ବିରାଜିବେ ମା’ ବାଗ୍‌ଦେବୀ

ଭୁବନେଶ୍ବର: ପବିତ୍ର ଶ୍ରୀପଞ୍ଚମୀରେ ଧରାବତରଣ କରିବେ ମା’ ସରସ୍ବତୀ। ମା’ଙ୍କ ଆଗମନ ପାଇଁ ଛାତ୍ରଛାତ୍ରୀଙ୍କଠାରୁ ବିଭିନ୍ନ ଅନୁଷ୍ଠାନ କର୍ମକର୍ତା ସମସ୍ତେ ଉତ୍ସାହିତ। ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ। ବିଭିନ୍ନ ଶିକ୍ଷାନୁଷ୍ଠାନ, ଘର, କୋଚି˚ ସେଣ୍ଟର ଓ କ୍ଲବ୍‌; ସବୁଠି ସାଜସଜ୍ଜା ଆରମ୍ଭ ହୋଇଯାଇଛି। ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତିକାର ମଧ୍ୟ ମୂର୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ପୂଜା ମଣ୍ତପଗୁଡ଼ିକ ସଜେଇ ହେଉଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଙ୍ଗାଳୀ ମୂର୍ତିର ଚାହିଦା ଅଧିକ ରହିଛି। ନିଆରା ଗଠନ ଶୈଳୀ ଓ ହାଲ୍‌କା ହୋଇଥିବାରୁ ଭକ୍ତମାନେ ଏହି ମୂର୍ତିକୁ କ୍ରୟ କରିବାରେ ଅଧିକ ଗୁରୁତ୍ବ ଦେଉଥିବା କହିଛନ୍ତି ୟୁନିଟ୍‌-୧ ହାଟର ମୂର୍ତ୍ତି ବ୍ୟବସାୟୀ ସୁକାନ୍ତ ମଲ୍ଲିକ। ଗଣେଶ ଓ ବିଶ୍ବକର୍ମା ପୂଜା ଭଳି ସରସ୍ବତୀ ପୂଜା ବଡ଼ ଆକାରରେ ହୋଇ ନଥାଏ। ତେଣୁ ଏହି ପୂଜାରେ ବ୍ୟବସାୟ ଟିକେ କମ୍‌ ହୁଏ। ବଙ୍ଗାଳୀ ମୂର୍ତିର ନିଖୁଣ କାରୁକାର୍ଯ୍ୟ ଗ୍ରା‌ହକଙ୍କୁ ଆକର୍ଷିତ କରିଥାଏ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। କିନ୍ତୁ ଓଡ଼ିଶାର ମୂର୍ତ୍ତି ସମ୍ପୂର୍ଣ୍ଣ ମାଟିରେ ତିଆରି ହୁଏ। ସେଥିପାଇଁ ଓଜନ ଅଧିକ। ବଜାରରେ ବର୍ତ୍ତମାନ ୫ ଫୁଟ୍‌ରୁ ନେଇ ୧୦ ଫୁଟ୍‌ ପର୍ଯ୍ୟନ୍ତ ମୂର୍ତ୍ତି ମିଳୁଛି। ଯାହାର ଦାମ୍‌ ୧୦୦ ଟଙ୍କାରୁ ଆରମ୍ଭ କରି ୭୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କଟକ, ଆଠଗଡ଼ ଓ କୋଲକାତାରୁ ଏହି ମୂର୍ତ୍ତି ଅଣାଯାଉଛି। କେବେ ପଦ୍ମ ଉପରେ ତ’ କେବେ ହ˚ସ ଉପରେ ଉପବିଷ୍ଟ ମା’ଙ୍କ ମୂର୍ତ୍ତି ବେଶ୍‌ ଚାହିଦାରେ ରହିଛି। ଚାହିଦାକୁ ଦୃଷ୍ଟିରେ ରଖି କାରିଗରମାନେ ମଧ୍ୟ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି। ଦର ମଧ୍ୟ ଭିନ୍ନଭିନ୍ନ ରହିଛି।

ସମ୍ବନ୍ଧିତ ଖବର