ପିଲାଙ୍କ କଥା ବୁଝିବାକୁ, ଅଭିଭାବକଙ୍କ ସମୟ ନାହିଁ

ମାସିକିଆ ବୈଠକକୁ ଆସୁନାହାନ୍ତି, ସରକାରୀ ବିଦ୍ୟାଳୟରେ ସ୍ଥିତି ପରଖିଲା ‘ସମ୍ବାଦ’

ଭୁବନେଶ୍ୱର: ପିଲାଙ୍କ ପାଠପଢ଼ା ଓ ସୁରକ୍ଷା ପ୍ରତି ସହରାଞ୍ଚଳ ଅଭିଭାବକମାନେ ସଚେତନ ନୁହନ୍ତି। କେବଳ ସ୍କୁଲ୍‌କୁ ପଠେଇ ଦାୟିତ୍ୱ ସାରି ଦେଉଛନ୍ତି। ପିଲାମାନେ ସ୍କୁଲ୍‌ରେ କିପରି ପଢ଼ୁଛନ୍ତି, ସେମାନେ ସ୍କୁଲ୍‌ ଯାଉଛନ୍ତି କି ନାହିଁ। ଠିକ୍‌ ସମୟରେ ସ୍କୁଲ୍‌ରେ ପହଞ୍ଚୁଛନ୍ତି କି ନାହିଁ। ସେ ସଂପର୍କରେ ଖବର ରଖୁ ନଥିବା ପରି ମନେ ହେଉଛି। ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ବୁଲିବା ଓ ସେଠାକାର ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ସହିତ ଆଲୋଚନା କରିବା ବେଳେ ଏପରି ଚିତ୍ର ପଦାକୁ ଆସିଛି। ବିଶେଷକରି ଗତ ୪ ଦିନ ତଳେ ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଛାତ୍ରଙ୍କ କୁଆଖାଇରେ ବୁଡ଼ି ମୃତ୍ୟୁ ହୋଇଯିବା ପରେ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ କିଭଳି ସମ୍ପର୍କ ରହିଛି ତାହା ଜାଣିବାକୁ ‘ସମ୍ବାଦ’ ଟିମ୍‌ ଏହି ଉଦ୍ୟମ କରିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିୟମ ଅନୁଯାୟୀ ପ୍ରତି ମାସର ପୂର୍ଣ୍ଣିମା(ଓଡ଼ିଆ ମାସ) ଦିନ ବିଦ୍ୟାଳୟରେ ସ୍କୁଲ କର୍ତୃପକ୍ଷ ଓ ଅଭିଭାବକଙ୍କ ବୈଠକ ହେବା କଥା। ଏଥିରେ ସ୍କୁଲ କର୍ତୃପକ୍ଷ ପିଲାଙ୍କ ପାଠପଢ଼ା, ସମସ୍ୟା ଆଦି ବିଷୟରେ ଅଭିଭାବକମାନଙ୍କୁ ଅବଗତ କରାଇବେ। ଅଭିଭାବକମାନେ ମଧ୍ୟ ସ୍କୁଲ କର୍ତୃପକ୍ଷଙ୍କ ଦୋଷ ଦୁର୍ବଳତାକୁ ବୈଠକରେ ଉପସ୍ଥାପନ କରିବେ। ହେଲେ ଏହି ନିୟମକୁ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରେ କିଭଳି ପାଳନ କରାଯାଉଛି ତାହାର ଅନୁଧ୍ୟାନ କରାଯାଇଥିଲା।

ନଦୀରେ ବୁଡ଼ି ମୃତ୍ୟୁ ହୋଇଥିବା ୟୁନିଟ୍‌-୯ ବାଳକ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଛାତ୍ର ନିୟମିତ ଭାବେ କ୍ଲାସ୍‌ ଆସୁ ନ ଥିଲେ। ଏନେଇ ସ୍କୁଲ କର୍ତୃପକ୍ଷ ଅଭିଭାବକଙ୍କୁ ଫୋନ୍‌ ଯୋଗେ ଜଣେଇଥିଲେ। ତଥାପି ଅଭିଭାବକମାନେ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିବା ସ୍କୁଲ କର୍ତୃପକ୍ଷ କହିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ସେ କହିଥିଲେ ଯେ, ସ୍କୁଲ-ଅଭିଭାବକ ବୈଠକ ଠିକ୍‌ ଭାବେ ହେଉଛି। ମାତ୍ର ଅଭିଭାବକମାନେ ପିଲାଙ୍କ ପାଇଁ ସମୟ ଦେଉନାହାନ୍ତି। ବୈଠକକୁ ଆସୁନାହାନ୍ତି। ଏହି ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟରେ ୨୫୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଗତ ବୈଠକରେ ସବୁ ଅଭିଭାବକଙ୍କୁ ଡକାଯାଇଥିବା ବେଳେ ମାତ୍ର ୩୯ ଜଣ ଯୋଗ ଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟକୁ ମିଶାଇ ମୋଟ ୪୯ ଜଣ ବୈଠକରେ ଉପସ୍ଥିତ ଥିଲେ। ଯଦି ଅଭିଭାବଙ୍କର ସେମାନଙ୍କ ପିଲାଙ୍କ ପ୍ରତି ଏଭଳି ମନୋଭାବ ରହିବ ତେବେ ଆମେ କ’ଣ କରିପାରୁବୁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଇଆର୍‌ସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତି ଆଉ ଟିକିଏ ନିଆରା। ଏଠାରେ ୧୭୪୦ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଆଜି ଚଳିତବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପୂର୍ବରୁ ପିଲାଙ୍କ ସ୍କୁଲ ଲିଙ୍କ୍‌ ରେଜିଷ୍ଟର ମାଧ୍ୟମରେ ଅଭିଭାବକଙ୍କୁ ଲିଖିତ ଆକାରରେ ଡକାଯାଇଥିଲା। ୧୭୪୦ ପିଲାଙ୍କ ଅଭିଭାବକଙ୍କ ମଧ୍ୟରୁ ମାତ୍ର ୩୭୮ ଜଣ ବୈଠକରେ ସାମିଲ ହୋଇଥିଲା। ସକାଳ ୮ଟାରୁ ବୈଠକ ଆରମ୍ଭ ହୋଇଥିଲା। ଦେଢ଼ ଘଣ୍ଟା ଧରି ପିଲାଙ୍କ ପାଠପଢ଼ା, ନିୟମ, ଅଭିଯୋଗ ଆଦି ବିଷୟରେ ଆଲୋଚନା ହୋଇଥିଲା। ଦୁଇ ଛାତ୍ର କୁଆଖାଇ ନଦୀରେ ବୁଡ଼ି ମୃତ୍ୟୁ ପରେ ଆଗାମୀ ଦିନରେ ନିୟମକୁ କଡ଼ାକଡ଼ି କରାଯିବ ବୋଲି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ମେକାପ କହିଛନ୍ତି।

ସବୁଠାରୁ ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା ୟୁନିଟ୍‌-୮ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ଏଠାରେ ମଧ୍ୟ ପ୍ରଥମ ଥର ଲାଗି ଅଭିଭାବକଙ୍କ ବୈଠକ ଡକାଯାଇଥିଲା। ସ୍କୁଲରେ ୨୨୩ ଜଣ ପଢ଼ୁଥିବା ବେଳେ ବୈଠକକୁ ଆସିଥିଲେ ମାତ୍ର ୨୦ ଜଣ ଅଭିଭାବକ। କେବଳ ଆଜି ନୁହେଁ। ଆଗରୁ ଯେତେଥର ବୈଠକ ହୋଇଛି କୌଣସି ଥର ଅଭିଭାବକଙ୍କ ସଂଖ୍ୟା ୪୦ ଟପି ପାରିନି। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଶୈଳବାଳା ଧୀରସାମନ୍ତ କହିଛନ୍ତି ଯେ, ବୈଠକ ପାଇଁ ଲିଖିତ ଆକାରରେ ପିଲାଙ୍କ ହାତରେ ରିପୋର୍ଟ ପଠାଯାଏ। ତଥାପି ଅଭିଭାବକ ଆସୁନାହାନ୍ତି। ସେମାନଙ୍କ ଘରକୁ ଯିବାକୁ ପଡ଼ୁଛି। ଅଭିଭାବକଙ୍କୁ ପଚାରିଲେ ଉତ୍ତର ମିଳୁଛି ସମୟ ନାହିଁ।

ୟୁନିଟ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟରେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ନିଆରା। ଏଠାରେ ପଢ଼ୁଥିବା ପିଲାଙ୍କ କଥା ବୁଝିବାକୁ ଅଭିଭାବକଙ୍କ ଆନ୍ତରିକତା ନଥିବା ପରି ମନେହୁଏ। ୧୩୧ ଜଣ ପିଲା ପଢ଼ୁଥିବା ବେଳେ ଗତ ବୈଠକକୁ ଆସିଥିଲେ ମାତ୍ର ୩ ଜଣ। ଅବଶ୍ୟ ଏଠାରେ ୪୦ ଜଣ ପିଲା ଛାତ୍ରାବାସରେ ରହୁଛନ୍ତି। ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ପାଲ୍‌ କହିଛନ୍ତି, ବୈଠକକୁ ଆସି ନ ଥିବା ଅଭିଭାବଙ୍କୁ ଚିଠି ପଠାଯିବ। ସେ ଏହା ମଧ୍ୟ କହିଛନ୍ତି, ଘରକୁ ଚିଠି ପଠାଇଲେ ସେମାନେ ତାହାକୁ ବାଟରେ ଚିରି ଦେଉଛନ୍ତି। ନ ହେଲେ ନିଜେ ଦସ୍ତଖତ କରିି ରିପୋର୍ଟ ଦାଖଲ କରି ଦେଉଛନ୍ତି।

ୟୁନିଟ୍‌-୬ ବାଳିକା ଉଚ୍ଚ ବିଦ୍ୟାଳୟରେ ୪୦୦ରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି। ହେଲେ ସେମାନଙ୍କ ସୁରକ୍ଷା କଥା ବୁଝିବା ପାଇଁ ଅଭିଭାବକଙ୍କ ପାଖରେ ସମୟ ହିଁ ନାହିଁ। ଯେତେବେଳେ ବି ବୈଠକ ଡକାଯାଇଛି କେବେବି ଅଭିଭାବକଙ୍କ ସଂଖ୍ୟା ୫୦ ଟପିନି। ଫଳରେ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କ ବିଷୟରେ ଅବଗତ ହୋଇପାରୁ ନାହାନ୍ତି। ଚଳିତବର୍ଷର ପ୍ରଥମ ବୈଠକ ଖୁବ୍‌ଶୀଘ୍ର ଡକାଯିବ ବୋଲି ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ସୁକାନ୍ତି ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର