ବାତ୍ୟାର ୩ ମାସ ପରେ ବି ସଜଡ଼ା ହୋଇପାରିଲାନି ପାଚେରି

ବିପଦରେ ସତ୍ୟନଗର ପାର୍କର ଦାମୀ ସରଞ୍ଜାମ

ଭୁବନେଶ୍ବର : ବାତ୍ୟା ‘ଫନି’ ଯିବାର ୩ ମାସରୁ ଅଧିକ ସମୟ ବିତିଲାଣି। ହେଲେ ବାତ୍ୟାରେ ଭାଙ୍ଗି ଯାଇଥିବା ସତ୍ୟନଗର ପାର୍କର ପାଚେରି ଆଜି ପର୍ଯ୍ୟନ୍ତ ସଜଡ଼ା ହୋଇପାରିଲାନି। ପାର୍କ ଭିତରେ ଲକ୍ଷାଧିକ ଟଙ୍କାର ଦାମୀ ଜିମ୍‌ ସାମଗ୍ରୀ ସହ ଲାଇଟ୍ ଲାଗିଥିଲେ ହେଁ ବିଏମ୍‌ସି କର୍ତୃପକ୍ଷ ଏହାକୁ ଗୁରୁତ୍ବ ଦେଉନାହାନ୍ତି। ପାର୍କରେ ସଂଧ୍ୟାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଛି। ପା‌ଚେରି ଏଭଳି ମୁକୁଳା ରହିଲେ ଆଗାମୀ ଦିନରେ ପାର୍କରୁ ଦାମୀ ସରଞ୍ଜାମ ଚୋରି ହେବାର ଆଶଙ୍କା ସୃଷ୍ଟି ହେଲାଣି।

ସତ୍ୟନଗର ଅଞ୍ଚଳବାସୀଙ୍କ ମନୋରଂଜନ ପାଇଁ ଏକମାତ୍ର ପାର୍କ ରହିଛି। ‘ଫନି’ରେ ପାର୍କର ଗୋଟିଏ ପାଖରେ ପାଚେରି ସଂପୂର୍ଣ୍ଣ ଭାଙ୍ଗି ଯାଇଛି। କେବଳ ପାଚେରି ନୁହେଁ, ପାର୍କରେ ଲାଗିଥିବା ଅନେକ ଦାମୀ ଲାଇଟ୍ ମଧ୍ୟ ଭାଙ୍ଗିରୁଜି ଯାଇଛି। ପାର୍କକୁ ପ୍ରତିଦିନ ଶହ ଶହ ଲୋକ ଆସୁଥିବା ବେଳେ ସଂଧ୍ୟାରେ ପାର୍କ ଅନ୍ଧାର। ପ୍ରାୟ ଦେଢ଼ ବର୍ଷ ତଳେ ଆମୃତ ଯୋଜନାରେ ପାର୍କର ନବୀକରଣ କରାଯାଇଥିଲା। ଏଥିପାଇଁ ୨୨ଲକ୍ଷ ଟଙ୍କା ଖର୍ଚ ହୋଇଥିଲା। ପାର୍କରେ ଟେବୁଲ ଚେୟାରଠାରୁ ଆରମ୍ଭ କରି ଓପନ୍ ଜିମ୍ ପାଇଁ ଆବଶ୍ୟକ ମେସିନ୍‌ ଲଗା ଯାଇଥିଲା। ଏହାସହ ପାର୍କରେ ଥିବା ଘରର ନବୀକରଣ ପାଇଁ ଦେଢ଼ ଲକ୍ଷ, କଣ୍ଟାବାଡ଼ ଓ ପାଚେରି ରଙ୍ଗ ପାଇଁ ୪ଲକ୍ଷ ଟଙ୍କା ବିଧାୟକ ପାଣ୍ଠିରୁ ଖର୍ଚ ହୋଇଥିଲା। ପାର୍କ‌‌ରେ ଏବେ ଲକ୍ଷାଧିକ ଟଙ୍କାର ଜିନିଷ ଲାଗିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜଧାନୀରେ ଥିବା ପାର୍କ ଉଭୟ ବିଏମ୍‌ସି ଓ ବିଡିଏ ଅଧୀନରେ ରହିଛି। ଚଳିତବର୍ଷ ଜାନୁଆରି ମାସରୁ କର୍ପୋରେଟରଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏଭଳି ପରିସ୍ଥିତିରେ କର୍ପୋରେଟର ନିଜ ଅଞ୍ଚଳରେ ଥିବା ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ନିକଟରେ ଦାବି କରିବା ସମ୍ଭବ ହେଉନାହିଁ। ସତ୍ୟନଗର ପାର୍କ ବିଏମ୍‌ସି ଅଧୀନରେ ଆସୁଥିବା ବେଳେ ପାର୍କର ମରାମତି ନେଇ ପୂର୍ବତନ କର୍ପୋରେଟର୍‌ ଭାନୁପ୍ରିୟା ଦାସ ବିଏମ୍‌ସିର ଅଧିକାରୀଙ୍କୁ ଏକାଧିକବାର ଭେଟିଥିବା କହିଛନ୍ତି। ଏପରିକି ଯେଉଁ ଭଙ୍ଗା ଲାଇଟ୍‌ଗୁଡ଼ିକ ସଜାଡ଼ିବା ଉପଯୋଗୀ ଥିଲା, ନିଜ ହାତରୁ ଟଙ୍କା ଖର୍ଚ କରି ସେସବୁକୁ ସଜଡ଼ା ଯାଇଛି। ଗୋଟିଏ ଗୋଟିଏ ଲାଇଟ୍‌ ୧୨ ହଜାର ଟଙ୍କା ପଡ଼ୁଥିବା ବେଳେ ୮୦/୯୦ଟି ଲାଇଟ୍‌ର ଆବଶ୍ୟକତା ରହିଛି। ଲାଇଟ୍‌ ପାଇଁ ଟେଣ୍ଡର୍‌ କରାଯାଇଥିବା ସୂଚନା ମିଳିଛି। ମାତ୍ର ପାଚେରି ପାଇଁ ତୁରନ୍ତ‌ ଟେଣ୍ଡର୍‌ କରାଯିବାର ଆବଶ୍ୟକତା ରହିଛି। ନଚେତ୍ ପାର୍କରେ ଥିବା ଦାମୀ ସରଞ୍ଜାମ ଚୋରି ହେବାର ଆଶଙ୍କା ରହିଥିବା ସେ କହିଛନ୍ତି।

କେବଳ ସତ୍ୟନଗର ପାର୍କ ନୁହେଁ, ସହିଦନଗର ଭିତରେ ଥିବା ଓଏମ୍‌ସି ପାର୍କରେ ମଧ୍ୟ ସମାନ ଅବସ୍ଥା। ଓମ୍‌ସି ପାର୍କ‌ର ଏକାଧିକ ସ୍ଥାନରେ ଗଛ ପଡ଼ିଯିବା କାରଣରୁ କେଉଁଠି ପାଚେରି ଭାଙ୍ଗି ଯାଇଛି ତ ଆଉ କେଉଁଠି ଲୁହାବାଡ଼ ଉପରେ ଏବେ ବି ଗଛ ପଡ଼ି ରହିଛି। ଗଛର ଡାଳ କଟା ଯାଇଥିଲେ ହେଁ ଏବେ ବି ଗଣ୍ଡି ପାର୍କ ଭିତ‌‌ରେ ପଡ଼ିଛି। ନିକଟରେ ଏସବୁ ପାର୍କରେ ନିର୍ମାଣ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏହା ନଷ୍ଟ ହେବାକୁ ବସିଲାଣି।

ବିଏମ୍‌ସର ଜଣେ ଅଧିକାରୀ କହିଛନ୍ତି, ବିଏମ୍‌ସି ଅଧୀନରେ ସମୁଦାୟ ୫୫ଟି ପାର୍କ ରହିଛି। ନିକଟରେ କମିସନର୍ କିଛି ପାର୍କ ପରିଦର୍ଶନ କରିଥିଲେ। ଯେଉଁ ଯେଉଁ ପାର୍କଗୁଡ଼ିକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି, ସେସବୁର ମରାମତି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଇଞ୍ଜିନିୟରିଂ ଡିଭିଜନ୍‌ କ୍ଷତିଗ୍ରସ୍ତ ହୋଇଥିବା ପାର୍କର ମରାମତି ପାଇଁ ‌ନିକଟ‌ରେ ଟେଣ୍ଡର୍‌ କରାଯିବ। ଟେଣ୍ଡର୍‌ ପରେ ମରାମତି ଆରମ୍ଭ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର