କଲ୍ୟାଣପୁରରେ ସାନିଟାରି ନାପ୍‌କିନ୍‌ ଉତ୍ପାଦନ କାରଖାନା ଉଦ୍‌ଘାଟିତ

ଭୁବନେଶ୍ବର :   ଗ୍ରାମୀଣ ମହିଳାମାନଙ୍କୁ ସ୍ବଚ୍ଛତାର ଶିକ୍ଷା ଓ ରୋଜଗାରର ସୁବିଧା ଦେବା ଉଦ୍ଦେଶ୍ୟରେ ‘ଭୁବନେଶ୍ବର ଲେଡିଜ୍‌ ସର୍କଲ’ ପକ୍ଷରୁ ‘ପରିଚୟ ଫାଉଣ୍ଡେସନ’ର ସହଯୋଗରେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। ଉଭୟ ଅନୁଷ୍ଠାନ ପକ୍ଷରୁ କଲ୍ୟାଣପୁରଠାରେ ଏକ ‘ସାନିଟାରି ନାପ୍‌କିନ୍‌ ଉତ୍ପାଦନ କାରଖାନା ନିର୍ମାଣ କରାଯାଇଛି। ଏଥିପାଇଁ ଉକ୍ତ ଗ୍ରାମର ୪୦ ଜଣ ମହିଳାଙ୍କୁ ୨ ଦିନ ଧରି ତାଲିମ ଦିଆଯିବା ସହ ‌ରୋଜଗାରର ସୁବିଧା ଦିଆଯାଇଛି। ସେମାନଙ୍କୁ ସାନିଟାରି ନାପ୍‌କିନ୍‌ର ପ୍ରସ୍ତୁତି ପାଇଁ କଞ୍ଚା ମାଲ୍‌ ଓ ମେସିନ୍‌ ଯୋଗାଇ ଦେବା ସହ ୨୦ ଜଣଙ୍କୁ ନାପ୍‌କିନ୍‌ ପ୍ରସ୍ତୁତି ଓ ବାକି ୨୦ ଜଣଙ୍କୁ ମାର୍କେଟିଂରେ ପ୍ରଶିକ୍ଷଣ ଦିଆଯାଇଛି। ନାପ୍‌କିନ୍‌ ପ୍ରସ୍ତୁତି ପରେ ଗ୍ରାମର ସମସ୍ତ ମହିଳାଙ୍କୁ ମାତ୍ର ୨ ଟଙ୍କା‌ରେ ନାପ୍‌କିନ୍‌ ପ୍ୟାକେଟ୍ ଯୋଗାଇ ଦିଆଯିବ। ଲାଭାଂଶରେ ପୁଣି କଞ୍ଚା ମାଲ୍‌ କିଣି ଏହି ପ୍ରକ୍ରିୟା ଜାରି ରହିବ। ଏହି ପ୍ରକଳ୍ପ ସଫଳ ହେଲେ ରାଜ୍ୟର ଅନ୍ୟ ଗ୍ରାମରେ ଏଭଳି ୟୁନିଟ୍ ଖୋଲିବାର ଯୋଜନା ରହିଛି ବୋଲି କହିଛନ୍ତି ପରିଚୟ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ରୋଜାଲିନ୍‌ ପାଟ୍ଟଶାଣୀ। ଏହାଦ୍ବାରା ଗ୍ରାମାଞ୍ଚଳର ମହିଳାମ‌ାନେ ରୋଜଗାରର ସୁବିଧା ସହ ଏକ ସ୍ବଚ୍ଛ ବାତାବରଣ ପାଇପାରିବେ ବୋଲି ସେ କହିଛନ୍ତି।

ଆଜି ହୋଟେଲ ପାଲ୍‌ ହାଇଟ୍‌ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୟୁନିଟ୍‌ର ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ୍‌ ଓ ସଙ୍ଗୀତ ନିର୍ଦ୍ଦେଶିକା ଦୀପ୍ତି ଦେବୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ  ‘ଭୁବନେଶ୍ବର ଲେଡିଜ୍‌ ସର୍କଲ’ର ଅଧ୍ୟକ୍ଷା ନାନ୍‌ସି ଖିମ୍‌ଜି, ଉପାଧ୍ୟକ୍ଷା ନିଧି ଗୁପ୍ତା ଓ ରଶ୍ମି ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର