ପଞ୍ଜାବ ଓ ତେଲେଙ୍ଗାନା ଏକାଡେମି ସମକକ୍ଷ ହେବ ବିପିଏସ୍‌ପିଏ

ବିପିଏସ୍‌ପିଏରେ ଡିଏସ୍‌ପି ପାସିଂ ଆଉଟ୍‌ ପରେଡ୍‌

ଖଣ୍ଡଗିରି: ବିଜୁ ପଟ୍ଟନାୟକ ଷ୍ଟେଟ୍‌ ପୁଲିସ ଏକାଡେମି (ବିପିଏସ୍‌ପିଏ)କୁ ଦେଶର ଏକ ଅତ୍ୟାଧୁନିକ ତଥା ଶକ୍ତିଶାଳୀ ପୁଲିସ ଏକାଡେମି ଭାବେ ଗଢ଼ିବାକୁ ଉଦ୍ୟମ ଜାରି ରହିଛି। ପଞ୍ଜାବ ଓ ତେଲେଙ୍ଗାନା ପୁଲିସ ଏକାଡେମି ଭଳି ବିପିଏସ୍‌ପିଏକୁ ଏକ ଶ୍ରେଷ୍ଠ ପୁଲିସ ତାଲିମ୍‌ କେନ୍ଦ୍ରରେ ପରିଣତ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଖୁବ୍‌ ଶୀଘ୍ର ଏ ନେଇ ପଦକ୍ଷେପ ନିଆଯିବ। ବୁଧବାର ବିପିଏସ୍‌ପିଏରେ ପ୍ରଥମ ବ୍ୟାଚ୍‌ ଡିଏସ୍‌ପି ଓ କ୍ୟାଡେଟ୍‌ ଏସ୍‌ ଆଇ (ଆର୍ମଡ୍‌)ର ପାସିଂ ଆଉଟ୍‌ ପରେଡ୍‌ରେ ଅଭିଭାଦନ ଗ୍ରହଣ କରିବା ଅବସରରେ ରାଜ୍ୟ ପୁଲିସ ମହାନିର୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସୂଚନା ଦେଇଛନ୍ତି। ମୁଖ୍ୟଅତିଥିଭାବେ ଯୋଗ ଦେଇ ଡିଜିପି ଶ୍ରୀ ଶର୍ମା କହିଲେ ଯେ ଦୀର୍ଘ ୪୦ ବର୍ଷ ପରେ ପ୍ରଥମ ଥର ପାଇଁ ଓପିଏସ୍‌ସି ମାଧ୍ୟମରେ ରାଜ୍ୟରେ ଡିଏସ୍‌ପି ର‍୍ୟାଙ୍କ୍‌ରେ ନିଯୁକ୍ତି ଦିଆଯାଇଛି। ଏଣିକି ପ୍ରତିବର୍ଷ ଏହି ପଦବିରେ ନିଯୁକ୍ତି ଦିଆଯିବ। ଏହା ଓଡ଼ିଶା ପୁଲିସ ବିଭାଗ ପାଇଁ ଏକ ମାଇଲ୍‌ ଖୁଣ୍ଟ ସଦୃଶ। ଏହି ନୂତନ ଯୁବ ପୁଲିସ ଅଧିକାରୀମାନେ (ଡିଏସ୍‌ପି) ବିଭିନ୍ନ ସବ୍‌ ଡିଭିଜନାଲ୍‌ ପୁଲିସ ଅଫିସର (ଏସ୍‌ଡିପିଓ) ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ବିଭାଗ ଅଧିକ ଶକ୍ତିଶାଳୀ ହେବ। ବିପିଏସ୍‌ପିଏରେ ଏହି ଯୁବ ଅଫିସରମାନଙ୍କୁ ଦୁଇ ବର୍ଷିଆ ତାଲିମ୍‌ ଦିଆଯାଇଛି। ପାଠ୍ୟକ୍ରମ ତାଲିମ୍‌ ସହ ରଥଯାତ୍ରା, କଟକ ଦଶହରା, ବିଶ୍ୱକପ୍‌ ହକି ପ୍ରତିଯୋଗିତା ଭଳି ବିଭିନ୍ନ ବାହ୍ୟ କ୍ଷେତ୍ରରେ ମଧ୍ୟ ଅଭିଜ୍ଞତା ହାସଲ ପାଇଁ ସେମାନଙ୍କୁ ସାମିଲ୍‌ କରାଯାଇଥିଲା। ତେଣୁ ଏହି ଯୁବ ଅଫିସରମାନଙ୍କଠାରୁ ବହୁତ କିଛି ଆଶା କରାଯାଉଛି। ସେହିଭଳି ଏକ ବର୍ଷିଆ ତାଲିମ୍‌ ଜରିଆରେ କ୍ୟାଡେଟ୍‌ ଏସ୍‌ଆଇ (ଆର୍ମଡ୍‌)ମାନଙ୍କୁ ଦକ୍ଷ କରି ଗଢ଼ି ତୋଳିବା ପାଇଁ ପ୍ରୟାସ କରାଯାଇଛି। ସେମାନଙ୍କୁ କିଛି ଦିନ ପାଇଁ ଏସ୍‌ଓଜିରେ କାମ କରିବାକୁ ଦିଆଯିବ ବୋଲି ଡିଜିପି ଶ୍ରୀ ଶର୍ମା କହିଥିଲେ। ବିପିଏସ୍‌ପିଏର ତାଲିମ୍‌ ଉପରେ ମତ ରଖି ସେ କହିଲେ ଯେ ଏଠାରେ ତାଲିମ୍‌ ପ୍ରଦାନର ମାନ ବଢ଼ିଛି ଓ ଅତ୍ୟାଧୁନିକ ପାଠ୍ୟକ୍ରମକୁ ନେଇ ତାଲିମ୍‌ ପ୍ରଦାନ କରାଯାଉଛି।

ଏହାକୁ ଦେଶର ଏକ ମୁଖ୍ୟ ପୁଲିସ ତାଲିମ୍‌ କେନ୍ଦ୍ରଭାବେ ଗଢ଼ିବାକୁ ଯୋଜନା କରାଯାଉଛି। ପଞ୍ଜାବ ଓ ତେଲେଙ୍ଗାନା ଭଳି ରାଜ୍ୟର ପୁଲିସ ଏକାଡେମି ସହ ଏହାକୁ ସମକକ୍ଷ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଖୁବ୍‌ ଶୀଘ୍ର ଏହାର ନିର୍ଦେଶକ ଦେଶର ପ୍ରମୁଖ ପୁଲିସ ତାଲିମ୍‌ କେନ୍ଦ୍ରରୁ ସେଠିକାର ପାଠ୍ୟକ୍ରମ ଓ ତାଲିମ୍‌ ପ୍ରଣାଳୀ ବାବଦରେ ଅଭିଜ୍ଞତା ଆଣି ଏଠାରେ ପ୍ରୟୋଗ କରିବେ ବୋଲି ସେ କହିଥିଲେ। ୧୩ ଜଣ ଡିଏସ୍‌ପି (୪ ମହିଳା ଓ ୯ ପୁରୁଷ)ଙ୍କ ମଧ୍ୟରୁ ମାନସ ରଂଜନ ବାରିକଙ୍କୁ ପ୍ରଥମ ଶ୍ରେଷ୍ଠଭାବେ ଗଭର୍ଣର ମେଡାଲ ଓ ବେବିତା ମଂଜରୀ ନାୟକଙ୍କୁ ଦ୍ୱିତୀୟ ଶ୍ରେଷ୍ଠ ଭାବେ ଟ୍ରଫି ପ୍ରଦାନ କରାଯାଇଥିଲା। ସେହିଭଳି ୯୭ ଜଣ କ୍ୟାଡେଟ୍‌ ଏସ୍‌ ଆଇଙ୍କ ମଧ୍ୟରୁ ରବୀନ୍ଦ୍ର ପ୍ରସାଦ ପାଢ଼ୀ ଓ ଶିବପ୍ରସାଦ ପଟ୍ଟନାୟକଙ୍କୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବିପିଏସ୍‌ପିଏ ନିର୍ଦେଶକ ଏନ୍‌ କେ ଛାବ୍ରା ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ବିପିଏସ୍‌ପିଏର କଳେବର ବୃଦ୍ଧି ପାଇଁ ନିଆଯାଉଥିବା କିଛି ପଦକ୍ଷେପ ଉପରେ ବକ୍ତବ୍ୟ ରଖିଥିଲେ। ଜମି ଅଭାବ ଯୋଗୁଁ କିଛିଟା ସମସ୍ୟା ହେଉଥିବାରୁ ବିଭାଗୀୟ ଅନୁରୋଧକ୍ରମେ ରାଜ୍ୟ ସରକାର ଆଉ କିଛି ଜମି ଯୋଗାଇ ଦେବାକୁ ପଦକ୍ଷେପ ନେଉଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର