ସଂସ୍କୃତି ଚର୍ଚ୍ଚା, ସତ୍ୟଜିତ ରାୟଙ୍କ ଫିଲ୍ମ ଛାଡ଼ିଥିଲେ ଝରଣା

ଭୁବନେଶ୍ବର: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦେଶକ ସତ୍ୟଜିତ ରାୟଙ୍କ ‘ଅ‌ରଣ୍ୟେର ଦିନ ରାତ୍ରି’ ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ପାଇଥିଲେ ଝରଣା ଦାସ। ମାତ୍ର ଖୋଲା ଜାଗାରେ ଶାଢ଼ି ପିନ୍ଧିବାର ଏକ ଦୃଶ୍ୟ ଥିବାରୁ ଅଭିନୟ ପାଇଁ ସେ ମନା କରିଦେଇଥିଲେ। ତାଙ୍କ ସ୍ଥାନରେ ଏହି ଚରିତ୍ରରେ ସିମି ଗାରେୱାଲ୍‌ ଅଭିନୟ କରିଥିଲେ। ନିଜ ଅଭିନୟ ସ୍ମୃତି ବଖାଣିବା କାଳରେ ଏହା କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ରାଇଜର ପ୍ରଥିତଯଶା ଅଭିନେତ୍ରୀ ଝରଣା ଦାସ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାର ପକ୍ଷରୁ ଆୟୋଜିତ ‘ସଂସ୍କୃତି ଚର୍ଚ୍ଚା’ରେ ଆଜି ଅତିଥି ବକ୍ତା ଭାବେ ଯୋଗଦେଇ ସେ କହିଲେ, ଅଭିନୟ ଦୁନିଆକୁ ଆସିବି ‌ବୋଲି ସ୍ବପ୍ନରେ ସୁଦ୍ଧା ଭାବି ନଥିଲି। ଅଥଚ ଇଣ୍ଡିଆନ୍‌ ଏୟାର‌ଫୋର୍ସରେ ପାଇଲଟ ମୋ ବଡ଼ ଭାଇ ସମ୍ମତି ଜଣାଇବାରୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ମଲାଜହ୍ନ’ରେ ସତୀ ଭୂମିକାରେ ଅଭିନୟର ପ୍ରଥମ ସୁଯୋଗକୁ ନ୍ୟାୟ ଦେବାକୁ କଠୋର ପରିଶ୍ରମ ବି କରିଥିଲେ। ଲେଖକ ଉପେନ୍ଦ୍ର କିଶୋର ଦାସଙ୍କ ନିକଟକୁ ଯାଇ ତାଙ୍କ ଉପନ୍ୟାସରେ ‘ସତୀ’ ଚରିତ୍ରକୁ କାହିଁକି ମାରି ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲି। ଲେଖକ ବୁଝାଇଦେବା ପରେ ସେଇ ଚରିତ୍ରକୁ ଯଥେଷ୍ଟ ନ୍ୟାୟ ଦେବାକୁ ଚେଷ୍ଟା କରିଥିଲି। ନିଜ ପ୍ରଥମ ସୁଟିଂ ବେଳର ଅନୁଭୂତି ବର୍ଣ୍ଣନା କରି କହିଲେ, ପ୍ରଥମ ‘ସଟ୍‌’ ମୋର ଧବଳେଶ୍ବର ନିକଟରେ ଥାଏ। ହଜି ଯାଇଥିବା ଜଣେ ମହିଳା ଭୂମିକାରେ ଅଭିନୟ କରୁଥାଏ। ଜଣେ ଆସି ମୋ ପାଦ ଚାରିପଟେ ଚକ୍ ଖଡ଼ିରେ ଗୋଲ ବୁଲାଇଦେଲା। ଏହା ଦେଖି ମୁଁ ଡରିଗଲି। ସୁଟିଂ ସରିବା ପର୍ଯ୍ୟନ୍ତ ମୋ ଭିତରୁ ଭୟ ଯାଇନଥିଲା। ତେଣୁ ଅଭିନୟଟା ଚରିତ୍ରକୁ ସୁହାଇବା ‌ଭଳି ହୋଇଯିବାରୁ ନିର୍ଦେଶକ ଭାରି ପ୍ରଶଂସା କଲେ। ଆଜି ବି ସେ ଘଟଣାକୁ ମୁଁ ଭୁଲିପାରିବି ନାହିଁ ବୋଲି ଶ୍ରୀମତୀ ଦାସ କହିଛନ୍ତି।

‘ଅମଡ଼ା ବାଟ’ ଚଳଚ୍ଚିତ୍ର ବ୍ରହ୍ମପୁରରେ ଦେଖିସାରିବା ପରେ କିଛି ଯୁବ ଦର୍ଶକ ତାଙ୍କୁ କହିଥିଲେ, ମାୟା ଅପା ଖାଇବାରେ କେତେ ଲଙ୍କା ଗୁଣ୍ଡ ପକେଇଲ। ଅର୍ଥାତ ଦର୍ଶକ ସେ ଚରିତ୍ର ଭିତରେ ଏତେ ବୁଡ଼ି ଯାଇଥିଲେ ଯେ ମୁଁ ସେଇଦିନଠୁ ଝରଣା ଅପେକ୍ଷା ‘ମାୟା’ ନାଁରେ ଅଧିକ ପରିଚିତ ହୋଇଗଲି। ପରବର୍ତୀ ସମୟରେ ଆକାଶବାଣୀରେ ଚାକିରି ଏବଂ କୋଲକାତା ଦୂରଦର୍ଶନରେ ନିର୍ଦେଶକ ପଦବିରେ କାମ କରିବାର ସ୍ମୃତି କହିଥିଲେ। ଜଣେ ପ୍ରଶଂସକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଝରଣା କହିଥିଲେ, ମୁଁ ମୋ ଆତ୍ମ ଜୀବନୀର ଅଧିକାଂଶ ଲେଖିସାରିଲିଣି। ଆଉ କିଛି ଲେଖିବା ପରେ ତାହା ପ୍ରକାଶ ପାଇବ ବୋଲି ସେ କହିଥିଲେ। ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଏବଂ ନିର୍ଦେଶକ ବିଜୟ ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର