ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

ଖଣ୍ଡଗିରି: ସ୍ଥାନୀୟ ଗଣ୍ଡମୁଣ୍ଡାସ୍ଥିତ ସତ୍ୟସାଇ ମହିଳା ମହାବିଦ୍ୟାଳୟରେ ଆଜି ଛାତ୍ରୀ ଅଶାନ୍ତି ଦେଖାଯାଇଥିଲା। ଫର୍ମ ପୂରଣ ବେଳେ କଲେଜ ପକ୍ଷରୁ ଲାଗୁ କରାଯାଇଥିବା ବିଭିନ୍ନ ପ୍ରକାର ଜରିମାନା ପାଇଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଛାତ୍ରୀମାନେ ଫାଟକରେ ଧାରଣା‌ରେ ବସି ଅଧ୍ୟକ୍ଷାଙ୍କ ବିରୋଧରେ ନାରାବାଜି କରିଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ଛାତ୍ରୀମାନଙ୍କ ଅସନ୍ତୋଷ ଦୂର କରିବା ପାଇଁ କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିଲେ। ବରଂ ଆନ୍ଦୋଳନରତ ଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିବା ପରେ ଛାତ୍ରୀମାନେ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ। ତେବେ କଲେଜ ପରିଚାଳନା କମିଟି ଏଥିରେ ହସ୍ତକ୍ଷେପ କରି ଏକ ସ୍ଥାୟୀ ସମାଧାନ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଏବେ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯାଉଛି। କିନ୍ତୁ ଉପସ୍ଥାନ ହାର କମ୍ ଥିବା ଦର୍ଶାଇ କଲେଜ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରିଛନ୍ତି। ଉପସ୍ଥାନ ପ୍ରତିଶତ ଅନୁସାରେ ୬ ଶହ ଓ ୪ ଶହ ଟଙ୍କା ପର୍ଯ୍ୟନ୍ତ ଫାଇନ୍ କରାଯାଇଛି। କିନ୍ତୁ ଏଭଳି ନିଷ୍ପତ୍ତି ମନମୁଖୀ ବୋଲି ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି। ଏନେଇ କଲେଜ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧିତ ଖବର