ବାଟୋଇଙ୍କ ନଜରରେ ପଡ଼ୁନାହାନ୍ତି ବାଟଦେବୀ

ଲୁଚିଗଲାଣି ‘ସପ୍ତସତୀ ମନ୍ଦିର’

ଭୁବନେଶ୍ୱର: ଦୁର୍ଘଟଣା ଓ ଅଶରୀରୀ କବଳରୁ ମୁକ୍ତି ପାଇଁ ଦିନେ ଆବିର୍ଭାବ ହୋଇଥିଲେ ମା’। ନାଁ ଥିଲା ସାଥୀ ଭଉଣୀ। ଯେବେଠୁ ମା’ ଆସିଲେ, ଦୁର୍ଘଟଣା ଉଭେଇଗଲା। ସାଥୀ ଭଉଣୀରୁ ମା’ ପାଲଟିଥିଲେ ‘ସପ୍ତସତୀ’। କିନ୍ତୁ ଏଭଳି ଅନେକ ଅବିସ୍ମୃତ ସ୍ମୃତି ଜଡ଼ିତ ଏହି ମନ୍ଦିର ଏବେ ପ୍ରାୟ ନିଶ୍ଚିହ୍ନ ହେବାକୁ ବସିଛି। ଦିନେ ପଥଚାରୀଙ୍କ ଆସ୍ଥା ଓ ବିଶ୍ୱାସ ପାଲଟିଥିବା ମନ୍ଦିର ଓ ଠାକୁରାଣୀ ଧୀରେଧୀରେ ସତ୍ତା ହରାଉଛନ୍ତି। ବିକାଶ ଓ ଆଧୁନିକତା ଆଳରେ କେବେ ଭାବନା ଭକ୍ତି ବଳି ପଡ଼ିଗଲା, ଏ ଖବର କାହା ପାଖରେ ନାହିଁ। ରାସ୍ତା ପ୍ରଶସ୍ତ ଓ ଉଚ୍ଚ ହେବା ଭିତରେ ସହରର ବାଟ ଦେବତୀ ଆଉ ବାଟୋଇଙ୍କ ନଜରରେ ପଡ଼ୁନାହାନ୍ତି। ମା’ ଯେମିତି ଧୀରେଧୀରେ ପାତାଳଗାମୀ ହେବାରେ ଲାଗିଛନ୍ତି। ରାସ୍ତାଠାରୁ ମନ୍ଦିର ବହୁ ତଳେ ରହିଯାଉଥିବାରୁ ମନ୍ଦିରକୁ ଠାବ କରିବା ସମ୍ଭବ ହେଉନି। ୨ ବର୍ଷ ପୂର୍ବରୁ ରାସ୍ତା ପ୍ରଶସ୍ତ ସମୟରେ ମନ୍ଦିର ରାସ୍ତା ଉଚ୍ଚତା ଠାରୁ ପ୍ରାୟ ୧୦ଫୁଟ ତଳେ ରହିଯିବା ଓ ମନ୍ଦିରର ମୁଖ୍ୟ ପ୍ରବେଶ ପଥ ବନ୍ଦ କରି ପାର୍ଶ୍ୱପଥ ଉନ୍ମୁକ୍ତ ହେବାରୁ ମନ୍ଦିରକୁ ପଥଚାରୀ ଆଉ ଦେଖିପାରୁନାହାନ୍ତି। ଫଳରେ ମନ୍ଦିରରେ ଦିନକୁ ଦିନ ଭକ୍ତ କମିବା ସହ ଆୟ କମିବାରେ ଲାଗିଛି। ୫୦ ବର୍ଷ ତଳେ ଦୁର୍ଘଟଣା ଓ ଅଶରୀରୀ କବଳରୁ ମୁକ୍ତି ପାଇବା ପାଇଁ ମଞ୍ଚେଶ୍ୱର ଗ୍ରାମର ସବର୍ଣ୍ଣ ଓ ହରିଜନମାନେ ମିଶି ପଳାଶୁଣୀ ବ୍ରିଜ୍‌ରୁ କୁଆଖାଇ ନଦୀ ବ୍ରିଜ୍‌ ରାସ୍ତାକଡ଼ରେ ସାଥୀ ଭଉଣୀ ମନ୍ଦିର ଗଢ଼ିଥିଲେ। ୧୯୭୭ ମସିହା ଆଡ଼କୁ ପୁରୀର ତତ୍‌କାଳୀନ ଶଙ୍କରାଚାର୍ଯ୍ୟ ସେହି ମନ୍ଦିରର ନାମ ପରିବର୍ତ୍ତନ କରି ‘ସପ୍ତସତୀ ଚଣ୍ଡୀ ମନ୍ଦିର’ ନାମରେ ନାମିତ କଲେ। ମା’ଙ୍କ ମନ୍ଦିର ସ୍ଥାପନ ପରେ ଏଠାରେ ଦୁର୍ଘଟଣା କମିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି। ଏହି ବିଶ୍ୱାସ ଯୋଗୁଁ ଏହି ରାସ୍ତାରେ ଯା’ ଆସ କରୁଥିବା ଯାତ୍ରୀମାନେ ମା’ଙ୍କୁ ମୁଣ୍ଡିଆ ମାରି କିଛି ଟଙ୍କା ଦାନ କରି ଯାଉଥିଲେ। କିନ୍ତୁ ବର୍ତ୍ତମାନ ସେସବୁ ବନ୍ଦ ହୋଇଯାଇଛି।

ମନ୍ଦିର ପୂଜକ ମଙ୍ଗୁଳି ଚରଣ ପଣ୍ଡା କୁହନ୍ତି, ପାର୍କିଂ ପାଇଁ ସ୍ଥାନ ନଥିବାରୁ ମା’ଙ୍କଠାରେ ଗାଡ଼ି ପୂଜା, ବିବାହ, ନିର୍ବନ୍ଧ ଓ ମଙ୍ଗନ କାର୍ଯ୍ୟ ଆଉ ହେଉନାହିଁ। ଫଳରେ ମନ୍ଦିର ଆୟ କମି କମି ଗଲାଣି। ଆୟ କମିବା ଫଳରେ ବିଭିନ୍ନ ସମୟରେ ହେଉଥିବା ମନ୍ଦିରର ବହୁ ଯାନିଯାତ୍ରା ଓ ନୀତିକାନ୍ତି ବି ଧୀରେ ଧୀରେ ବନ୍ଦ ହୋଇଯାଇଛି। ଆଗରୁ ମନ୍ଦିରର ଆୟ ଦିନକୁ ପ୍ରାୟ ୧୦୦୦ରୁ ୧୫୦୦ ଥିବା ବେଳେ ବର୍ତ୍ତମାନ ଏହା ଶୂନ୍ୟରେ ପହଞ୍ଚିଛି। ମନ୍ଦିର ମଧ୍ୟରେ ଥିବା ପୁଷ୍କରିଣୀରେ ଜଳ ନିଷ୍କାସନ ସୁବିଧା ନ ଥିବାରୁ ବର୍ଷା ଦିନେ ନାନା ଅସୁବିଧା ଉପୁଜୁଛି। ମୋଟର ଲଗାଇ ପାଣି ନିଷ୍କାସନ କରିବାକୁ ପଡ଼େ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ରାସ୍ତା ପ୍ରଶସ୍ତ ସମୟରେ ମନ୍ଦିର ପକ୍ଷରୁ ଲାଗିଥିବା ଷ୍ଟ୍ରିଟ୍‌ଲାଇଟ୍‌ ବି ଭାଙ୍ଗି ଦିଆଯାଇଥିଲା। ଫଳରେ ଏବେ ମନ୍ଦିର ବାହାର ସମ୍ପୂର୍ଣ୍ଣ ଅନ୍ଧକାରମୟ। ଅନ୍ଧାରର ସୁଯୋଗ ନେଇ ମନ୍ଦିରରୁ ବହୁ ଚୋରି ହୁଏ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଓଡ଼ିଶା ସରକାରଙ୍କ ଦେବୋତ୍ତର ବିଭାଗ ଅଧୀନ ଏହି ମନ୍ଦିରର ପରିଚାଳନା କମିଟିର ସଭାପତି ଦାୟିତ୍ୱରେ ଥିବା ମୃତ୍ୟୁଞ୍ଜୟ ତ୍ରିପାଠୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଅଳ୍ପ କିଛି ଦିନ ହେଲା ସେ ଦାୟିତ୍ୱକୁ ଆସିଛନ୍ତି। ମନ୍ଦିରର ଆୟ ବର୍ତ୍ତମାନ ବହୁତ କମ୍‌ ଥିବା ବେଳେ ମନ୍ଦିର ଚଳାଇବା କଷ୍ଟ। ତେବେ ଦେବୋତ୍ତର କମିସନର୍‌ଙ୍କ ସହ କଥା ହୋଇ ଏନେଇ ଖୁବ୍‌ ଶୀଘ୍ର କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର