ଦାମୋଦର ଆଚାର୍ଯ୍ୟ ପାଇବେ ଏଏସ୍‌ବିଏମ୍‌ ଏକ୍ସଲେନ୍‌ସ ଆୱାର୍ଡ

ଭୁବନେଶ୍ବର: ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ, ନୂଆଦିଲ୍ଲୀର ପୂର୍ବତନ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟ (ବିପିୟୁଟି) ଏବଂ ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ଦାମୋଦର ଆଚାର୍ଯ୍ୟଙ୍କୁ ଏଏସ୍‌ବିଏମ୍ ଏକ୍ସଲେନ୍‌ସ ଆୱାର୍ଡ-୨୦୧୮ ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ଜଣେ ଉଚ୍ଚକୋଟୀର ଗବେଷକ ଭାବରେ ନିଜର ପରିଚୟ ସୃଷ୍ଟି କରିବା ସହିତ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ଉନ୍ନତି କ୍ଷେତ୍ରରେ ତାଙ୍କର ଉଦ୍ୟମ ପାଇଁ ଏଏସ୍‌ବିଏମ୍‌ର ବୋର୍ଡ ଅଫ୍ ଗଭର୍ଣ୍ଣର ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବା ପାଇଁ ମନୋନୀତ କରିଛନ୍ତି। ୨୦୦୮ରୁ ଏହି ସମ୍ମାନ ପ୍ରଦାନ ଆରମ୍ଭ ହୋଇଥିଲା। ପୂର୍ବରୁ ବନ୍ଧନ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଚନ୍ଦ୍ରଶେଖର ଘୋଷ, କର୍ଲଅନ୍‌ର ଅଧ୍ୟକ୍ଷ ସୁଧାକର ପାଇ, ଆଇଆଇଏମର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ପ୍ରୀତମ୍ ସିଂହ, ନର୍ଥ କାରୋଲିନା ସେଣ୍ଟ୍ରାଲ ବିଶ୍ୱବିଦ୍ୟାଳୟର କୁଳାଧିପତି ଚାର୍ଲି ନେମେସ୍, ଆମେରିକା ଏବଂ କେପିଏମ୍‌ଜିର ସିଇଓ ରିଚାର୍ଡ ପ୍ରମୁଖଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ଏଏସ୍‌ବିଏମ୍‌ ପକ୍ଷରୁ କୁହାଯାଇଛି। ପ୍ରଫେସର ଆଚାର୍ଯ୍ୟଙ୍କୁ ଏହି ପରୁସ୍କାର ଏପ୍ରିଲ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏଏସ୍‌ବିଏମ୍‌ର ୧୨ତମ ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯିବ ବୋଲି ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ରଫେସର ଡ. ବିଶ୍ୱଜିତ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର