ସତ୍ୟ ବିହାର ବିଏମ୍‌ସି ଟିକସ ନେଉଛି ମୌଳିକ ସୁବିଧା ଦେଉନି

ଭୁବନେଶ୍ୱର: ଅସରାଏ ବର୍ଷାରେ ରାସ୍ତାରେ ସୃଷ୍ଟି ହେଉଛି ବନ୍ୟାର ଭ୍ରମ। ପଚପଚ କାଦୁଅ ସାଙ୍ଗକୁ ରାସ୍ତାରେ ଲହଡ଼ି ଭାଙ୍ଗୁଥିବା ଆଣ୍ଠୁଏ ପାଣି ଘରୁ ବାହାର କରାଇ ଦେଉନି। ମାଟି ରାସ୍ତା, ପୁଣି ସେଥିରେ ଥିବା ବଡ଼ ବଡ଼ ଖାଲ ଦୁର୍ଘଟଣାକୁ ହାତ ଠାରି ଡାକୁଛି। ପାଣି ଜମି ସେଥିରୁ ବାହାରୁଥିବା ଦୁର୍ଗନ୍ଧ ଓ ମଶାମାଛିଙ୍କ ପ୍ରାଦୁର୍ଭାବ ଲୋକଙ୍କୁ ଅଣନିଶ୍ୱାସୀ କରିଦେଉଛି। ଏ କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ, ରାଜଧାନୀ ସୀମାରେ ଥିବା ସତ୍ୟବିହାରର ଦୃଶ୍ୟ। ବିଏମ୍‌ସି ଅଧୀନ ଏହି ଅଞ୍ଚଳର ଅଧିବାସୀ ପ୍ରତି ବର୍ଷ ଟିକସ ଭରୁଛନ୍ତି ସତ କିନ୍ତୁ ସେମାନଙ୍କୁ ମୌଳିକ ସୁବିଧା ଦେବାକୁ ବିଏମ୍‌ସି କେବେ ଆଗ୍ରହ ପ୍ରକାଶ କରୁନି। ପ୍ରାୟ ୪୦୦ ଘର ଓ ୧୫ହଜାର ଲୋକଙ୍କୁ ନେଇ ଗଢ଼ି ଉଠିଛି ଏହି ସତ୍ୟବିହାର ଅଞ୍ଚଳ। କିନ୍ତୁ ସେମାନଙ୍କ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡେ ନାହିଁ। ଏହି ସମସ୍ୟା ଆଜିର ନୁହେଁ, ବର୍ଷ ବର୍ଷର। ରାସ୍ତା ସାରା ବଡ଼ ବଡ଼ ଖାଲ। ଖାଲି ବର୍ଷା ଦିନେ ନୁହେଁ, ଖରା ଦିନେ ବି ଏଠାରେ ଦୁର୍ଘଟଣା ଆଶଙ୍କାକୁ ଏଡ଼ାଯାଇ ନ ପାରେ। ଏଠାରେ ଥିବା ଜାଭିୟର୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲରେ ପ୍ରାୟ ୧୨ଶହ ପିଲା ପଢ଼ନ୍ତି। କିନ୍ତୁ ବିଦ୍ୟାଳୟ ସମ୍ମୁଖରେ ବଡ଼ ବଡ଼ ଦୁଇଟି ଖାଲ ଥିବାରୁ ପିଲାମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଗତ ୬ ତାରିଖର ଝିପିଝିପି ବର୍ଷାରେ ଖାଲି ବିଦ୍ୟାଳୟ ସମ୍ମୁଖ ନୁହେଁ, ସମ୍ପୂର୍ଣ୍ଣ ସତ୍ୟବିହାର ଅଧାବୁଡ଼ା ଅବସ୍ଥାରେ ରହିଥିଲା। ପିଲାମାନେ ସକାଳୁ ସ୍କୁଲ ଯିବା କିମ୍ବା ଲୋକମାନେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଏତେ ବଡ଼ ଅଞ୍ଚଳରେ ଗୋଟିଏ ବି ଡ୍ରେନ୍‌ ନ ଥିବାରୁ ପାଣି ନିଷ୍କାସନ ବି ସମ୍ଭବ ହେଉନି। ଫଳରେ ଅଧିକ ବର୍ଷା ହେଲେ ଅଞ୍ଚଳଟି ପ୍ରାୟ ଜଳବନ୍ଦୀ ହୋଇ ରହିଯାଉଛି। ସ୍ଥାନୀୟ ଲୋକଙ୍କର ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରତିଶ୍ରୁତି ଛଡ଼ା କିଛି ମିଳୁନି। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜୋର୍‌ ଧରିଛି।

ଏନେଇ ସ୍ଥାନୀୟ କର୍ପୋରେଟର ନିର୍ମଳ ଚନ୍ଦ୍ର ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏଠି ବର୍ତ୍ତମାନ ସ୍ୱତନ୍ତ୍ର ବଜେଟ୍‌ରେ ଦୁଇଟି ରାସ୍ତା ନିର୍ମାଣ କରାଯାଇଛି। ଏଥିପାଇଁ ୭୦ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି। ବର୍ତ୍ତମାନ ଆଉ ଏକ ରାସ୍ତା ମଧ୍ୟ ତିଆରି ହେବ। ସେ ନେଇ ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ଅଞ୍ଚଳରେ ଘରୋଇ ଜମି ଅଧିକ ଥିବାରୁ ଲୋକଙ୍କୁ ବୁଝାସୁଝା କରାଯାଉଛି। ସେମାନେ ସ୍ୱଇଚ୍ଛାରେ ନିଜ ଜାଗାରୁ କିଛି କିଛି ସ୍ଥାନ ଛାଡ଼ିଲେ ଏକ ଡ୍ରେନ୍‌ ନିର୍ମାଣ ହୋଇପାରିବ। ତାହା ପରେ ସବୁ ସମସ୍ୟା ଦୂର ହୋଇପାରିବ। କିନ୍ତୁ ଲୋକ ରାଜି ନଥିବାରୁ ବିଏମ୍‌ସି ପାଖରେ ମଧ୍ୟ କିଛି ଉପାୟ ନାହିଁ।

ବିକାଶର ବିକଳ ରୂପ
୨୦୦୦ ମସିହାରୁ ଏଠି ଘର କରି ରହିଲୁଣି। ସେତେବେଳେ ଯେଉଁ ସମସ୍ୟା ଥିଲା, ଆଜି ୧୮ ବର୍ଷ ପରେ ସେଇ ସମାନ। ଛବି ଟିକେ ବି ବଦଳିଲା ନାହିଁ। ଝିପିଝିପି ବର୍ଷା ବି ଆମକୁ କାଳ ଭଳି ଲାଗେ। ଘରୁ ବାହାରିବା ମୁସ୍‌କିଲ୍‌ କରିଦିଏ। ଆମେ ତ’ ପ୍ରତିବର୍ଷ ଟିକସ ଦେଉଛୁ। ତେବେ ଆମ ସୁବିଧା ପ୍ରତି ବିଏମ୍‌ସି ଯତ୍ନବାନ କାହିଁକି ନୁହେଁ? ଏହା ହିଁ ବିକାଶର ବିକଳାଙ୍ଗ ଚିତ୍ର।
କୃଷ୍ଣପ୍ରିୟା ମିଶ୍ର, ସ୍ଥାନୀୟ ବାସିନ୍ଦା

କାଦୁଅ, ଧୂଳି ଓ ମଶା ଅତିଷ୍ଠ କଲେଣି
ବର୍ଷା ଦିନେ ଅସରାଏ ବର୍ଷାରେ ଆମେ ଜଳବନ୍ଦୀ। କାଦୁଅ ପଚପଚ ରାସ୍ତା ପୁଣି ମଶା। ପୁଣି ଖରା ଦିନେ ମାଟି ରାସ୍ତା ଯୋଗୁଁ ପ୍ରବଳ ଧୂଳି ଉଡ଼ି ମଣିଷକୁ ଅତିଷ୍ଠ କରିପକାଉଛି।
ଜ୍ୟୋତିରଞ୍ଜନ ରାଉତରାୟ, ସମ୍ପାଦକ, ସତ୍ୟବିହାର ଗଣେଶ ପୂଜା ସମିତି

ଘରୁ ବାହାରି ହେଉନି
ବର୍ଷା ଦିନେ ଏଠାରେ ଦୁଇଚକିଆ ଚଲାଇବା ଏକ ପ୍ରକାର ଅସମ୍ଭବ। ପିଲାମାନେ ବି ଆଣ୍ଠୁଏ ପାଣି ଯୋଗୁ ସ୍କୁଲ୍‌ ଯାଇପାରନ୍ତିନି। ବର୍ଷ ବର୍ଷ ଧରି ଭଲ ରାସ୍ତାଟିଏକୁ ଚାହିଁଛୁ। କିନ୍ତୁ ଏହା ଏବେ ସ୍ୱପ୍ନ ଭଳି ମନେ ହେଉଛି।
ରଞ୍ଜନ କୁମାର ମଲ୍ଲ, ସଂପାଦକ, ସତ୍ୟବିହାର ୟୁଥ୍‌ କ୍ଲବ୍‌

ଗାଁଠାରୁ ସମସ୍ୟା ଟପିଗଲାଣି
ନା ଏଠି ଭଲ ରାସ୍ତା ଖଣ୍ଡେ ଅଛି ନା ଜଳ ନିଷ୍କାସନ ପାଇଁ ଡ୍ରେନ୍‌। ନା ଭଲ ପାଣି ଟିକିଏ ପିଇ ପାରୁଛୁ ନା ସ୍ୱେରେଜ୍‌ ଲାଇନ୍‌ ଯାଇଛି। ଖାଲି ଯାହା ଭୁବନେଶ୍ୱରରେ ଅଛୁ ବୋଲି କହିବା କଥା। କିନ୍ତୁ ରାଜଧାନୀରେ ରହିବା ଭଳି କେବେ ଅନୁଭବ କରିନୁ। ଏଠାକାର ସମସ୍ୟା ଗାଁଠାରୁ ଟପିଗଲାଣି।
ମମତା ସାହୁ, ସ୍ଥାନୀୟ ବାସିନ୍ଦା

ସମ୍ବନ୍ଧିତ ଖବର