ଜୟଦେବଙ୍କ ଜୟନ୍ତୀରେ ସଂକୀର୍ତନ ଶୋଭାଯାତ୍ରା

ପୁରୁଣା ଭୁବନେଶ୍ୱର : ପବିତ୍ର ଗୀତଗୋବିନ୍ଦର ରଚୟିତା ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ବାସୁଦେବ ମନ୍ଦିର ଆନନ୍ଦ ବଜାରଠାରୁ ଏକ ସଂକୀର୍ତନ ଶୋଭାଯାତ୍ରା ବାହାରିଥିଲା। ରାଜ୍ୟ ସଂସ୍କୃତି ବିଭାଗ ଓ ଜୟଦେବ ଫାଉଣ୍ଡେସନ୍‌ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା। ଟ୍ରଷ୍ଟର ସଭାପତି ଅଜିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଗବେଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଦେବେନ୍ଦ୍ର ଦାଶ, ପ୍ରଫୁଲ୍ଲ ମିଶ୍ର, କୃଷ୍ଣ କେଶବ ଷଡ଼ଙ୍ଗୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦେଶକ ବିପିନ ବାରକ, ସଂସ୍କୃତି ବିଭାଗର ଉପ ନିର୍ଦେଶକ ସୁନିଲ ପଟ୍ଟନାୟକ, ଶିଶୁ ଅନନ୍ତ ଟ୍ରଷ୍ଟର ଟ୍ରଷ୍ଟି ତନୟା ଦାସ ଗୋସ୍ୱାମୀ ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଜୟଦେବଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଂକୀର୍ତ୍ତନ ଦଳଙ୍କୁ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ଏହି ସଂକୀର୍ତନ ଶୋଭାଯାତ୍ରା ବିନ୍ଦୁସାଗର କଡ଼ ଦେଇ ଶ୍ରୀଲିଙ୍ଗରାଜ ମନ୍ଦିର, ସନାତନ ମଠ, ଠାକୁର ନିଗମାନନ୍ଦଙ୍କ ଆଶ୍ରମ, ବାଳକାଟି ମଦନ ମୋହନ ମନ୍ଦିର, ବାଲିପାଟଣା ଶିଶୁ ଅନନ୍ତ ଆଶ୍ରମ ଓ ଭିଙ୍ଗାରପୁରର କେନ୍ଦୁବିଲ୍ଵ ଦେଇ କଟକର କଣ୍ଟାପଡ଼ା ଅଭିମୁଖେ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର