ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ‘ସଙ୍ଗୀତାୟନ’

ଭୁବନେଶ୍ୱର : ବାହାରେ କୋହଲା ପାଗ, ଶୀତୁଆ ସଂଧ୍ୟାକୁ ମେଘାଚ୍ଛନ୍ନ ଆକାଶ। ଭିତରୁ ଭାସି ଆସୁଥିବା ଶାସ୍ତ୍ରୀୟ ସଂଗୀତ, ତାବଲା ଓ ବହୁ ବାଦ୍ୟଯନ୍ତ୍ରର ସୁମଧୁର ଝଙ୍କାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। ଅବସର ଥିଲା ଉତ୍କଳ ସଂଗୀତ ମହାବିଦ୍ୟାଳୟ ପକ୍ଷରୁ ଆଜି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ‘ସଙ୍ଗୀତାୟନ’ କାର୍ଯ୍ୟକ୍ରମର। କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡ଼ିଶୀ କଣ୍ଠ ସଙ୍ଗୀତରୁ। ପଟ୍ଟମଞ୍ଜରୀ ରାଗ ଓ ଏକତାଳି ତାଳରେ ପରିବେଷିତ ହୋଇଥିଲା ବିହି ନାରୀ କରି ମତେ…. ଓ ନାଟ୍ୟାଙ୍ଗୀ ତାଳ ଏକତାଳିରେ ହେଲା ବରଷା… ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହା ପରେ ସମବେତ ତବଲା ବାଦନ ଓ ସମବେତ ଛଉ ନୃତ୍ୟ ପରିବେଷିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ପଣ୍ଡିତ ଗୁରୁଶ୍ରୀ ଗୋପାଳ ଚନ୍ଦ୍ର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ପ୍ରଦୀପ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର