ସାବାସ୍ ଶରତ: ବଞ୍ଚିଗଲା ଦୁଇ ସ୍କୁଲ ଛାତ୍ରଙ୍କ ଜୀବନ

ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ କନ୍‌ଷ୍ଟେବଲ

କଟକ: ପୁଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅନେକ ସମୟରେ ଅସନ୍ତୋଷ ଆଉ ଅଭିଯୋଗ ଥାଏ। କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ଜଣେ ପୁଲିସ କନ୍‌ଷ୍ଟେବଲ୍‌ ଦୁଇ ଜଣ ସ୍କୁଲ ଛାତ୍ରଙ୍କ ଜୀବନ ବଞ୍ଚାଇ ପ୍ରଶଂସାର ପାତ୍ର ହୋଇଛନ୍ତି। ତାଙ୍କର ଏ ପ୍ରକାର କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ତାଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ସଦର ଥାନା କନ୍‌ଷ୍ଟେବଳ ଶରତ କୁମାର ବିଶ୍ବାଳ(୫୮) ତାଙ୍କର ଏଭଳି କାର୍ଯ୍ୟ ପାଇଁ ଆଜି କମିସନରେଟ୍‌ ପୁଲିସରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ସୂଚନା ଅନୁଯାୟୀ କଟକ ଜିଲ୍ଲା ବ୍ରାହ୍ମଣଝରିଲୋ ବିଦ୍ୟାଳୟ ସାମ୍‌ନାରେ ଯାନବାହାନ ଅଧିକ ମାତ୍ରାରେ ଚଳାଚଳ କରୁଥିବାରୁ ସଦର ଥାନା ପକ୍ଷରୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସେଠାରେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଉଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ସେହି ଅଞ୍ଚଳରେ କନ୍‌ଷ୍ଟେବଲ ଶ୍ରୀ ବିଶ୍ବାଳ ଡ୍ୟୁଟି କରୁଥିଲେ। ଦୁଇ ସ୍କୁଲ ଛାତ୍ରଙ୍କୁ ସେ ରାସ୍ତା ଅତିକ୍ରମ କରାଉଥିବା ବେଳେ ହଠାତ ନିଆଳି ଆଡ଼ୁ ଏକ ଟ୍ରକ(ଓଡି ୦୫ ଭି ୬୩୩୫) ଦ୍ରୁତ ଗତିରେ ମାଡ଼ି ଆସିଥିଲା। ଗାଡ଼ି ଏତେ ପାଖରେ ପହଞ୍ଚି ଯାଇଥିଲା ଯେ ଦୁଇ ଛାତ୍ରଙ୍କ ସହ ଶ୍ରୀ ବିଶ୍ବାଳ ଦୁର୍ଘଟଣାର ସମ୍ମୁଖୀନ ହୋଇଥା’ନ୍ତେ। ସେହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଶ୍ରୀ ବିଶ୍ବାଳ ଦୁଇ ଛାତ୍ରଙ୍କୁ କୁଣ୍ଢାଇ ଧରି ଗଡ଼ି ଗଡ଼ି ରାସ୍ତା ତଳକୁ ଚାଲି ଯାଇଥିଲେ। ଫଳରେ ଅଳ୍ପକେ ସମସ୍ତଙ୍କ ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣାରେ ଉକ୍ତ ଟ୍ରକକୁ ଜବତ କରାଯାଇଥିବା ବେଳେ ଡ୍ରାଇଭର‌୍‌ଙ୍କୁ ଥାନାରେ ଅଟକ ରଖାଯାଇଛି। ଶ୍ରୀ ବିଶ୍ବାଳଙ୍କ ବାମ ହାତ ଓ ଛାତିରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ ପଠାଯାଇଥିଲା। ତୁଳସୀପୁର ଦେଉଳସାହିର ଶ୍ରୀ ବିଶ୍ବାଳ ୧୯୮୪ରେ କନ୍‌ଷ୍ଟେବଲ ଭାବେ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ଏବେ ସଦର ଥାନାରେ କାର୍ଯ୍ୟ କରୁଛନ୍ତି। ସେ ୧୯୭୫ରୁ ୧୯୭୯ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ଫୁଟ୍‌ବଲ ବି ଖେଳିଛନ୍ତି। ସେ କୁହନ୍ତି, ଦ୍ରୁତ ଗତିରେ ଆସୁଥିବା ଗା଼ଡ଼ିକୁ ଅଟକାଇବାକୁ ଉଦ୍ୟମ କଲି। ଗାଡ଼ି ମାଡ଼ି ଆସିବାରୁ ଦୁଇ ଛୁଆଙ୍କୁ କୁଣ୍ଢେଇ ଧରି ଡେଇଁ ପଡ଼ିଲି। ଠାକୁରଙ୍କ ଦୟାରୁ ଛାତ୍ରଦ୍ବୟ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପଟେ ଡିସିପି ଅଖିଳେଶ୍ବର ସି˚ହ ସମ୍ପୃକ୍ତ କନ୍‌ଷ୍ଟେବଲଙ୍କ ଏଭଳି କାର୍ଯ୍ୟ ପାଇଁ ପୁରସ୍କୃତ କରିବେ ବୋଲି ଥାନା ଅଧିକାରୀ ସୁଧା˚ଶୁ ଭୂଷଣ ଜେନା କହିଛନ୍ତି।

ସମ୍ବନ୍ଧିତ ଖବର