ସଂଗୀତ ସୁଧାକରଙ୍କ ୯୭ତମ ଜୟନ୍ତୀ, ଅମାବାସ୍ୟାର ଚାନ୍ଦ ବାଳକୃଷ୍ଣ

ଭୁବନେଶ୍ବର: କାଲି ଭଳି ଲାଗୁଛି। ପୁରୁଣା ଅଲ୍‌ ଇଣ୍ଡିଆ ରେଡିଓର ମଧୁପୁର କୋଠିରେ ମୋ କଣ୍ଠରେ ଗୀତଟିଏ ରେକର୍ଡିଂ ହେଉଥାଏ। ଗୀତଟି ଥିଲା, ‘ବସନ୍ତ ଫେରିଯାଏ ଫେରାଇବି କେସନେ, ଫାଲଗୁନ ହଜିଯାଏ ବିଫଳ ମୋ ଜୀବନେ…। ‘ହଜିଯାଏ’ ଶବ୍ଦଟିକୁ କେମିତି ହଜାଇବା ଭାବ ନେଇ ଗଳାରେ ଫୁଟାଇବି ସାର୍‌ ମତେ ବାରମ୍ବାର ଶିଖେଇ ଦେଉଥିଲେ। ୪ଦିନ ରିହର୍ସଲ ପରେ ଯାଇ ସାର୍‌ ସନ୍ତୁଷ୍ଟ ହୋଇଥିଲେ। ନିଜେ ଶିଖାଉଥିବା ଗୀତଟି ଠିକ୍‌ ଭାବେ କେହି ଉଠାଇଦେଲେ ସାର୍‌ଙ୍କ ଆନନ୍ଦର ସୀମା ରହୁ  ନଥିଲା। ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ମୃତି ବଖାଣୁ ବଖାଣୁ ଏମିତି ଗଦ୍‌ଗଦ ହୋଇଯାଇଥିଲେ ତାଙ୍କ ଶିଷ୍ୟା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ।

ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟାରେ ସଂଗୀତ ସୁଧାକରଙ୍କ ୯୭ତମ ଜୟନ୍ତୀ ପଡ଼ୁଥିବା ବେଳେ ଶ୍ୟାମାମଣି ଦେବୀ ନିଜ ଗୁରୁ ସଂଗୀତ ସୁଧାକରଙ୍କ ସ୍ମୃତି ବଖାଣି କହିଛନ୍ତି, ମୋ ବଡ଼ବାପା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ ‘ବିତିଲା ତ ଯାମିନୀ.. ଓ ବାସି ମୋ ହୋଇଲା ଫୁଲଶେଯ… ଗୀତ ଦ୍ବୟ ସାରଙ୍କ କଣ୍ଠରେ ରେକର୍ଡିଂ ହେବାର ଥିଲା। ମାତ୍ର ସେତେବେଳକୁ ସାର୍‌ ପକ୍ଷାଘାତରେ ପୀଡ଼ିତ। ସାର୍‌ ମତେ କହିଲେ, ଗୀତ ଦୁଇଟି ତୋ କଣ୍ଠରେ ରେକର୍ଡିଂ କର। ସାର୍‌ଙ୍କ ମୁହଁରୁ ଏକଥା ଶୁଣି ମୁଁ କହିଲି, ଏପରି ଔଦ୍ଧତ୍ୟ ମୁଁ କରିପାରିବିନି। ସାର୍‌ କିନ୍ତୁ ମତେ ହିଁ ଗାଇବାକୁ କହିଲେ। ଯେଉଁଦିନ ଗୀତ ରେକର୍ଡିଂ‌ ହେବାର ଥାଏ ସାର୍‌ଙ୍କ ପାଖକୁ ଆଶୀର୍ବାଦ ନେବା ପାଇଁ ଯାଇଥିଲି। ସାର୍‌ ନିଜ କଣ୍ଠକୁ ଡାହାଣ ହାତରେ କିଛି ସମୟ ଘସି ସେଇ ହାତ ମୋ’ ଗଳାରେ ଛୁଆଁଇ ଦେଲେ। ମୁଣ୍ଡ ଆଉଁସି ଦେଲେ। ଜେ.ଇ କମ୍ପାନିରେ ଗୀତ ରେକର୍ଡିଂ ହେବା ପରେ ଏହା ବହୁ‌ ଲୋକପ୍ରିୟ ହେଲା। ମୋ ପାଇଁ ସାର୍‌ ହିଁ ଥିଲେ ସାକ୍ଷାତ ଭଗବାନ। ତାଙ୍କ ପାଇଁ ଆଜି ମୋ’ର ପରିଚୟ।

