ଭୁବନେଶ୍ବର: ସଂଗୀତର ସାତ ସୁରକୁ ନେଇ ଚାଲିଥିଲା ସମର। କିଏ ଚିର ସବୁଜ ଗୀତରେ ତଲ୍ଲୀନ କରୁଥିଲା ତ କିଏ ଆଧୁନିକ ଗୀତରେ ମତୁଆଲା କରୁଥିଲା। ଯୁବ କଣ୍ଠଶିଳ୍ପୀଙ୍କୁ ତାଙ୍କ ଅନ୍ତର୍ନିହିତ ପ୍ରଚଣ୍ଡ ପ୍ରତିଭାକୁ ଚିହ୍ନେଇ ଦେବାକୁ ଏମିତି ଏକ ମଂଚ ଯୋଗାଡ଼ି ଦେଇଥିଲା ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍’ ଆୟୋଜିତ ସଂଗୀତ ପ୍ରତିଯୋଗିତା ‘ସାରେଗାମା’। ଗୋଟେ ପରେ ଗୋଟେ କାଳଜୟୀ ଗୀତରେ ବିଭୋର ହୋଇଥିଲେ ଶ୍ରୋତା ଓ ବିଚାରକ। ପ୍ରତିଯୋଗିତା ଏତେ କଡ଼ା ଥିଲା ଯେ, ବିଚାରକମାନେ ଦ୍ବନ୍ଦ୍ବରେ ପଡ଼ି ଯାଇଥିଲେ। ଜୋନ୍ ସ୍ତରୀୟ ଏହି ପ୍ରତିଯୋଗିତାରେ ୮୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ସ୍ବରରେ ସମସ୍ତ ପ୍ରତିଯୋଗୀଙ୍କୁ ମାତ୍ ଦେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଛାତ୍ରୀ ସ୍ମରଣିକା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ର ଅଭିଷେକ ରାୟ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପାୟଲ ମହାନ୍ତି ତୃତୀୟ ସ୍ଥାନ ଦଖଲ କରିଥିଲେ। ୩ କୃତୀ ପ୍ରତିଭାଙ୍କୁ ଅର୍ଥରାଶି ଓ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିବା ବେଳେ ଅକ୍ଟୋବର ୩ ତାରିଖରେ ହେବାକୁ ଯାଉଥିବା ‘ରାଜ୍ୟସ୍ତରୀୟ ସାରେଗାମା-୨୦୧୯’ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।
ମାଝିରେ ଶେଷ ଶ୍ରାବଣ..., କାଚ କାନ୍ଥର ଏପାଖେ ମୁଁ ସେପାଖେ ଜୀବନ.., ସାଥୀରେ.., ନିଦ ଭରା ରାତି.., ଲାଗେନା ଲାଗେନା ଭଲ ପ୍ରଭୁ ତୁମରି ବିନା.., ମେରେ ମୌଲା କରମ.., ରାମ ତେରି ଗଙ୍ଗା ମୈଲି.., ଜୋ ଖାବୋ ଖୟାଲୋ ମୈ.., ଚାନ୍ଦ ଛୁପା ବାଦଲ୍ ମୈ.. ଭଳି ଗୀତରେ ବିଭୋର କରିଥିଲେ ପ୍ରତିଯୋଗୀ। ବିଶିଷ୍ଟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ସୌରଭ ନାୟକ ଓ ମହାପ୍ରସାଦ କର ବିଚାରକ ଭାବେ ଯୋଗଦେଇ ଯୁବ ଶିଳ୍ପୀଙ୍କ ସ୍ବରର ମୂଲ୍ୟାଙ୍କନ କରିଥିଲେ। ପ୍ରତିଯୋଗିତାର ଶେଷ ଚରଣରେ ଶୈଳଭାମାଙ୍କ କଣ୍ଠରେ ‘ଅଧେ ଦିନ, ଅଧେ ରାତି.., ମହାପ୍ରସାଦଙ୍କ କଣ୍ଠରେ ‘ଏ ରାତି, ଏ ଜହ୍ନ.. ଏବଂ ସୌରଭ ନାୟକଙ୍କ କଣ୍ଠରେ ‘ସବୁ ପାପର ପ୍ରାୟଶ୍ଚିତ ଅଛି... ଗୀତ ସଂଗୀତ ଆସରକୁ ଆହୁରି ରଙ୍ଗିନ୍ କରିଥିଲା। ଗୀତରେ ରଙ୍ଗ ଭରୁଥିବା ସଂଗୀତକାରମାନେ ଥିଲେ ଚିତ୍ତରଂଜନ ପ୍ରଧାନ (କି-ବୋର୍ଡ), ଘନଶ୍ୟାମ ପୃଷ୍ଟି(ଅକ୍ଟୋପ୍ୟାଡ୍), ଦେବରଂଜନ ନାୟକ (ଗିଟାର) ଓ ସଂଜୟ କୁମାର ରାଉତ (ତବଲା)। ବିଭୁପ୍ରସାଦ ଦାସ ଶବ୍ଦ ସଂଚାଳନ କରିଥିଲେ। ସ୍ତମ୍ଭକାର ତଥା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ସମ୍ବାଦ’ର ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ମହାପ୍ରବନ୍ଧକ (ବାର୍ତା) ମହମ୍ମଦ ହିଫଜୁର ରହେମାନ, ଉପମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ, କାର୍ଟୁନିଷ୍ଟ କିଶୋର ରଥ ଏବଂ ‘ସମ୍ବାଦ ପୋର୍ଟାଲ୍’ର ବାର୍ତ୍ତା ସଂପାଦକ ଧୃତିକାମ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ଆର୍.ଜେ କୋମଲ ଓ ଆର୍.ଜେ ନିଭି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ସମ୍ବାଦ-ରେଡିଓ ଚକଲେଟ୍ ସାରେଗାମା: ସ୍ମରଣିକା ଭୁବନେଶ୍ବର ଜୋନ୍ ଚାମ୍ପିଅନ୍
/sambad/media/post_attachments/wp-content/uploads/2019/09/ef6f5ef5e5f6fc2sd6v5f6sd5s5fs5f6as5df9w5dfw5f62fsfs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)