥ୍ୟ ଓ ପ୍ରବଳ ଇଚ୍ଛା ଶକ୍ତି ଜାଗ୍ରତ ହୋଇଥାଏ। ସାଇକେଲ ଚଲାଇଲେ ପେଟ୍ରୋଲ ଦରକାର ନାହିଁ କି ଅନ୍ୟ କାହା ଉପରେ ନିର୍ଭର କରିବାର ଆବଶ୍ୟକତା ପଡ଼ିବନି। ଯଦି ପାଦ ସଶକ୍ତ ଅଛି, ହାତ ହାଣ୍ତେଲ ଉପରେ ରହିଛି ଓ ଲକ୍ଷ୍ୟ ସ୍ଥିର ହୋଇଛି ତେବେ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ପରି ହିମାଳୟ ଚଢ଼ିପାରିବ। ପୁଲିସ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଲେ ସାଇକେଲ୍‌ ହାତରେ ରହିଲେ ସୁସ୍ଥ ରହିବାର ଆଉ ଏକ ପରିଚୟ ସୃଷ୍ଟି ହୁଏ। ହୃଦୟ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ସୁଖୀ ଓଡ଼ିଶା, ସୁସ୍ଥ ଓଡ଼ିଶା ବାର୍ତ୍ତା ନେଇ ଆମକୁ ଆଗକୁ ବଢ଼ିବାକୁ ହେବ। ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଲେ, ସାଇକେଲ୍‌ ଚଲାଇବା ଦ୍ବାରା ନିଜେ ସୁସ୍ଥ ରହିବା ଓ ପରିବେଶକୁ ସୁସ୍ଥ ରଖିବା। ବର୍ତମାନ ସମୟରେ ସାଇକେଲ୍‌ ଚଲାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ମାର୍ଟ ସିଟିରେ ସାଇକେଲ୍‌ ଟ୍ରାକ୍‌ କରିଛନ୍ତି। ତାହାର ଭରପୂର ଉପଯୋଗ କରିବା ଦରକାର। ୪ ବର୍ଷ ତଳେ ‘ସମ୍ବାଦ’ ପକ୍ଷରୁ ଆରମ୍ଭ କରାଯାଇଥିବା ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଲୋକାଭିମୁଖୀ ହେବ ବୋଲି ଆଶା କରୁଛି।

ଅଭିନେତା ସବ୍ୟସାଚୀ କହିଲେ, ରାମାଣ୍ଟିକ୍‌ ପାଗରେ ହୃଦୟ ଅଧିକ ଧକ୍‌ଧକ୍‌ ହୋଇଥାଏ। ଅନ୍ୟର ଭଲ ପାଇବାକୁ ବୁଝିବା ପାଇଁ ହୃଦୟ ସଫା ଥିବା ଆବଶ୍ୟକ। ପରିସ୍କାର ହୃଦୟରେ ଯେତିକି ଭଲ ପାଇବା ବାଣ୍ଟିପାରିବେ, ଦେଇପାରିବେ, ଆପଣାଇପାରିବେ ତାହା କେବେ ବି ମଇଳା ହୃଦୟରେ ସମ୍ଭବ ହେବ ନାହିଁ। ସମସ୍ତେ ନିଜ ହୃଦୟକୁ ସଫା ରଖିବାକୁ ସେ ଆହ୍ବାନ ଦେଇଥିଲେ। ନିଜେ ସୁସ୍ଥ ରହିବା ସହ ପରିବେଶକୁ ସୁସ୍ଥ ରଖିବା ପାଇଁ ଅଭିନେତ୍ରୀ ଅର୍ଚ୍ଚିତା ବାର୍ତ୍ତା ଦେଇଥିଲେ। କ୍ରୀଡ଼ାବିତ୍‌ ଅନୁରାଧ ବିଶ୍ବାଳ ସୁସ୍ଥ ସମାଜ ଗଠନ ପାଇଁ ପ୍ରଥମେ ନିଜେ ଫିଟ୍‌ ରହିବାକୁ ପରାମର୍ଶ ଦେଇଥିଲେ। ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶ, ‘ଶୁଭ ଜୁଏଲର୍ସ’ର ନିର୍ଦେଶକ ସଞ୍ଜୀବ ହ˚ସ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶ˚ସା କରିବା ସହ ସାଇକ୍ଲୋଥୋନ୍‌ରେ ଅ˚ଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନେୟର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ୩୦ ମିନିଟ୍‌ ଧରି ସାଇକେଲ୍‌ ଚଲାଇବା ପରେ ଚାଳକମାନେ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ସେଠାରେ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରି‌କେଟର ମହମ୍ମଦ ଜାଫର୍‌ ଇକ୍‌ବାଲ୍‌ ଉପସ୍ଥିତ ରହି ସାଇକ୍ଲୋଥନ୍‌ରେ ଭାଗନେଇଥିବା ଚାଳକମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ଚାଳକମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦିଆଯାଇଥିଲା। ‘ଆମ୍ରି’ ହସ୍ପିଟାଲ ପକ୍ଷରୁ ଆଶୁ ଚିକିତ୍ସା ବ୍ୟବସ୍ଥା ହୋଇଥିଲା।

ସାଇକେଲ୍‌ ଟ୍ରାକ୍‌ରେ ଗଡ଼ିଲା ସାଇକେଲ୍‌
ସକାଳୁ ରାସ୍ତା ଥିଲା ଶୂନଶାନ୍‌। ନା ଥିଲା ରାସ୍ତା ଉପରେ କାର୍‌, ବାଇକ୍‌ର ପାର୍କିଂ ଟେନ୍‌ସନ୍‌ ନା ଟ୍ରାଫିକ୍‌ କଟକଣା। ସାଇକେଲ୍‌ ଟ୍ରାକ୍‌ରେ ଗଡ଼ିଥିଲା ହଜାରରୁ ଅଧିକ ସାଇକେଲ୍‌। ସାଇକେଲ୍‌ ଚାଳକମାନେ ଶିଖରଚଣ୍ଡୀରୁ ବାହାରି କିଟ୍‌ ଛକ ଦେଇ ମାଗନାଇଟ୍‌ ଛକ, ପଟିଆ, ଡମଣା, ନାଲକୋ ଛକ, ଜାଭିଅର ଛକ, ଜୟଦେବ ବିହାର ଛକ ଦେଇ କଳିଙ୍ଗ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ପ୍ରାୟ ୧୦ କିମି ଏହି ରାସ୍ତାର ଟ୍ରାକ୍‌ରେ ତିଆରି ହୋଇଥିବା ସାଇକେଲ୍‌ ଟ୍ରାକ୍‌କୁ ବ୍ୟବହାର କରିଥିଲେ ଚାଳକ। ହୃଦୟ ଖୋଲି ସାଇକେଲ୍‌ ଚଲାଇଥିଲେ। କେହି ବି ପ୍ରତିବନ୍ଧକ ସାଜି ନଥିଲେ। ବାଟରେ ଝିପିଝିପି ବର୍ଷା ହେଉଥିବାରୁ ଏହାର ଭରପୂର ମଜା ଉଠାଇଥିଲେ ସମସ୍ତେ।

ସମସ୍ତେ ସାଇକେଲ୍‌ ଚଲାଇବା ଦରକାର
ଭଗବାନଙ୍କ କୃପାରୁ ଆଜି ସକାଳୁ ବର୍ଷା ହେବାରୁ ସାଇକେଲ୍‌ ଚଲାଇବାର ମଜା ଲାଗିଲା। ଛୋଟ ପିଲାଙ୍କଠାରୁ ବରିଷ୍ଠ ନାଗରିକମାନେ ଏଥିରେ ସାମିଲ ହୋଇଥିବାରୁ ବହୁତ ଭଲ ଲାଗିଲା। ସାଇକେଲ୍‌ ଚଲାଇବା ଦ୍ବାରା ଶରୀର ସୁସ୍ଥ ରହିଥାଏ। ପ୍ରତି ବ୍ୟକ୍ତି ସାଇକେଲ୍‌ ଚଲାଇବାର ଆବଶ୍ୟକତା ରହିଛି।
ସଲାବ ଶର୍ମା
ମାର୍କେଟିଂ ହେଡ୍‌, ଫ୍ରିଡମ୍‌ ଅଏଲ୍‌

