ସମ୍ବାଦ ପକ୍ଷରୁ ଶିଶୁ ଦିବସ ପାଳନ, କୁନି ପାଦର ମନ ଭରି ନାଚିଲେ ଶିଶୁ

ଭୁବନେଶ୍ବର: ମନ ଖୋଲା ହସ। କୁନି ପାଦର ନୃତ୍ୟ। ଖନେଇ ଖନେଇ ଗୀତ। ଅଣ୍ଟାଭଙ୍ଗା ଚାଲି। ଅଧା ଖଣ୍ଡିଆ ନାଚ। ରଙ୍ଗ ବେରଙ୍ଗର ପୋଷାକରେ, ରଙ୍ଗିନ୍‌ ଆଲୋକ ତଳେ ଏମିତି ମତୁଆଲା କରିଥିଲେ ଯେ, ଉପସ୍ଥିତ ଶିକ୍ଷକ/ଶିକ୍ଷୟିତ୍ରୀ, ଅତିଥି ଓ ଅଭିଭାବକମାନେ ହସି ହସି ବେଦମ୍‌ ହୋଇ ଯାଇଥିଲେ। ଶିଶୁ ଦିବସର ପୂର୍ବ ସନ୍ଧ୍ୟାରେ ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ପରିସରରେ ‘ସମ୍ବାଦ’ ଓ ବ୍ଲୁସୁମ୍‌ସ ସ୍କୁଲ୍‌ର ମିଳିତ ସହଯୋଗରେ ଆୟୋଜିତ ‘ହାପି ଚିଲ୍‌ଡ୍ରେନ୍‌ସ ଡେ’ କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଥିଲା ଏପରି ଏକ ନିଆରା ପରିବେଶ। ନା ଥିଲା ବାପା, ମା’ଙ୍କ ଆକଟ।, ନା ଥିଲା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ନାଲିଆଖିର ଡର। ଏଭଳି ଏକ ବାତାବରଣ ଭିତରେ ମନଭରି ନୃତ୍ୟ ଗୀତରେ ଝୁମିଥିଲେ କୁନି କୁନି ପିଲା। ଟେଡି ସହିତ ସେଲ୍‌ଫି ପାଇଁ ମଧ୍ୟ ଚାଲିଥିଲା ପ୍ରତିଯୋଗିତା।  କୁନିକୁନି ପିଲାଙ୍କ ମନଖୋଲା ହସ, ଅଧାବୁଝା ଅଭିବ୍ୟକ୍ତି, ଓଡ଼ିଶୀ ନୃତ୍ୟରେ ଅଭିଭାବକମାନେ ବି ‌ବିଭୋର ହୋଇପଡ଼ିଥିଲେ। କଣ୍ଠଶିଳ୍ପୀ ଅନନ୍ୟା, ଅଂଶୁମାନ୍‌ ଓ ବିଶ୍ବଜିତଙ୍କ ହାଏତୋ…ହାଏତୋ…ପ୍ରେମର ରଙ୍ଗୋଲି…, ଆଜିଠାରୁ ଷ୍ଟାର୍ଟ ହେଲା ପ୍ୟାର୍‌କି ଯୋଡ଼ି…, ଔଷଧ ନେଇ ଆ ଜାନିଆ… ଆଦି ଗୀତ ତାଳେ ତାଳେ ପିଲାମାନଙ୍କ ନୃତ୍ୟ ବେଶ ଆକର୍ଷଣୀୟ ଥିଲା। ସେହିପରି ସୁଧାଂଶୁଙ୍କ ଯାଦୁ ପିଲାମାନଙ୍କ ସମେତ ଅଭିଭାବକଙ୍କୁ ଭରପୂର ମନୋରଂଜନର ଖୋରକ୍‌ ଯୋଗାଇଥିଲା।

କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ସହ ଭାବବିନିମୟ କରିବା ସହିତ ପରୋପକାର ପାଇଁ ଉପଦେଶ ଦେଇଥିଲେ। ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ‌ନୈୟର ପଟ୍ଟନାୟକ କହିଥିଲେ, ପିଲାମାନଙ୍କ ଦକ୍ଷତାକୁ ଲୋକଲୋଚନକୁ ଆଣିବା ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ‘ସମ୍ବାଦ’ର ସିଓଓ କମଳାକାନ୍ତ ମହାପାତ୍ର, ମାନବସମ୍ବଳ ବିଭାଗର ଉପ ମହାପ୍ରବନ୍ଧକ ବୈଜୟନ୍ତୀ କର, ଚିଫ୍ ମାର୍କେଟିଂ ଅଫିସର ରାଜୀବ ଶ୍ରୀବାସ୍ତବ, ମାର୍କେଟିଂ(ଡି‌ଜିଏମ୍‌) କଲ୍ୟାଣେନ୍ଦୁ ନାୟକ, ବ୍ଲୁସୁମ୍‌ସ ସ୍କୁଲ୍‌ର ନିର୍ଦେଶିକା ନଦିଆ ‌େମାଗଭେଲ୍‌ପୁର, ନିର୍ଦେଶକ ତୌରାଜ ନଦିଆ େମାଗଭେଲ୍‌ପୁର, ଏସ୍‌ପ୍ଲାନେଡ୍‌ର ମାର୍କେଟିଂ ମ୍ୟାନେଜର ଶ୍ୟାମା ଝା, ଜେନେକ୍ସ ଫର୍ଟିଲିଟିର ନିର୍ଦେଶିକା ସିନି ଭେନୁଗୋପାଳ, ଆଶାନୀ ଏକା‌ଡେମିର ରବୀନ୍ଦ୍ର ଗୌଡ଼ା, ଜେନେକ୍ସ ଡାଇଗ୍ନୋସିସ୍‌ର ହରିହର ରଥ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମ ପରିଳାନାରେ ସହଯୋଗର ହାତ ବଢ଼ାଇଥିଲେ ଜ୍ୟୋତି ମୋଟର୍ସ, ଆଶାନୀ ଏକାଡେମି, ଶୁଭ ଜୁଏଲର୍ସ, ୱେଫେ, କେଏସ୍‌ ଫର୍ଣ୍ଣିସିଂ, ଜେନେକ୍ସ ଫର୍ଟିଲିଟି କେୟାର ଆଣ୍ଡ ୱିମେନ୍ସ ହେଲ୍ଥ କ୍ଲିନିକ୍, ରାଜ୍‌ ଇଲେ‌‌େକ୍ଟ୍ରାନିକ୍ସ, ବରାକାକରା ରେସ୍ତୋରାଁ, ଅଡିୟମ କ୍ଲିନିକ୍, ଟାଇମ୍‌ ଜୋନ୍‌, ବର୍ଗର କିଙ୍ଗ, କନକ ଟିଭି, ରେଡିଓ ଚକ‌ୋଲେଟ୍‌ ଏବଂ ଆଇଡିଆ କ୍ରିଏସନ୍‌।

ସେମାନଙ୍କ ମୁହଁରୁ…
ଆମେ ସମସ୍ତେ ଶୈଶବ ଅବସ୍ଥା ଦେଇ ଆସିଛନ୍ତି। ତେଣୁ ଖାଲି ଛୋଟ ପିଲା ନୁହନ୍ତି ବରଂ ସମସ୍ତେ ଶିଶୁ ଦିବସକୁ ପାଳିବା ଉଚିତ୍‌। ପିଲାଙ୍କ ସହ ଏହି ଉତ୍ସବ ପାଳନ ବେଳେ ଛୋଟ ବେଳର ଅନେକ ସ୍ମୃତି ଓ ଅନୁଭୂତି ମନେପଡ଼ିଯାଏ। ଯାହାକି ଆମକୁ ଆନନ୍ଦ ଦେଇଥାଏ। ଏଭଳି ପ୍ରୟାସ ପାଇଁ ‘ସମ୍ବାଦ’ ପରିବାରକୁ ଶୁଭେଚ୍ଛା ଓ ଅଭିନନ୍ଦନ।
-ସିନି ଭେନୁଗୋପାଳ, ନିର୍ଦେଶିକା ଜେନିକ୍ସ ଫର୍ଟିଲିଟି

କେବଳ ଶିଶୁ ଦିବସ ପାଇଁ ପିଲାଙ୍କୁ ଉତ୍ସବରେ ସାମିଲ କଲେ ହେବନି। ଅଭିଭାବକ ମାନେ ସମସ୍ତ ଉତ୍ସବରେ ପିଲାଙ୍କୁ ସାମିଲ କରିବା ଦରକାର। ଫଳରେ ସେମାନେ ଆମ ସଂସ୍କୃତି, ପରମ୍ପରା, ପ୍ରଥା ଓ ସାମାଜିକ ଚାଲିଚଳଣିକୁ ବେଶ ଭଲଭାବେ ଜାଣିପାରି‌ବେ। ଆଜିକାଲି ଅଭିଭାବକ ନିଜର ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହି ପିଲାମାନଙ୍କୁ ଟିଭି ଓ ମୋବାଇଲ୍‌ ଗେମ୍‌ରେ ବ୍ୟସ୍ତ ରଖୁଛନ୍ତି। ଯାହାକି ସମାଜ ପାଇଁ ଶୁଭ ସଂକେତ ନୁହେଁ। ଅଭିଭାବକ ପିଲାମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବା ଓ ସେମାନଙ୍କ ଯତ୍ନ ନେବା ଆବଶ୍ୟକ। ତାହେଲେ ଯାଇ ଏକ ସୁସ୍ଥ ସମାଜ ସମ୍ଭବ।
-ଶକ୍ତି ପ୍ରସାଦ ମହାନ୍ତି, ନିର୍ଦେଶକ ଅଡିୟମ୍‌ କ୍ଲିନିକ୍‌

ପିଲାମାନେ ଖାଲି ପାଠ ପଢ଼ିଲେ ହେବନି। ଭଲ ପାଠ ପଢ଼ିବା ସହ ସମାଜରେ ଜଣେ ଭଲ ମଣିଷ ହେବା ନିହାତି ଆବଶ୍ୟ। ଏଥିପାଇଁ ପିଲାମାନଙ୍କ ବୌଦ୍ଧିକ ଓ ଆଧ୍ୟାତ୍ମିକ ଗୁଣର ବିକାଶ ଆବଶ୍ୟକ। ଫଳରେ ସେମାନେ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନିଷ୍ପତ୍ତି ନେଇପାରିବେ। ଏଥିପାଇଁ ଅଭିଭାବକମାନେ ପିଲାମାନଙ୍କ ପାଇଁ ଜଣେ ଜଣେ ଆଦର୍ଶ ବାଛିବା ଦରକାର।
-ନଦିଆ ‌‌େମାଗଭେଲ୍‌ପୁର,ନିର୍ଦେଶିକା, ବ୍ଲସୁମ୍‌ସ ସ୍କୁଲ୍‌

ଅଭିଭାବକମାନେ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ। ସୁସ୍ଥ ପିଲାମାନେ ହିଁ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ। ତେବେ ‘ସମ୍ବାଦର’ ଏଭଳି ପ୍ରୟାସ ଅଭିଭାବକଙ୍କୁ ପିଲାଙ୍କ ଯତ୍ନନେବା ଦିଗରେ ସଚେତନ କରାଇବା ସହ ପିଲାଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ।
-ହରିହର ରଥ,‌ ଜେନେକ୍ସ ଡାଇଗ୍ନୋସିସ୍‌

ପିଲାମାନଙ୍କୁ ଖେଳକୁଦ ପାଇଁ ବିଶେଷ ସୁଯୋଗ ଦିଆଯିବା ଦରକାର। ଯାହାଦ୍ବାରା ସେମାନଙ୍କ ଶରୀର ଚଳଚଞ୍ଚଳ ରହିବା ସହ ମାନସିକ ବିକାଶ ଘଟିବ। ଗ୍ରମାଞ୍ଚଳ ପିଲାଙ୍କ ପାଇଁ ଏ ସବୁର ସମସ୍ୟା ନାହିଁ। ସହରାଞ୍ଚଳରେ ପିଲାମାନଙ୍କ ଖେଳକୁଦ ପାଇଁ ପର୍ଯ୍ୟାପ୍ତ ସ୍ଥାନ ନାହିଁ। ତେଣୁ ସହରାଞ୍ଚଳରେ ସେଭଳି ବାତାବରଣ ସୃଷ୍ଟି କରିବା ଦରକାର।
-ରବୀନ୍ଦ୍ର ଗୌଡ଼ା, ନିର୍ଦେଶକ ଆଶାନୀ ଏକାଡେମି

ସମ୍ବନ୍ଧିତ ଖବର