ଭୁବନେଶ୍ୱର : ଶ୍ରୀଜଗନ୍ନାଥ କେବଳ ଓଡ଼ିଶା ଭୂଖଣ୍ଡର ଦେବତା ନୁହନ୍ତି, ବିଶ୍ୱ ଦେବତା। ଜନଜାତି ଓ ଲୋକ ସଂସ୍କୃତିର ସମନ୍ଵୟରେ ଉପକୂଳ ଓଡ଼ିଶାରେ ଜଗନ୍ନାଥ ଧର୍ମଧାରା ପ୍ରତିଷ୍ଠିତ ହୋଇ ବିଶ୍ୱାଦୃତ ହୋଇଛି। ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ‘ସଂସ୍କୃତି ଚର୍ଚା’ରେ ‘ଶ୍ରୀଜଗନ୍ନାଥ ସଂସ୍କୃତି ଜନଜାତି, ଗ୍ରାମୀଣ ଓ ଦେଶୀୟ ଧର୍ମଧାରାରେ ସମନ୍ଵିତ ଓ ସମାହିତ’ ଶୀର୍ଷକ ବିଷୟ ଉପରେ ଏପରି ଅଭିବ୍ୟକ୍ତି ରଖିଛନ୍ତି ଜର୍ମାନ ଗବେଷକ ପଦ୍ମଶ୍ରୀ ପ୍ରଫେସର ଡ. ହର୍ମାନ କୁଲ୍କେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଲେ, ଦାରୁଦେବତା ଜନଜାତିର ଧର୍ମଧାରାରେ ନିହିତ ଥିଲା। ସାଂସ୍କୃତିକ ପ୍ରବାହର ସ୍ରୋତରେ ଗ୍ରାମ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବାର ପ୍ରଥା ଆରମ୍ଭ ହୋଇଥିଲା। ଏହି ଧର୍ମୀୟ ଆଚରଣ ଜନଜାତି ତଥା ଗଡ଼ଜାତ ରାଜାମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହେଲା। ଦେଶୀୟ ରାଜାମାନେ ମଧ୍ୟ ସେମାନଙ୍କ ଇଷ୍ଟ ଦେବଦେବୀଙ୍କ ପାଇଁ ପୂଜାବିଧି, ମନ୍ଦିର ନିର୍ମାଣ ଓ ଉପଚାର ଆରମ୍ଭ କଲେ। ତେଣୁ ଓଡ଼ିଶାର ଧର୍ମଧାରାରେ ଶ୍ରୀଜଗନ୍ନାଥ ସଂସ୍କୃତି ଉଭୟ ଜନଜାତି ଓ ଲୋକ ସଂପ୍ରଦାୟ ମଧ୍ୟରେ ସମାହିତ ହୋଇପାରିଛି ବୋଲି କହିଥିଲେ। ସେ ସିଂହନାଥ, ବଡ଼ମ୍ବା, ମହେନ୍ଦ୍ରଗିରି, ନୃସିଂହନାଥ, ରଣପୁର, ବାଙ୍କି, କଣ୍ଟିଲୋ, ତାରିଣୀ ପୀଠ ସମେତ ଅନେକ ମନ୍ଦିରରେ ରାଜାନୁଗ୍ରହ କ୍ରମେ ଅଣହିନ୍ଦୁ ପୂଜକଙ୍କ ଦ୍ୱାରା ବିଧିବିଧାନ ପାଳନ ଓ ଅଷ୍ଟମାତୃକା ପୂଜା ସମ୍ପର୍କରେ ମତ ରଖିଥିଲେ। ବିଭାଗୀୟ କମିସନର୍ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ଜାତୀୟ ଅଭିଲେଖାଗାରର ସହକାରୀ ନିର୍ଦେଶକ ଡ. ଲଲାଟେନ୍ଦୁ ଦାସମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅଭିଲେଖାଗାରର ଅଧୀକ୍ଷକା ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।