ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ୱର: ଅଧ୍ୟକ୍ଷ ଓ ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦାବିରେ ଆଜି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଗେଟ୍‌ରେ ତାଲା ପକାଇଥିଲେ। ଅଧ୍ୟକ୍ଷ ନଥିବାରୁ ମହାବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଏକ ପ୍ରକାର ଭୁଶୁଡ଼ି ଯାଇଛି। କୌଣସି ପ୍ରଶାସନିକ କାର୍ଯ୍ୟ ଠିକ୍‌ ହେଉନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେହିପରି ଅର୍ଥଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନ ବିଷୟରେ ପଢ଼ାଇବାକୁ ଅଧ୍ୟାପକ କିମ୍ବା ଅଧ୍ୟାପିକା ନାହାନ୍ତି। ମହାବିଦ୍ୟାଳୟରେ ଅଧ୍ୟକ୍ଷ ନଥିବାରୁ ଏ ସମ୍ପର୍କରେ ବୁଝିବା ପାଇଁ କାହାରି ଇଚ୍ଛା ବି ନାହିଁ। ଫଳରେ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆସନ୍ତା ମାର୍ଚ୍ଚ ମାସରେ ପରୀକ୍ଷା ହେବାକୁ ଥିବା ବେଳେ ଏ ପର୍ଯ୍ୟନ୍ତ କେତେକ ବିଷୟର ପାଠ୍ୟକ୍ରମ ଆରମ୍ଭ ହୋଇନାହିଁ। ଏ ବିଷୟରେ ଛାତ୍ରଛାତ୍ରୀ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କୁ ପୂର୍ବରୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନ ନିଆଯିବାରୁ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ।

ପ୍ରାୟ ୩ଘଣ୍ଟା ଧରି ସେମାନେ ଧାରଣାରେ ବସିବା ପରେ ସଂସ୍କୃତି ବିଭାଗର ଜଣେ ବରିଷ୍ଠ ଅଧିକରୀ ପହଞ୍ଚି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଶନିବାରଠାରୁ ଅର୍ଥଶାସ୍ତ୍ର ପଢ଼ାଇବା ପାଇଁ ଶିକ୍ଷକ ନିଯୁକ୍ତି କରାଯିବ। ୧୭ ତାରିଖଠାରୁ ରାଜନୀତି ବିଜ୍ଞାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ପଢ଼ାରେ କୌଣସି ପ୍ରକାରର ଅସୁବିଧା ହେବନି ଏବଂ ଠିକ୍‌ରେ ପରୀକ୍ଷା ହୋଇପାରିବ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

ସମ୍ବନ୍ଧିତ ଖବର