ସର୍ବକ୍ଷମାରେ କ୍ଷମା ଚାହୁନାହାନ୍ତି : ବର୍ଷକରେ ବି ଆଶାତୀତ ଆବେଦନ ହେଲାନି

ବିଡିଏରେ ମାତ୍ର ୨ହଜାର, ବିଏମ୍‌ସିରେ ୨୦୦ ଆବେଦନ, ୨୦୦୭-୦୮ରେ ୪ହଜାର ଲୋକ ଆବେଦନ କରିଥିଲେ

0

ଭୁବନେଶ୍ବର : କିଛି ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ, ରାଜସ୍ବ ବୃଦ୍ଧି ପାଇଁ ସାଧାରଣ ଲୋକଙ୍କୁ ଶେ‌ାଷଣ କରିବାର ଚିନ୍ତାଧାରା ଯୋଗୁଁ ଏବେ ନଗର ଉନ୍ନୟନ ବିଭାଗର ସର୍ବକ୍ଷମା ଯୋଜନା ଫେଲ୍‌ ମାରିଛି। ବିଜ୍ଞପ୍ତି ପ୍ରକାଶ ପାଇବାର ୬ମାସ ମଧ୍ୟରେ ବହୁତ କମ୍‌ ଆବେଦନ ଆସିବା ପରେ ବି ଏହାର ସମୀକ୍ଷା ନକରି ଉପରଠାଉରିଆ ଭାବେ ପୁଣି ୬ମାସ ବଢ଼ାଇ ଦିଆଗଲା। ହେଲେ ବିଜ୍ଞପ୍ତିି ପ୍ରକା‌ଶ ପାଇବାର ବର୍ଷକ ମଧ୍ୟରେ ବି ରାଜଧାନୀରେ ଆବେଦନ ସଂଖ୍ୟା ୨୨୦୦ମଧ୍ୟରେ ସୀମିତ ରହିବା ସର୍ବକ୍ଷମା ଯୋଜନା ଫେଲ୍‌ ମାରିଲା ବୋଲି ପ୍ରମାଣିତ କରିଦେଇଛି। ବର୍ଷକର ଆବେଦନ ସଂଖ୍ୟା ଦେଖିବା ପରେ ଲାଗୁଛି ‌ରାଜଧାନୀରେ ଘର କରିଥିବା ଲୋକ ସର୍ବକ୍ଷମାରେ କ୍ଷମା ଚାହୁଁନାହାନ୍ତି।

ନଗର ଉନ୍ନୟନ ବିଭାଗର ଏହି ଯୋଜନା ବର୍ଷକରେ ସଫଳ ନହେବା ପରେ ଏହାକୁ ନେଇ ଏବେ ମାନସ ମନ୍ଥନ ଆରମ୍ଭ ହୋଇଛି। ଜୁନ୍ ୧୯ରେ ଏହି ‌ସର୍ବକ୍ଷମା ଯୋଜନାକୁ ବ‌‌‌େର୍ଷ ପୂରିବାକୁ ଥିବା ବେଳେ କାହିଁକି ଏହା ସଫଳ ହେଲାନି, କିପରି ଅଧିକ ଲୋକ ଆବେଦନ କରିବେ ସେନେଇ ବି କର୍ତ୍ତୃପକ୍ଷ ଚିନ୍ତା କରୁନାହାନ୍ତି। ୨୦୦୭-୦୮ରେ ପ୍ରଥମ କରି ସର୍ବକ୍ଷମା ଯୋଜନା ଆସିଥିବା ବେଳେ ଏଥିରେ ୪ ହଜାରରୁ ଅଧିକ ଲୋକ ଆବେଦନ କରିଥିଲେ। କିନ୍ତୁ ଏଥର ବର୍ଷକରେ ବିଡିଏରେ ପ୍ରାୟ ୨୦୦୦ ଏବଂ ବିଏମ୍‌ସିରେ ପ୍ରାୟ ୨୦୦ ଲୋକ ଆବେଦନ କରିଛନ୍ତି। ସର୍ବକ୍ଷମା ଯୋଜନା ରାଜଧାନୀରେ ‌ହିଁ ଫେଲ୍‌ ମାରିଯାଇଛି। ରାଜ୍ୟର ବାକି ୮ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଞ୍ଚଳରେ ହାତଗଣତି କେତେଜଣ ଆବେଦନ କରିଥିଲେ ହେଁ ରାଜ୍ୟ ସରକାର ଏନେଇ କିଛି ନୂଆ ଯୋଜନା କରିନାହାନ୍ତି। ମାତ୍ର କିଛି ଅଧିକାରୀଙ୍କ ଅପରିଣାମଦର୍ଶୀ ଯୋଜନା ଯୋଗୁଁ ଏବେ ସର୍ବକ୍ଷମା ଲୋକଙ୍କ କାମରେ ଲାଗିଲାନି ବୋଲି କୁହାଯାଉଛି।

ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍‌ ୨୦, ୨୦୧୮ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଯଦି କେହି କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ବା ଅନୁମୋଦନଠାରୁ ଅଧିକ ଅଞ୍ଚଳରେ ଆବାସିକ ଘର, ଆପାର୍ଟମେଣ୍ଟ, ହସ୍ପିଟାଲ, ସରକାରୀ କିମ୍ବା ବେସରକାରୀ କାର୍ଯ୍ୟାଳୟ ବା କୌଣସି ପ୍ରକାରର ନିର୍ମାଣ କରିଛନ୍ତି ସେମାନଙ୍କୁ କ୍ଷମା କରିବାକୁ ଯୋଜନା ହୋଇଥିଲା। ଲୋକଙ୍କୁ ସୁବିଧାରେ ଓ କମ୍ ଅର୍ଥରେ ବେଆଇନ ନିର୍ମାଣକୁ ଆଇନସମ୍ମତ କରିବାକୁ ଏହି ସର୍ବକ୍ଷମା ଯୋଜନା ହୋଇଥିଲେ ହେଁ ରା‌ଜ୍ୟ ସରକାରଙ୍କ ଅର୍ଥ ଆଦାୟ ଚିନ୍ତା ଏହି ଯୋଜନାକୁ ବିଫଳ କରିଦେଲା ବୋଲି କୁହାଯାଉଛି।

୨୦୦୭-୦୮ ମସିହାରେ ସର୍ବକ୍ଷମା ଯୋଜନାରେ ଆବେଦନ ସରଳ ଥିଲେ ‌େହଁ ଏଥିରେ ପ୍ରାୟ ୪ହଜାର ଲୋକ ଆବେଦନ କରିଥିଲେ। ଏହି ସମୟରେ ସର୍ବକ୍ଷମା ଯୋଜନା ଫେଲ୍ ମାରିଲା ବୋଲି ନଗର ଉନ୍ନୟନ ବିଭାଗ ସ୍ବୀକାର କରିଥିଲା। କିନ୍ତୁ ୨୦୧୮ରେ ଯେଉଁ ନିୟମ ଆଣିଲେ ସେଥିରେ ପୁରୁଣା ଭୁଲ୍‌କୁ ସୁଧାରିବା ବଦଳରେ ଆବେଦନ ପ୍ରକ୍ରିୟା ଅଧିକ ଜଟିଳ କରିବା ସହ ଅଧିକ ଜରିମାନା ଗ୍ରାହକଙ୍କ ଉପରେ ଲଦି ଦେବାରୁ ବେଆଇନ ନିର୍ମାଣକାରୀ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେବା ଭଳି ଆବେଦନ ନ କରିବାକୁ ମନସ୍ଥ କରିନେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.