ମୁଁ ମଝିରେ ମଝିରେ ସାଇକେଲ୍‌ ଚଲାଏ। ହେଲେ ‘ସମ୍ବାଦ’ର ଏଭଳି ସାଇକ୍ଲୋଥନ୍‌ ଗୋଟିଏ ଦିନ ନୁହେଁ ବରଂ ସବୁଦିନ ସାଇକେଲ୍‌ ଚଲାଇବା ପାଇଁ ଉତ୍ସାହ ଯୋଗାଇଛି। ଆଜିର ସାଇକ୍ଲୋଥନ୍‌ ଟିକେ ନିଆରା ଥିଲା। ବିଶେ‌ଷ କରି ବର୍ଷା ଯୋଗୁଁ ଆମେ ଏହାର ଅଧିକ ମଜା ଉଠାଇଥି‌ଲୁ।
ସିଦ୍ଧିୟ ହାଇବୁରୁ, ଶୈଳଶ୍ରୀ ବିହାର
ଗତ ତିନିବର୍ଷ ହେବ ମୁଁ ସାଇକେଲ୍‌ ଚଲାଉଛି। ଭୁବନେଶ୍ବରରେ କୌଣସି ବି ମାରାଥନ୍‌ ହେଉ କି ସାଇକ୍ଲୋଥନ୍ ଖବର ପଇବାମାତ୍ରେ ଅଂଶଗ୍ରହଣ ପାଇଁ ମୁଁ କଳିଙ୍ଗନଗରରୁ ଭୁବନେଶ୍ବର ଚାଲିଆସେ। ‘ସମ୍ବାଦ’ ବର୍ଷକୁ ଥରେ ବଦଳରେ ୩ଥର ସାଇକ୍ଲୋଥନ୍ କରିବା ଦରକାର।
ସନ୍ତୋଷ କୁମାର, ଟାଟାଷ୍ଟିଲ୍‌ ଯାଜପୁର
ସାଇକ୍ଲୋଥନ୍‌ରେ ଭାଗ ନେବା ଏହା ମୋର ପ୍ରଥମ। ପୂର୍ବରୁ ସାଇକ୍ଲୋଥନ୍‌ରେ ଭାଗ ନେବାକୁ ଆସିବି ଆସିବି ଭାବେ ହେଲେ ଆସିପାରେନି। ପ୍ରଥମ ଥର ଏତେ ଲୋକଙ୍କ ସହ ମିଶି ସାଇକେଲ୍‌ ଚଲାଇବାର ମଜା ଅନୁଭବ କଲି। ଆଗକୁ‌ ଯେତେ ସାଇକ୍ଲୋଥନ ହେବ ସବୁଥିରେ ଭାଗ ନେବି। ସାଇକେଲ୍‌ ଚଲେଇଲେ ଦେହ ଫୁର୍ତ୍ତି ରହିବ। ତେଣୁ ସମସ୍ତେ ସାଇକେଲ୍‌ ଚଲାନ୍ତୁ।
ସିଦ୍ଧାନ୍ତ ଦାସ, ଡମଣା
ନିହାତି ଦୂରବାଟ ନ ହେଲେ ଲୋକମାନେ ବାଇକ୍‌ କି କାର ବ୍ୟବହାର ନ କରନ୍ତୁ। ଲୋକମାନେ କାର୍‌, ବାଇକ୍‌ ଛାଡ଼ି ସାଇକେଲ୍‌ ଚଲାନ୍ତୁ। ଫଳରେ ପରିବେଶ ପ୍ରଦୂଷଣକୁ ରୋକାଯାଇ ପାରିବ। ସେହିପରି ଦିନକୁ ଦିନ ଯେଭଳି ପେଟ୍ରୋଲ୍‌ ଦର ବଢ଼ୁଛି ତାହା ଉପରେ ଅଙ୍କୁଶ ଲାଗି। ସମସ୍ତ ସଂସ୍ଥା ଏଭଳି ସାଇକ୍ଲୋଥନ୍‌ କରନ୍ତୁ। ଯାହାକି ସାଇକେଲ୍‌ ଚଲାଇବା ପାଇଁ ଉତ୍ସାହ ଯୋଗାଇବ।
ପ୍ରଶାନ୍ତ କୁମାର ସାହୁ, ଡମଣା
କଲେଜରେ ପଢ଼ିବା ବେଳେ ସାଇକେଲ୍‌ ପ୍ରତିଯୋଗିତାରେ ଭାଗ ନେଉଥିଲି। ଏବେ ଭୁବନେଶ୍ବରରେ ସାଇକେଲ୍‌ ଚଲାଇବା ସହଜ ‌ହୋଇଛି। ଯେତେବେଳେ ବି ଏଭଳି ସାଇକେଲ୍‌ ଚଲାଇବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ସେଥିରେ ଭାଗ ନେବାକୁ ପସନ୍ଦ କରେ। ବର୍ଷା ପାଗରେ ସାଇକେଲ୍‌ ଚଲାଇବା ବହୁତ ଭଲ ଲାଗୁଛି।
ବୀଣାପାଣି ନାୟକ, ଡମଣା ବାସିନ୍ଦା

ସମ୍ବନ୍ଧିତ ଖବର