‘ସଂଗ୍ରାମୀ ମୌଲାନା ଆବୁଲ୍‌ କଲାମ ଆଜାଦ’ ଲୋକାର୍ପିତ

ଭୁବନେଶ୍ବର: ମୌଲାନା ଆଜାଦଙ୍କର ଔପଚାରିକ ଶିକ୍ଷା ଥିଲା ଶୂନ। ଏହା ସତ୍ତ୍ବେ ବି ସେ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ହୋଇ ପାରି ଥିଲେ। ସାରା ଜୀବନ ଭିନ୍ନ ମତ ରଖି ଚାଲିଥିଲେ। ପ୍ରାଚ୍ୟ କିମ୍ବା ପାଶ୍ଚାତ୍ୟର ସେ ଅନ୍ଧ ଭାବେ ବିରୋଧୀ କି ସମର୍ଥକ ନ ଥିଲେ। ବରଂ ସେ ସବୁବେଳେ ସମନ୍ବିତ ଭାରତର କଥା କହୁଥିଲେ। ପୂର୍ବତନ ମନ୍ତ୍ରୀ ସେକ୍‌ ମତ୍‌ଲୁବ୍‌ ଅଲ୍ଲିଙ୍କ ଦ୍ବାରା ମୌଲାନା ଆଜାଦଙ୍କ ଜୀବନୀ ପୁସ୍ତକ ‘ସଂଗ୍ରାମୀ ମୌଲାନା ଆବୁଲ୍‌ କଲାମ ଆଜାଦ’ ପୁସ୍ତକ ଲୋକାର୍ପଣ ଅବସରରେ ଅତିଥିମାନେ ଏହା କହିଛନ୍ତି।

ଆଗାମୀ ଶତାବ୍ଦୀ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ଏହି ପୁସ୍ତକର ଲୋକାର୍ପଣ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରେଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସାହିତ୍ୟିକ ଅଧ୍ୟାପକ ବିଶ୍ବରଂଜନ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡ. ବିଜୟାନନ୍ଦ ସିଂହ, ଐତିହାସିକ ପ୍ରୀତିଶ ଆଚାର୍ଯ୍ୟ, ରାଷ୍ଟ୍ରୀୟ ଅଭିଲେଖାଗାର, ଭୁବନେଶ୍ବରର ସହ ନିର୍ଦେଶକ ଡ. ଲଲାଟେନ୍ଦୁ ଦାସ ମହାପାତ୍ର ପ୍ରମୁଖ ମୌଲାନା ଆଜାଦଙ୍କ ଅବଦାନ ଏବଂ ତାଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ସମ୍ପର୍କରେ ଆଲୋପାତ କରିଥିଲେ। ଲେଖକ ପୂର୍ବତନ ମନ୍ତ୍ରୀ ସେକ୍‌ ମତ୍‌ଲୁବ ଅଲ୍ଲି ଏହି ପୁସ୍ତକ ଲେଖିବାର ଅଭିପ୍ରାୟ ସମ୍ପର୍କରେ ମତ ରଖିଥିଲେ। ପ୍ରକାଶକ ଶିବାଶିଷ କର ଉପସ୍ଥିତ ଥିଲେ। ପ୍ରଭାତ କୁମାର କର ସ୍ବାଗତ ଭାଷଣ ଦେଇଥିବା ବେ‌ଳେ ଗୋବିନ୍ଦ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର