ନାଟକ ବାଣ୍ଟିଲା ‘ଜଙ୍ଗଲ ବଞ୍ଚାଅ’ ବାର୍ତ୍ତା

ମଞ୍ଚସ୍ଥ ହେଲା ‘ଅଖାଣ୍ଡବ କାଳ’

ଭୁବନେଶ୍ୱର: ଜଙ୍ଗଲ କାଟି ଏବେ ସହର କଂକ୍ରିଟ୍‌ ପାଲଟିଲାଣିି। ମଣିଷ ଯନ୍ତ୍ରାରୂଢ଼ ହେଲାଣି। ନିଜକୁ ଭୁଲିବା ସହ ପ୍ରକୃତିଠୁ ବି ଦୂରେଇ ଗଲାଣି। ଏଭଳି ପରିସ୍ଥିତିରେ ଲୋକଙ୍କୁ ସଚେତନ କରିବା ତଥା ଜଙ୍ଗଲ ବଞ୍ଚାଇବା ବାର୍ତ୍ତା ନେଇ ଆଜି ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଅଖାଣ୍ଡବ କାଳ’। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଂଗୀତ ନାଟକ ଏକାଡେମି ଏବଂ ଓଡ଼ିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ନାଟ୍ୟଧାରା’ର ନାଟ୍ୟ ଉତ୍ସବର ପ୍ରଥମ ସଂଧ୍ୟାର ଏହି ନାଟକ ମଞ୍ଚସ୍ଥ ହୋଇଛି। ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ‘ଗଞ୍ଜାମ କଳା ପରିଷଦ’। ଏହି ନାଟକର ରଚନା ଶୋଭନ୍‌ ଦାସ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସୁବୋଧ ପଟ୍ଟନାୟକ। ଓଡ଼ିଶା ନାଟ୍ୟ ସଂଘର ସଭାପତି ମନୋଜ ପଟ୍ଟନାୟକ, ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ନାଟ୍ୟ ନିର୍ଦ୍ଦେଶକ ରମାକାନ୍ତ ମିଶ୍ର ଓ ମନୋଜ ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଆସନ୍ତା ଦୁଇ ଦିନ ମଧ୍ୟ ଏଠାରେ ନାଟକ ପରିବେଷିତ ହେବ।

ସମ୍ବନ୍ଧିତ ଖବର