‘ସମ୍ବାଦ’ ଏଡିଟୋରିଆଲ ଜିତିଲା ‘ସମ୍ବାଦ ଗ୍ରୁପ୍‌ କ୍ରିକେଟ୍‌ ଲିଗ୍‌’

ଭୁବନେଶ୍ୱର: ରେଡିଓ ଚକଲେଟ୍‌ର ଏକାଦଶ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ସମ୍ବାଦ ଗ୍ରୁପ୍‌ କ୍ରିକେଟ୍‌ ଲିଗ୍‌ରେ ‘ସମ୍ବାଦ ଏଡିଟୋରିଆଲ୍‌’ ଦଳ ବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ‘ସମ୍ବାଦ’ ଭବନରେ କାର୍ଯ୍ୟରତ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ। ଦୁଇ ଦିନିଆ ପ୍ରତିଯୋଗିତାର ତୀବ୍ର ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚକର ଫାଇନାଲ୍‌ରେ ‘ସମ୍ବାଦ’ ମେଣ୍ଟେନାନ୍ସକୁ ପରାସ୍ତ କରି ‘ସମ୍ବାଦ’ ଏଡିଟୋରିଆଲ୍‌ ଦଳ ବିଜେତା ହୋଇଥିଲା। ଶନିବାର ସନ୍ଧ୍ୟାରେ ଖେଳା ଯାଇଥିବା ଫାଇନାଲ୍‌ରେ ‘ସମ୍ବାଦ’ ମେଣ୍ଟେନାନ୍ସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୮ ଓଭରରେ ୭୩ ରନ୍‌ କରିଥିଲା। ଏହାର ଜବାବରେ ‘ସମ୍ବାଦ’ ଏଡିଟୋରିଆଲ୍‌ ଦଳ ୩ ଓ୍ଵିକେଟ୍‌ ହରାଇ ଏବଂ ୫ ବଲ୍‌ ବାକି ଥାଇ ୭୪ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ବିସ୍ଫୋରକ ବ୍ୟାଟିଂ କରିଥିବା ହିତେଶ କୁମାର ନାୟକ ମ୍ୟାଚ୍‌ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ। ଫାଇନାଲ୍‌ ମ୍ୟାଚ୍‌କୁ କନକ ନ୍ୟୁଜର ସଂଗ୍ରାମ ଷଡ଼ଙ୍ଗୀ ଏବଂ ଆଶିଷ ବାରିକ ପରିଚାଳନା କରିଥିଲେ। ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଏବଂ ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ପ୍ରତିଯୋଗିତା ଆୟୋଜନରେ ସୁବ୍ରତ, ମାନସ, ସତ୍ୟ, ପିଣ୍ଟୁ, ତାପସ, ମଧୁ, ସୌମିତ୍ରୀ, ଶ୍ରୀକାନ୍ତ, ବିମଳ, ସୁମନ୍ତ, ପ୍ରଶାନ୍ତ, ଫ୍ଲୋରା, ଚିନ୍ମୟୀ, ତୃପ୍ତି, ଅନିଲ ଓ ଅୟସକାନ୍ତ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର