ସମ୍ବାଦ ପ୍ରଭାବ: ଭାଙ୍ଗିଲା ୪ ଘର, ଖାଲି ହେଲା ୪୫୦୦ ବର୍ଗଫୁଟ ଜମି

ସରକାରୀ ଜମି ୨୦ରେ ୨୦ ଫୁଟ ୬୦ ହଜାର ଘଟଣା

ବାକି ଜବରଦଖଲ କେବେ ଭଙ୍ଗା ହେବ?

ଚନ୍ଦ୍ରଶେଖରପୁର: ସାଲିଆ ସାହିରେ ସରକାରୀ ଜମିକୁ ଜମି ଦଲାଲଙ୍କ କବ୍‌ଜାରୁ ମୁକୁଳାଇବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି। ଲୟୋଲା ସ୍କୁଲ ନିକଟରେ ଜମି ମାଫିଆମାନେ ଶାଗ ମାଛ ଦରରେ ଜମିକୁ ବିକ୍ରି କରୁଥିବା ବେଳେ ଏଠାରେ ବେଧଡ଼କ ଭାବେ ଘର ନିର୍ମାଣ ହେଉଛି। ଏନେଇ ଗତ ଜୁଲାଇ ୩୦ତାରିଖରେ ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ବିଡିଏ ଓ ବିଏମ୍‌ସି ପକ୍ଷରୁ ଆଜି ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସାଧାରଣ ପ୍ରଶାସନ ବିଭାଗର ଡାଇରେକ୍ଟର ଇଷ୍ଟେଟ୍‌ ଏବଂ ବିଏମ୍‌ସିର ଉତ୍ତର ଜୋନ୍‌ ଡେପୁଟି କମିସନର୍‌ଙ୍କ ରିକ୍ୟୁଜିସନ୍‌ ପରେ ବିଏମ୍‌ସି, ବିଡିଏ, ସାଧାରଣ ପ୍ରଶାସନ ବିଭାଗର ମିଳିତ ଉଚ୍ଛେଦକାରୀ ଟିମ୍‌ ପକ୍ଷରୁ କମିସନରେଟ୍‌ ପୁଲିସର ଉପସ୍ଥିତିରେ ଏହାର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ଉଚ୍ଛେଦକାରୀ ଟିମ୍‌ ମାତ୍ର ଦୁଇ ଘଣ୍ଟା ଉଚ୍ଛେଦ କରିବା ପରେ ଫେରିଆସିବା ସମସ୍ତଙ୍କୁ ଚକିତ କରିଛି। ଦୁଇ ଘଣ୍ଟାରେ ନୀଳଚକ୍ର ନଗର ପରିଷଦ ସମେତ ୪ଟି ଆଜବେଷ୍ଟସ୍‌ ଘର ଭଙ୍ଗା ଯାଇଥିଲା। ଏଥିରେ ୪୫୦୦ ବର୍ଗଫୁଟ ସରକାରୀ ଜମି ଜବରଦଖଲ ମୁକ୍ତ ହୋଇଛି। ହେଲେ ଏହା ନିକଟରେ ଦୀର୍ଘ ବର୍ଷ ହେଲା ସରକାରୀ ଜମି ଜବରଦଖଲ କରି ବହୁ ଲୋକ ଘର ନିର୍ମାଣ କରିଥିଲେ ହେଁ ଉଚ୍ଛେଦକାରୀ ଟିମ୍‌ ତା’କୁ ନ ଭାଙ୍ଗି ଫେରି ଆସିଥିଲା। ଯାହାକୁ ନେଇ ଲୋକମାନେ ପ୍ରତିବାଦ କରିଥିଲେ। ସମସ୍ତ ଜବରଦଖଲ ଉଚ୍ଛେଦ ହେବ ବୋଲି ଉଚ୍ଛେଦକାରୀ ଟିମ୍‌ ପ୍ରତିଶ୍ରୁତି ଦେଇଛନ୍ତି।

ବାବୁ ଆମେ ପଇସା ଦେଇ କିଣିଛୁ, ଛାଡ଼ି ଦିଅ
ବାବୁ ଆମେ ପଇସା ଦେଇ କିଣିଛୁ। ଆମେ ଜାଣି ନଥିଲୁ ଏହା ସରକାରୀ ଜାଗା ବୋଲି। ତିନି ବର୍ଷ ତଳେ ୨୦ରେ ୨୦ ଫୁଟ୍‌ର ଜମିକୁ ୬୦ ହଜାର ଟଙ୍କାରେ କିଣିଥିଲୁ। ଘର ବି କଲୁ। ସେତେବେଳେ କେହି କିଛି କହିଲେନି। ଆମର କିଛି ଭୁଲ୍‌ ନାହିଁ। ଆମ ଘରକୁ ଭାଙ୍ଗନି। ଆଜି ଉଚ୍ଛେଦ ବେଳେ ପ୍ରାୟ ୮ରୁ ୧୦ଜଣ ଏଭଳି କହୁଥିବା ଦେଖିବାକୁ ମିଳିଥିଲା। କେତେକ ଲୋକ ପୁଲିସ ଏସିପି ରବି ଶତପଥୀଙ୍କୁ ଘର ନ ଭାଙ୍ଗିବାକୁ ଅନୁରୋଧ କରିଥିଲେ। ଏହାପରେ ଏସିପି ବେଆଇନ ନିର୍ମାଣକାରୀଙ୍କୁ ୭ଦିନ ସମୟ ଦେଇଥିଲେ। ଘର ଖାଲି କରିବା ପରେ ଉଚ୍ଛେଦ ହେବ ବୋଲି ଏସିପି କହିଥିଲେ। ଏହି ସମୟ ମଧ୍ୟରେ ଘର ଖାଲି ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଗଲେ ଆମେ ପ୍ରତିବାଦ କରିବୁନି ବୋଲିି ଲୋକମାନେ ଲିଖିତ ଭାବେ ବିଡିଏ ସଚିବଙ୍କୁ ଜଣାଇଛନ୍ତି।

ନାଁ କହିଲେ ମାରିଦେବେ
ଉଚ୍ଛେଦ ସମୟରେ ଯେଉଁ ଲୋକଙ୍କ ଘର ଭାଙ୍ଗୁଥିଲା ସେମାନେ ଏସିପିଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଏସିପି ଶ୍ରୀ ଶତପଥୀ ପଚାରିଥିଲେ ଯେ କିଏ ତୁମକୁ ଜମି ବିକିଥିଲା? ତାଙ୍କ ନାଁ କୁହ? ଏସିପିଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ଲୋକେ ଭୟରେ ଥରି ଉଠିଥିଲେ। କହିଥିଲେ ଆମେ ସେମାନଙ୍କ ନାଁ କହିବୁନି। କହିଲେ ଜୀବନରୁ ମାରିଦେବେ।

ବିଧାୟକ ଉଦ୍‌ଘାଟନ କରିଥିବା କ୍ଲବ୍‌ ଭାଙ୍ଗିଲା
ଦୁଇ ମାସ ଭିତରେ ଏହି ସରକାରୀ ଜମି ଉପରେ ଏକ କ୍ଲବ୍‌ ଗଢ଼ି ଉଠିଥିଲା। ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ କର୍ପୋରେଟର୍‌ ଭାରତୀ ସିଂ ଏହାର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଆଜି ଉକ୍ତ କ୍ଲବକୁ ଭାଙ୍ଗି ଦିଆଯାଇଛି।

ସମ୍ବନ୍ଧିତ ଖବର