କେବଳ ଶ୍ୟାମାମଣି ନୁହନ୍ତି, ଓଡ଼ିଆ କଣ୍ଠ ସଂଗୀତ ଜଗତର ଅନେକ ଅଗ୍ରଜ ତାଙ୍କ ପରିଶ୍ରମର ଫଳଶ୍ରୁତି। ତାଙ୍କ କଣ୍ଠରେ ଓଡ଼ିଶୀ, ଚମ୍ପୂ, ଭଜନଠୁ ନେଇ ପଲ୍ଲୀ ସଂଗୀତ ରୋମାଞ୍ଚ ଭରି ଦେଉଥିଲା। ସେଥିପାଇଁ କିଏ ତାଙ୍କୁ କହୁଥିଲେ, ସଂଗୀତର ଉଦିଆ ଚାନ୍ଦ ତ ପୁଣି କାହା ପାଇଁ ଗାନ୍ଧର୍ବ ସମ୍ରାଟ। ୧୯୨୩ ମସିହା ସାବିତ୍ରୀ ଅମାବାସ୍ୟାରେ ବାଳକାଟି ବସନ୍ତପେଡ଼ିରେ ଜନ୍ମିତ ସଂଗୀତ ସୁଧାକର ପିଲାବେଳୁ ସଂଗୀତ ପ୍ରେମରେ ପଡ଼ିଯାଇଥିଲେ। ତାଙ୍କ କଣ୍ଠ ନିଃସୃତ ‘ସୁଷମା ଗୋ ତୁମ ଅଙ୍ଗେ.., ଲାଜଲାଜ ଆଖିତଳେ ଫିକାଫିକା ଇସାରା.., ମୋ ପାଇଁ ଜଳେ ସିଏ ମତେ ବି ଜଳାଏ.., ପାହିନି ରଜନୀ ସଖୀ ଯାଅନା.. ଭଳି ଗୀତ ସେତେବେଳେ ପାଲଟିଥିଲା ପ୍ରତିଟି ସଂଗୀତ ପ୍ରେମୀଙ୍କ ଗଳାର ହାର। ଚଳଚ୍ଚିତ୍ର ଶ୍ରୀଲୋକନାଥ, ନୂଆବୋଉ, ଅଭିନେତ୍ରୀ, ଅମଡ଼ାବାଟ, ମାଣିକଯୋଡ଼ି, ଶଙ୍ଖମହୁରୀ, ବସନ୍ତ ରାସ, ମଥୁରା ବିଜୟ ଭଳି ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନା ସହ ସେ ଭେଟି ଦେଇ ଯାଇଛନ୍ତି ‘ଫୁଲ ରସିଆରେ.., ଆସ ଜୀବନ ଧନ ମୋ ପଖାଳ କଂସା.., ଚଇତି ରାତିରେ ମହୁଲ କତିରେ.. ଭଳି କାଳଜୟୀ ସଂଗୀତ।

ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ତଥା ସଂଗୀତ ସୁଧାକରଙ୍କ ଶିଷ୍ୟ ରାମହରି ଦାସ କୁହନ୍ତି, ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସାରଙ୍କର ଅସଂଖ୍ୟ ଶିଷ୍ୟ-ଶିଷ୍ୟା। ସେ ଥିଲେ ଅଯାଚିତ ଓ ମୁକ୍ତ ହୃଦୟର ଶିକ୍ଷାଦାତା। ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କ ମୁହଁରେ ଥିଲା ଅଭୟ ଓ ଉତ୍ସାହର ବାଣୀ। ଯିଏ ଯାହା ଗାଇଲେ ସେ କହୁଥିଲେ, ଭଲ। ତାଙ୍କ ଅଭିଧାନରେ ଭୁଲ୍‌ ଓ ଖରାପ ଶବ୍ଦ ଯେମିତି ନଥିଲା। କେବଳ ରାଗିଲେ ତାଙ୍କ ମୁହଁରୁ ଗୋଟିଏ ଶବ୍ଦ ବାହାରୁଥିଲା, ଅଖାଦ୍ୟଟେ। ମୋ’ର ଭାଗ୍ୟ ମୁଁ ସାର୍‌ଙ୍କଠୁ ଶିଖିବାକୁ ଓ ସାର୍‌ଙ୍କ ସହ ଗୀତ ଗାଇବାକୁ ସୁଯୋଗ ପାଇପାରିଥିଲି।

ବିଶିଷ୍ଟ ଅଭିନେତା ପ୍ରଶାନ୍ତ ନନ୍ଦ ଏକ ସ୍ମୃତି ଅବତାରଣା କରି କୁହନ୍ତି, ଶୁଣାଯାଏ ବାଳକୃଷ୍ଣ ସାର୍‌ ଓ ବମ୍ବେର ବିଶିଷ୍ଟ ସଂଗୀତକାର ହେମନ୍ତ କୁମାର ଜଣେ ଗୁରୁଙ୍କ ପାଖରୁ ସଂଗୀତ ଶିଖୁଥିଲେ। ହେମନ୍ତ କୁମାର କାଳେ ସାର୍‌ଙ୍କୁ ବମ୍ବେ ଯିବା ପାଇଁ ଅନୁରୋଧ କରିଥିଲେ। ହେଲେ ସାର୍‌ ସବୁ ଲୋଭକୁ ତ୍ୟାଗକରି ଜନ୍ମମାଟିକୁ ଫେରିଆସିଲେ। ସେ ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ମାର୍ଗଦର୍ଶନରେ ଗଢ଼ି ହୋଇଥିବା ପ୍ରଫୁଲ୍ଲ କର, ଶ୍ୟାମାମଣି ଦେବୀ, ରାମହରି ଦାସ, ଶାନ୍ତିଲତା ବାରିକ, ମିନତି ଭଂଜ, ସୁଧା ମିଶ୍ର, ଅଙ୍ଗୁରୁବାଳାଙ୍କ ପରି ଶହଶହ ନାମକରା କଣ୍ଠଶିଳ୍ପୀଙ୍କ କଣ୍ଠରେ ଏବେ ବି ସେ ଜୀବିତ।

ସମ୍ବନ୍ଧିତ ଖବର