ସାରଳା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ: ପ୍ରତିଭାଙ୍କୁ ‘ସାରଳା ସମ୍ମାନ’, ରଘୁନାଥଙ୍କୁ ‘କଳିଙ୍ଗ ରତ୍ନ’

କଟକ: ‘ସାରଳା ଦାସ କାବ୍ୟ ଜଗତରେ ବିପ୍ଳବ ସୃଷ୍ଟି କରିଥିଲେ। ସଂସ୍କୃତ ଭାଷାର ପ୍ରାବଲ୍ୟ ସମୟରେ ଲୋକଭାଷା ଓଡ଼ିଆରେ କାବ୍ୟ ରଚନା କରି ସେ ସଂସ୍କୃତ ପଣ୍ଡିତମାନଙ୍କ ରୋଷର ଶିକାର ହୋଇଥିଲେ। ତଥାପି ସମାଜ ପାଇଁ ସେ ସାହିତ୍ୟ ସୃଷ୍ଟି କରି ଚାଲିଥିଲେ ‌ବୋଲି ଆନ୍ଧ୍ର‌ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି। ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୩୮ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ହରିଚନ୍ଦନ କ‌ହି‌ଲେ, ସାରଳା ଦାସଙ୍କ ମହାଭାରତରେ ମୌଳିକତା ରହିଛି। ଏହା ମହର୍ଷି ବ୍ୟାସ ଦେବଙ୍କ ମହାଭାରତଠାରୁ ଅନେକ ଭିନ୍ନ। ବ୍ୟାସଙ୍କ ମହାଭାରତରେ ଯୁଧିଷ୍ଠିରଙ୍କୁ ଧର୍ମରାଜ ଭାବେ ବର୍ଣ୍ଣନା କରାଯାଇଥିବା ବ‌େଳେ ସାରଳା ମହାଭାରତରେ ଯୁଧିଷ୍ଠିରଙ୍କୁ ସମାଲୋଚନା କରାଯାଇଛି। ସେ ସମୟରେ ସାରା ଦେଶ ଓ ବିଭିନ୍ନ ଯୁଦ୍ଧ ସଂପର୍କରେ ସାରଳା ଦାସଙ୍କ ଦୃଷ୍ଟିକୋଣ ବେଶ ସମୃଦ୍ଧ ଥିଲା। ଆଜି ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟିକଙ୍କୁ ସମ୍ମାନିତ କରିବା ଦ୍ବାରା ଏକ ସୁନ୍ଦର ପରମ୍ପରା ସୃ‌ଷ୍ଟି ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ସ୍ବତନ୍ତ୍ର ଅତିଥି ଭାବେ ବିଶିଷ୍ଟ ହିନ୍ଦୀ ସାହିତ୍ୟିକା ଚିତ୍ରା ମୁଦ୍‌ଗଲ ଯୋଗଦେଇ ସାରଳା ଦାସଙ୍କ ପ୍ରତିଭା ସଂପର୍କରେ ଆଲୋଚନା କରିବା ସହିତ ବିଶ୍ବ ସାହିତ୍ୟକୁ ଓଡ଼ିଆ ସାହିତ୍ୟିକମାନଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଭାବେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ ଓ ବରେଣ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଯୋଗ ଦେଇଥିଲେ। ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଞ୍ଜିନିୟର ପ୍ରଭାକର ସ୍ବାଇଁ ଉତ୍ସବରେ ଅଧ୍ୟକ୍ଷତା କରି ସାରଳା ଦାସଙ୍କ ମହାଭାରତ ଭାରତୀୟ ଆଞ୍ଚଳିକ ଭାଷାରେ ପ୍ରଥମ ସଂପୂ୍ର୍ଣ୍ଣ ମହାଭାରତ ବୋଲି କହିଥିଲେ। ଏହି ଅବସରରେ ବିଶି‌ଷ୍ଟ ଲେଖିକା ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟଙ୍କୁ ମର୍ଯ୍ୟାଦାଜନ ‘ସାରଳା ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ୧ଲକ୍ଷ ୫ହଜାର ଟଙ୍କା, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସେହିପରି ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କୁ ‘କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ବରୂପ ତାଙ୍କୁ ରୌପ୍ୟ ନିର୍ମିତ ସରସ୍ବତୀ, ତ୍ରାମଫଳକ ଓ ଉ‌ପଢ଼ୌକନ ଦିଆଯାଇଥିଲା। ଉତ୍ସବରେ ସଂସଦ ଦ୍ବାରା ସଂପାଦିତ ତଥା ପ୍ରକାଶିତ ‘ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର ଗ୍ରନ୍ଥ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଉତ୍ସବରେ ପ୍ରାକ୍ତନ ପ୍ରଶାସକ ତଥା ଲେଖକ ବିଦ୍ୟାନନ୍ଦ ଝା ରାଜ୍ୟପାଳ ଶ୍ରୀ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସଂସଦର ସଂପାଦକ ଡାକ୍ତର ନିରଞ୍ଜନ ତ୍ରିପାଠୀ ବା‌ର୍ଷିକ ବିବରଣୀ ପାଠ କରିଥିବା ବେଳେ ପ୍ରଫେସର ବନ୍ଦିତା ଦାଶ ଓ ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। ସମାରୋହରେ ଜଷ୍ଟିସ ମହନମୋହନ ଦାସ, ଜଷ୍ଟିସ୍ ବୀରକିଶୋର ମିଶ୍ର, ଜଷ୍ଟିସ୍ ବିଜୟ କୁମାର ନାୟକ, ଜଷ୍ଟିସ୍ ଦୁର୍ଗାପ୍ରସାଦ ‌ଚୌଧୁରୀ, ପୂର୍ବତନ ଡିଜି ବିପିନ ବିହାରୀ ମିଶ୍ର, ଜଷ୍ଟିସ୍ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ, ସମାଜର ସଂପାଦକ ବାମାପଦ ତ୍ରିପାଠୀ, ପ୍ରଫେସର ଦାଶରଥୀ ଦାଶ, ଅଧ୍ୟାପିକା ମନୋରମା ମହାପାତ୍ର, ଡକ୍ଟର ଶଙ୍କରଲାଲ୍ ପୁରୋହିତ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଡକ୍ଟର ରାଜେନ୍ଦ୍ର ପ୍ରସାଦ ମିଶ୍ର, ଡକ୍ଟର ନଟବର ଶତପଥୀ, ତ୍ରିଲୋଚନ କାନୁନ୍‌ଗୋ, ପ୍ରସନ୍ନ ଜେନା, ଡାକ୍ତର ନିମାଇଁ ଚରଣ ପରିଜା, ଡାକ୍ତର ନିରଦ ଗଚ୍ଛାୟତ, ଡକ୍ଟର ମହେଶ୍ବର ମହାନ୍ତି, ଡକ୍ଟର ସ‌ୁଲୋଚନା ଦାସ, ପ୍ରସନ୍ନ କୁମାର ସ୍ବାଇଁ, ବାବାଜୀ ଚରଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା, ଉପେନ୍ଦ୍ର ପ୍ରସାଦ ନାୟକ, ଡାକ୍ତର କୃପାସିନ୍ଧୁ ପଣ୍ଡା, ଡକ୍ଟର ପ୍ରଭାତ କୁମାର ମିଶ୍ର, ପ୍ରଫେସର ସଂଗୀତା ରଥ, ପଦନ କୁମାର ଜେନା, ଦେବବ୍ରତ ମଦନରାୟ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଗାଳ୍ପିକା ରୁମ୍‌ଝୁମ୍‌ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର